ଆଇଟିଆଇ ଛାତ୍ରଛାତ୍ରୀଙ୍କ କମାଲ: ତାଳି ମାରିଲେ ଜଳିବ ଲାଇଟ୍ ଓ ବୁଲିବ ଫ୍ୟାନ, ଗୋଟିଏ ଜାଗାରେ ବସି ହାତରେ ନିୟନ୍ତ୍ରଣ କରିପାରିବେ କୌଣସି ବି ବୈଦ୍ୟୁତିକ ଉପକରଣ

733

କନକ ବ୍ୟୁରୋ:ତାଳି ମାରିଲେ ଜଳିବ ଲାଇଟ୍ ଏବଂ ବୁଲିବ ଫ୍ୟାନ ଆଉ ଟିଭି ବି ଚାଲିବ । ଏଣିକି ଆପଣଙ୍କୁ ଆଉ ବୋର୍ଡ କିମ୍ବା ସୁଇଚ୍ ନିକଟକୁ ଯିବାକୁ ପଡିବନି । କେବଳ ତାଳି ମାରିଦେଲେ ହିଁ ଆପଣଙ୍କ ଘରେ ଥିବା ସମସ୍ତ ବୈଦୁତିକ ଉପକରଣ ଆପଣା ଛାଏଁ ବନ୍ଦ ହୋଇଯିବ ଏବଂ ସକ୍ରିୟ ମଧ୍ୟ ହୋଇଯିବ । ମାତ୍ର ୫ ଶହ ଟଙ୍କାରେ ଉପଲବ୍ଧ ଏଭଳି ହିଁ ଏକ ବିଦ୍ୟୁତ୍ ସର୍କିଟକୁ ତିଆରି କରିଛନ୍ତି ଜୟପୁର ବ୍ଲକ୍ ଆମ୍ବାଗୁଡା ଆଇଟିଆଇର ୨ୟ ବର୍ଷର ୧୫ ଜଣ ଛାତ୍ରଛାତ୍ରୀ । ତେବେ ଏହି ସର୍କିଟ୍ ଜରିଆରେ ଆପଣ ଗୋଟିଏ ସ୍ଥାନରେ ହିଁ ରହି ଏହିସବୁ କାମ ଅତି ସହଜରେ କରିପାରିବେ ।

ତେବେ ଏହି ବିଦ୍ୟୁତ୍ ସର୍କିଟର ନାଁ ରଖାଯାଇଛି କ୍ଲାପିଂ ଲାଇଟ୍ । ଏଥିରେ ଗୋଟିଏ ଆଇସି ତଥା ଇଣ୍ଟିଗ୍ରେଟେଡ ସର୍କିଟ୍, ଟ୍ରାନ୍ସଫର୍ମର, କେତୋଟି ବିଦ୍ୟୁତ କାପାସିଟର ଏବଂ ୧୨ ଭୋଲ୍ଟରର ପାୱାର ସପ୍ଲାଇ ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ଏହି ଉପକରଣଟିକୁ ତିଆରି କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ମାତ୍ର ୩ ଦିନ ଲାଗିଥିଲା । ତେବେ ଏହି ଉପକରଣର ବିଶେଷତ୍ୱ ହେଲା କି, ସୁଇଚ୍ ବୋର୍ଡ ପାଖକୁ ନ ଯାଇ ୫ ମିଟର ପରିସରରେ ରହି ଆପଣ କୌଣସି ବି ବୈଦ୍ୟୁତିକ ଉପକରଣକୁ କଣ୍ଟ୍ରୋଲ କରିପାରିବେ ।

ସାଧାରଣତଃ ଅଧିକାଂଶ ସମୟରେ ଆପଣ କବାଟ ବନ୍ଦ କରି ବାହାରକୁ ଆସିବା ପରେ ହିଁ ମନେ ପଡିଥାଏ କି ଘରର ପଂଖା, ଟିଭି, କିମ୍ବା ଲାଇଟର ସୁଇଚ ବନ୍ଦ ହୋଇନାହିଁ ବୋଲି । ତେଣୁ ଏଭଳି ପରିସ୍ଥିତିରେ ଆପଣ କବାଟ ନଖୋଲି ମଧ୍ୟ ବାହାରେ ରହି କେବଳ ତାଳି ମାରି ହିଁ ଏହି ସର୍କିଟ୍ ମାଧ୍ୟମରେ ଘରର ସମସ୍ତ ବୈଦ୍ୟୁତିକ ଉପକରଣକୁ ବନ୍ଦ କରିପାରିବେ ।