ମଝି ଆକାଶରେ ଥିଲା ଜେଟ୍ ଏୟାରୱେଜ୍ ବିମାନ : ହଠାତ୍ ଯାତ୍ରୀ ମାନଙ୍କ ନାକ ଓ କାନରୁ ବାହାରିଲା ରକ୍ତ

42

ଜେଟ୍ ବିମାନରେ ଯାତ୍ରା କରୁଥିବା ବେଳେ ଅଭାବନୀୟ ଘଟଣା । ବିମାନ ଯାତ୍ରା ସମୟରେ ଯାତ୍ରୀଙ୍କ ନାକ ଓ କାନରୁ ବାହାରିଲା ରକ୍ତ । ବିମାନ କର୍ମଚାରୀ ଅବହେଳା ବଶତଃ ଚାପ ସନ୍ତୁଳନ ରକ୍ଷାକାରୀ ସୁଇଚ୍ ଅନ୍ କରିବାକୁ ଭୁଲିଯିବାରୁ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି । ଏଭଳି ଅଭାବନୀୟ ଘଟଣା ଘଟିଛି, ଆଜି ସକାଳେ ମୁମ୍ବାଇରୁ ଜୟପୁର ଯାଉଥିବା ଜେଟ୍ ଏୟାରୱେଜ୍ର ବି୭୩୭ ବିମାନରେ । ମୁମ୍ବାଇରୁ ଉଡ଼ାଣ ପରେ ମଝି ଆକାଶରେ ଯାତ୍ରୀ ନିଃଶ୍ୱାସ ନେବାରେ ଅସୁବିଧା ଅନୁଭବ କରିଥିଲେ ଓ ୩୦ ଜଣ ଯାତ୍ରୀଙ୍କ ନାକ ଓ କାନରୁ ରକ୍ତ ବାହାରିବା ଦେଖିବାକୁ ମିଳିଥିଲା ।

କ୍ୟାବିନରେ ଚାପ କମିଯିବା କାରଣରୁ ଯାତ୍ରୀ ଅସୁସ୍ଥ ଅନୁଭବ କରିଥିଲେ । ଏହାପରେ ବିମାନକୁ ତୁରନ୍ତ ମୁମ୍ବାଇ ଫେରାଇ ଅଣାଯାଇଥିଲା ଓ ୧୬୬ଜଣ ଯାତ୍ରୀ, ୫ଜଣ କ୍ରିୟୁ ମେମ୍ବରଙ୍କୁ ସୁରକ୍ଷିତ ଭାବେ ବିମାନରୁ ବାହାର କରାଯାଇଥିଲା । ସୂଚନାଯୋଗ୍ୟ ଜେଟ୍ ଏୟାରବେଜ B737ର 9W 697 ଫ୍ଲାଇଟ୍ ମୁମ୍ବାଇରୁ ଜୟପୁର ଅଭିମୁଖେ ଯାଉଥିଲା । ଯାତ୍ରୀଙ୍କର ତୁରନ୍ତ ପ୍ରାଥମିକ ଚିକିତ୍ସା ଦିଆଯାଇଛି । ସଂପୃକ୍ତ କର୍ମଚାରୀଙ୍କୁ ହଟାଯାଇଥିବା ବେଳେ ଯାଂଚର ଆଦେଶ ଦେଇଛନ୍ତି ଜେଟ୍ କର୍ତୃପକ୍ଷ । ଯାତ୍ରୀଙ୍କ ପାଇଁ ବିକଳ୍ପ ବିମାନର ବ୍ୟବସ୍ଥା କରାଯାଇଛି ।

ଜେଟ୍‌ ଏୟାରୱେଜ୍ ଏକ ବକ୍ତବ୍ୟରେ କହିଛି, ବି ୭୩୭ ବିମାନଟି ସ୍ୱାଭାବିକ ଭାବେ ମୁମ୍ବାଇରେ ଅବତରଣ କରିଛି । ସବୁ ଯାତ୍ରୀଙ୍କୁ ନିରାପଦରେ ବିମାନରୁ ଓହ୍ଲାଇ ଦିଆଯାଇ ଟର୍ମିନାଲ୍‌କୁ ନିଆଯାଇଛି । କାନ ବିନ୍ଧା ଏବଂ ନାକରୁ ରକ୍ତ ପଡୁଥିବା ଅଭିଯୋଗ କରିଥିବା ଅଳ୍ପ କେତେକ ଯାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଛି । ତଦନ୍ତ ଚାଲୁଥିବାରୁ ବିମାନ କକ୍‌ପିଟ୍‌ର ଉକ୍ତ କ୍ରୁ’ଙ୍କୁ କାର୍ଯ୍ୟାନ୍ତର କରାଯାଇଛି । ସେ ବିମାନରେ ଥିବା ଯାତ୍ରୀମାନଙ୍କ ନିମନ୍ତେ ଏୟାର୍‌ଲାଇନ୍‌ ଅନ୍ୟ ଏକ ବିମାନ ବ୍ୟବସ୍ଥା କରୁଛି । ଯାତ୍ରୀମାନଙ୍କୁ ଅସୁବିଧାରେ ସମ୍ମୁଖୀନ କରାଇଥିବାରୁ ଜେଟ୍‌ ଏୟାରୱେଜ୍ ଦୁଃଖ ପ୍ରକାଶ କରୁଛି ।