ଜେଟ୍ ଏୟାରୱେଜର ବଡଦିନ ଅଫର ! ଟିକେଟ୍ ବୁକିଂ ଉପରେ ମିଳିବ ୩୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ।

69

ଆଗକୁ କ୍ରିସମାସ୍ ଏବଂ ନୂଆବର୍ଷ ଆସୁଥିବା ବେଳେ ବିଭିନ୍ନ ସଂସ୍ଥା ପକ୍ଷରୁ ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଅଫର ଘୋଷଣା କରାଯାଉଛି । ଘରୋଇ କ୍ଷେତ୍ରର ପ୍ରମୁଖ ଏୟାରଲାଇନ୍ସ ଜେଟ୍ ଏୟାରୱେଜ୍ ରବିବାର ସୀମିତ ସମୟ ପାଇଁ ନିଜ ଘରୋଇ ଏବଂ ଅନ୍ତରାଷ୍ଟ୍ରୀୟ ଉଡାଣ ଭଡାରେ ୩୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ନେଇ ଘୋଷଣା କରିଛନ୍ତି । ଜେଟ୍ ଏୟାରୱେଜ ଏକ ବିଜ୍ଞପ୍ତି ଜାରି କରିବା ସହ କହିଛି ଯେ, ମଙ୍ଗଳବାର ମଧ୍ୟ ରାତ୍ରି ପର୍ଯ୍ୟନ୍ତ କ୍ରିସମାସ୍ ଅଫର ଅନୁଯାୟୀ, ସମସ୍ତ ଟିକେଟ୍ ବୁକିଂ ଉପରେ ରିହାତି ମିଳିବ ।

ବିଜ୍ଞପ୍ତି ଅନୁଯାୟୀ, ଏହି ବିଶେଷ ରିହାତି, ଦୁଇ ପକ୍ଷର ଯାତ୍ରୀଙ୍କ ପାଇଁ ଉପଲବ୍ଧ ହୋଇଛି । ଏପରିକି ବିଜନେସ୍ ଏବଂ ଇକୋନୋମି ଉଭୟ ଶ୍ରେଣୀର ଯାତ୍ରୀ ଏହି ଅଫରର ଫାଇଦା ଉଠାଇପାରିବେ । ଅନ୍ତରାଷ୍ଟ୍ରୀୟ ଉଡାଣ ପାଇଁ ଏହି ରିହାତି ଜାନୁଆରୀ ମାସରୁ ଲାଗୁ ହେବ । ତେବେ ଜାତୀୟ ଗଣମାଧ୍ୟମରୁ ମିଲିଥିବା ରିପୋର୍ଟ ଅନୁଯାୟୀ, ଗତମାସ ଘରୋଇ ବିମାନଯାତ୍ରୀ ମାନଙ୍କର ସଂଖ୍ୟା ଜେଟ୍ ଏୟାରୱେଜରେ ୧୩.୩ ପ୍ରତିଶତରୁ ହ୍ରାସ ପାଇ ୧୨.୮ ପ୍ରତିଶତ ହୋଇଥିଲା । କ୍ଷତିରେ ଚାଲୁଥିବା ଜେଟ୍ ଏୟାରୱେଜ କମ୍ପାନୀର ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯିବା ସହ ଏହି ଅଫର ବାବଦରେ ସୂଚନା ଦିଆଯାଇଛି ।