ଜାତୀୟ କ୍ରୀଡା ଦିବସରେ କ୍ରୀଡା ସମ୍ମାନ ପ୍ରଦାନ କରିବେ ରାଷ୍ଟ୍ରପତି ! ସର୍ଦ୍ଦାର ସିଂହ ଓ ଦେବେନ୍ଦ୍ର ଝାଝରିଆଙ୍କୁ ଖେଳରତ୍ନ, ୧୭ ଜଣଙ୍କୁ ଅର୍ଜୁନ ପୁରସ୍କାର

27

କନକ ବ୍ୟୁରୋ : ଆସନ୍ତା ୨୯ ତାରିଖରେ ଜାତୀୟ କ୍ରୀଡା ଦିବସ ଅବସରରେ ହକି ଖେଳାଳି ସର୍ଦ୍ଦାର ସିଂ ଓ ପାରା ଅଲମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଦେବେନ୍ଦ୍ର ଝାଝରିଆଙ୍କୁ ଦେଶର ସର୍ବୋଚ୍ଚ କ୍ରୀଡା ସମ୍ମାନ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ପ୍ରଦାନ କରାଯିବ । ଏକ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏମାନଙ୍କୁ ସମ୍ମାନିତ କରିବେ । ପୁରସ୍କାର ବାବଦରେ ଏହି ଖେଳାଳିଙ୍କୁ ପଦକ ସହ ସାଢେ ସାତ ଲକ୍ଷ ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯିବ । ଗତ ଶୁକ୍ରବାର ମନୋନୀତ ହୋଇଥିବା ଏହି ଦୁଇ ଖେଳାଳିଙ୍କ ନାଁରେ ସରକାରଙ୍କ ପକ୍ଷରୁ ମୋହର ବିଜିଛି ।

ଏହାସହ ଚଳିତ ବର୍ଷ ୧୭ ଜଣଙ୍କୁ ସମ୍ମାନ ଜନକ ଅର୍ଜୁନ ସମ୍ମାନ ପ୍ରଦାନ କରାଯିବ । ଏହି ତାଲିକାରେ ଭାରତୀୟ ପୁରୁଷ କ୍ରିକେଟ ଦଳର ବ୍ୟାଟସମ୍ୟାନ ଚେତେଶ୍ୱର ପୂଜାରା ଓ ମହିଳା ବିଶ୍ୱ କପ୍ ଟିମ୍ ସଦସ୍ୟ ହରମନପ୍ରିତ କୌର ସାମିଲ । ସେମାନଙ୍କୁ ମୋମେଂଟୋ ସହ ୫ ଲକ୍ଷ ଟଙ୍କା ଲେଖାଏଁ ଅର୍ଥ ପୁରସ୍କାର ଭାବେ ମିଳିବ । ସେହିପରି ୭ ଜଣ କୋଚଙ୍କୁ ସମ୍ମାନଜନକ ଦ୍ରୋଣାଚାର୍ଯ୍ୟ ପୁରସ୍କାରରେ ସମ୍ମାନିତ କରାଯିବ । ଏହି ତାଲିକାରେ ଓଡିଶାର ବ୍ରଜଭୂଷଣ ମହାନ୍ତିଙ୍କ ନାଁ ରହିଛି । ଦୀର୍ଘ ପ୍ରଶିକ୍ଷକ ଜୀବନରେ ସେ ଅନେକ ଜାତୀୟ ସ୍ତରୀୟ ମୁଷ୍ଟିଯୋଦ୍ଧା ସୃଷ୍ଟି କରିଛନ୍ତି । ବ୍ରହ୍ମପୁର ବଡଖଏମୁଣ୍ଡି ବାସିନ୍ଦା ବ୍ରଜଭୂଷଣ । ସେହିପରି ଆଜୀବନ କ୍ରିଡା ସମ୍ମାନ ଧ୍ୟାନଚାନ୍ଦ ପୁରସ୍କାର ୩ ଜଣ ଖେଳାଳିଙ୍କୁ ପ୍ରଦାନ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି । ଏହି ସମ୍ମାନରେ ସମସ୍ତଙ୍କୁ ୫ ଲକ୍ଷ ଲେଖାଏଁ ଅର୍ଥ ପୁରସ୍କାର ଭାବେ ଦିଆଯିବ ।