ବାପାଙ୍କ ହାତ ଧରି ବାଟ ଚାଲିବା ପୂର୍ବରୁ ନିଜ ହାତରେ ସହିଦ ବାପାଙ୍କୁ ମୁଖାଗ୍ନି ଦେଲା ୫ ମାସର କୁନି ଝିଅ ! ଭଲ ପାଇବାର ଏହି ଦୃଶ୍ୟ ଦେଖି କାନ୍ଦିଲା ପୁରା ଦେଶ ।

54

୫ମାସର କୁନି ଝିଅ ଯେତେବେଳେ ନିଜର ସହିଦ ବାପାକୁ ମୁଖାଗ୍ନି ଦେବାକୁ ପହଞ୍ଚିଥିଲା, ସେହି ଦୃଶ୍ୟକୁ ଦେଖି ଘରଲୋକ, ପୂରା ଗ୍ରାମ, ସେନା ଯବାନଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ସମସ୍ତଙ୍କ ଆଖି ଲୁହରେ ଭରି ରହି ଯାଇଥିଲା । ଏହି ଦୃଶ୍ୟକୁ ଦେଖିବା ପରେ ରାଜସ୍ଥାନର ଝଲାଓ୍ଵାର୍ ଜିଲ୍ଲାର ଜିଲ୍ଲାପାଳ ଜିତେନ୍ଦ୍ର ସୋନି ସହିଦଙ୍କ ପାଞ୍ଚ ମାସର ଝିଅ ନାମରେ ଏକ ଭାବବିହ୍ୱଳ ଚିଠି ଲେଖିଛନ୍ତି । ଝିଅଟି ବଡ଼ ହୋଇ ତାର ପିତା ଦେଶପାଇଁ ଜୀବନ ଦେଇଥିବା ନେଇ ଗର୍ବ ଅନୁଭବ କରିବ ବୋଲି କହିଛନ୍ତି ।

ଝଲାଓ୍ଵାର୍ ଜିଲ୍ଲାର ଜିଲ୍ଲାପାଳ ଜିତେନ୍ଦ୍ର ସୋନି ସୋସିଆଲ ମିଡିଆରେ କହିଛନ୍ତି, ଝିଅ ଆରୁ , ତୁମେ ଯେବେ ବଡ଼ ହେବ ଏବଂ ଦେଶର ସହିଦଙ୍କ ବିଷୟରେ ଶୁଣିବ ତୁମେ ଗର୍ବ ଅନୁଭବ କରିବ । ତୁମେ ବାପାଙ୍କ ଆଙ୍ଗୁଳି ଧରି ସିନା ଚାଲି ନ ଥିବ, କିନ୍ତୁ ତୁମ ବାପା ଦେଶ ପାଇଁ କିପରି ଜୀବନ ଦେଇଥିଲେ ତୁମକୁ ସର୍ବଦା ଅନ୍ୟମାନଙ୍କଠାରୁ ଶୁଣିବାକୁ ମିଳିବ । ତୁମକୁ ଯେବେ ବି ବାପାଙ୍କ କଥା ମନେ ପଡ଼ିବ, ମୁଁ ଜାଣିଛି କଷ୍ଟ ହେବ । କାରଣ ଏମିତି କିଛି ସ୍ମୃତି ଥାଏ ଯାହା ମନକୁ କଷ୍ଟ ଦେଇଥାଏ । କିନ୍ତୁ ଦେଶପାଇଁ ଜୀବନ ଦେବା ସମସ୍ତଙ୍କ ଭାଗ୍ୟରେ ନଥାଏ ଏବଂ ତୁମେ ଗର୍ବ ଅନୁଭବ କରିବ ଯେ ତୁମେ ସେ ପିତାଙ୍କ କନ୍ୟା ବୋଲି । ତୁମେ ବିନା କାନ୍ଦି ସହିଦ ପିତାଙ୍କ କଫିନରେ ବସିଲ ଓ ଶୋଇ ପଡ଼ିଲ ଯାହାକୁ ଦେଖି ମୋ ଲୋମମୂଳ ଟାଙ୍କୁରି ଉଠିଥିଲା । ତୁମେ ଚିନ୍ତା କରିବ ନାହିଁ ତୁମ ଉପରେ ଯେ କେବଳ ତୁମ ପରିବାର, ତୁମ ଅଞ୍ଚଳବାସୀଙ୍କ ଆର୍ଶୀବାଦ ଅଛି ତାହା ନୁହେଁ । ଦେଶର ସମସ୍ତ ନାଗରିକ ତୁମ ପଛରେ ଅଛନ୍ତି ।

ସୂଚନାଯୋଗ୍ୟ, ରାଜସ୍ଥାନର ଝଲାଓ୍ଵାରର ଲଡାନିୟା ଗ୍ରାମର ନିବାସୀ ୨୫ବର୍ଷୀୟ ମୁକୁଟ ବିହାରୀ ମିନା ଜୁଲାଇ ୧୧ ତାରିଖରେ ଜମ୍ମୁ କଶ୍ମୀରର କୁପଓ୍ଵାଡାରେ ଆତଙ୍କବାଦୀଙ୍କ ସହ ସଂଘର୍ଷ କରୁଥିବା ସମୟରେ ଦେଶ ପାଇଁ ସହିଦ ହୋଇଯାଇଥିଲେ । ଶନିବାର ସହିଦ ମୁକୁଟ ବିହାରୀ ମିନାଙ୍କ ଅନ୍ତିମ ସଂସ୍କାର ପୂରା ସମ୍ମାନ ସହ ପୂରା କରାଯାଇଥିଲା ।