ସୁପ୍ରିମକୋର୍ଟଙ୍କ ଜାମିନ ପରେ ବି ଛିଡୁନି ବିତ୍ତିହୋତ୍ରଙ୍କ ଅଡୁଆ ! ଆହୁରି ୩ ମାସ ରହିବେ ଜେଲରେ

28

କନକ ବ୍ୟୁରୋ : ଏବେ ଜେଲରୁ ମୁକୁଳିବେନି ବିତ୍ତିହୋତ୍ର ମହାନ୍ତି । ସୁପ୍ରିମକୋର୍ଟଙ୍କ ଜାମିନ ସତ୍ୱେ ଜେଲରୁ ମୁକୁଳିବେନି ବିତ୍ତିହୋତ୍ର । ପୂର୍ବତନ ହୋମଗାର୍ଡ ଡିଜି ବିଦ୍ୟାଭୂଷଣ ମହାନ୍ତିଙ୍କ ପୁଅ ବିତ୍ତିହୋତ୍ରଙ୍କୁ ମାର୍ଚ୍ଚ ୩୧ରେ ସୁପ୍ରିମକୋର୍ଟ ଜାମିନ୍ ପ୍ରଦାନ କରିଥିଲେ ।

କୋର୍ଟ ତାଙ୍କୁ ଜାମିନ୍ ଦେଇଥିଲେ ବି ପାରୋଲ୍ ଉଲ୍ଲଂଘନ ମାମଲା ଯୋଗୁ ତାଙ୍କୁ ଜେଲରୁ ମୁକୁଳିବାରେ ସମସ୍ୟା ହୋଇଛି । ଜର୍ମାନ୍ ମହିଳାଙ୍କୁ ଧର୍ଷଣ ମାମଲାରେ ରାଜସ୍ଥାନର ଜୟପୁର ସେଟ୍ରାଲ ଜେଲରେ ସଜା କାଟୁଥିବା ବିତ୍ତିଙ୍କୁ ଆଉ ତିନି ମାସ ଜେଲରେ ରହିବାକୁ ପଡିବ ବୋଲି ସୂଚନା ମିଳିଛି ।

ଏହି ମାମଲାରେ ବିତ୍ତିହୋତ୍ରଙ୍କୁ ୭ ବର୍ଷ ଜେଲ୍ ପରେ ପାରୋଲ ଉଲ୍ଲଂଘନ ଯୋଗୁ ଅଧିକ ତିନି ମାସ ସଜା କାଟିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ତେବେ ମୂଳ ମାମଲାରେ ମାର୍ଚ୍ଚ ୩୧ରେ ତାଙ୍କୁ ସୁପ୍ରିମକୋର୍ଟ ଜାମିନ୍ ପ୍ରଦାନ କରିଥିଲେ ବି ପାରୋଲ ଉଲ୍ଲଂଘନ ମାମଲାରେ ଜାମିନ୍ ମିଳିନାହିଁ । ð

ତେଣୁ ବିତ୍ତିହୋତ୍ରଙ୍କୁ ଜେଲରୁ ଛାଡିବାକୁ ଜୟପୁର ଜେଲ୍ ସୁପରିନଟେଣ୍ଡେଣ୍ଟ ମନା କରି ଦେଇଛନ୍ତି । ତେବେ ଏନେଇ ରାଜସ୍ଥାନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି ବିତ୍ତିଙ୍କ ଓକିଲ । ଯେହେତୁ ସୁପ୍ରିମକୋର୍ଟ ଜାମିନ୍ ପ୍ରଦାନ କରିସାରିଛନ୍ତି ଜେଲ୍ କର୍ତୃପକ୍ଷ ଯଦି ବିତ୍ତିଙ୍କୁ ନଛାଡନ୍ତି ଏହା କୋର୍ଟଙ୍କ ନିର୍ଦ୍ଦେଶର ଉଲ୍ଲଂଘନ ହେବ ବୋଲି ତାଙ୍କ ଓକିଲ କହିଛନ୍ତି ।

ତେବେ ଗତକାଲି ବିତ୍ତିହୋତ୍ରଙ୍କ ପରିବାର ସଦସ୍ୟ ଜୟପୁର ଜେଲରେ ତାଙ୍କୁ ଭେଟିବା ପାଇଁ ଯାଇଥିଲେ । ହେଲେ ବିତ୍ତିଙ୍କୁ ଭେଟିବା ପାଇଁ ପରିବାର ଲୋକଙ୍କ ଅନୁମତି ମିଳିନଥିବା ସୂଚନା ମିଳିଛି ।