ପୁରୀ : ସମୁଦ୍ର କୂଳରେ ଭିକ ମାଗୁଛନ୍ତି ଜିନ୍ସ ପିନ୍ଧା ଯୁବତୀ

65

କନକ ବ୍ୟୁରୋ : ଭିକ ମାଗୁଛନ୍ତି ଜିନ୍ସ ପିନ୍ଧା ଯୁବତୀ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ପୁରୀ ସମୁଦ୍ର କୂଳରେ ଆପଣ ଦେଖିବାକୁ ପାଇବେ ଏମିତି ଜିନ୍ସ ପିନ୍ଧା ଭିକାରୁଣୀ । ପ୍ରାୟ ୩୦ ଜଣ ଏମିତି ହାଇ ପ୍ରୋଫାଇଲ ଭିକାରୁଣୀ ପୋଲିସ ହାବୁଡରେ ପଡିବା ପରେ ଏହାକୁ ନେଇ ଚର୍ଚ୍ଚା ହୋଇଛି । ଖାଲି ସମୁଦ୍ର କୁଳ ନୁହେଁ, ପୁରୀର ବିଭିନ୍ନ ସ୍ଥାନରେ ଭିକ ମାଗୁଥିଲେ ଏହି ସବୁ ଯୁବତୀ ।

ଅଭିନବ ଉପାୟରେ ଭିକ୍ଷାବୃତି କରୁଥିବା ଏହି ଯୁବତୀ ମାନେ ପୁରୀର ଏକ ହୋଟେଲରେ ରହୁଥିଲେ । ନିଜର ଘର ବାତ୍ୟାରେ ଭାଙ୍ଗି ଯାଇଥିବା, କିମ୍ବା ପିଲାଙ୍କ ଖାଇବା ପାଇଁ ପଇସା ନାହିଁ ଦର୍ଶାଇ ଏମାନେ ଭିକ ମାଗୁଥିଲେ । ଏମାନଙ୍କ ଭିତରୁ ଆଉ କିଛି ନିଜକୁ ଆଧୁନିକ ବେଶ ପୋଷାକରେ ସଜାଇ ଭିନ୍ନ ଢଙ୍ଗରେ ଭିକ୍ଷାବୃତି କରୁଥିଲେ ।

ସମୁଦ୍ରକୁଳ ଗୁଣ୍ଡିଚା ମନ୍ଦିର, ଏପରିକି ମାଳତୀପାଟପୁର ଷ୍ଟେସନ୍ ପାଖରେ ମଧ୍ୟ ଏହି ଯୁବତୀମାନେ ଅଭିନବ ଉପାୟରେ ଭିକ୍ଷାବୃତି କରୁଥିଲେ । ତେବେ ଗତକାଲି କିଛି ଯୁବତୀଙ୍କୁ ସମୁଦ୍ରକୁଳ ଥାନା ପୋଲିସ ଧରିଥିବା ବେଳେ ଆଉ କିଛି ଚନ୍ଦନପୁର ଥାନା ପୋଲିସ ହାତରେ ପଡିଛନ୍ତି । ପଚରା ଉଚରା ପରେ ଏମାନେ ଗୁଜରାଟ ଅହମ୍ମଦାବାଦର ଓଢାଭ ଗାଁର ବାସିନ୍ଦା ବୋଲି ଜଣାପଡିଛି । ଏ ନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।