ବିହାର ମହାମେଂଟରେ ତେଜସ୍ୱୀ ତାତି ! ଜେଡିୟୁକୁ ଆରଜେଡିର ଖୋଲା ଚ୍ୟାଲେଂଜ, ପଦରୁ ଇସ୍ତଫା ଦେବେନି ଉପମୁଖ୍ୟମନ୍ତ୍ରୀ

29

କନକ ବ୍ୟୁରୋ : ବିହାରରେ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଇସ୍ତଫାକୁ ନେଇ ଆରଜେଡି ଓ ଜେଡିୟୁ ମଧ୍ୟରେ ତିକ୍ତତା ବୃଦ୍ଧି ପାଉଛି । ଯାହାକୁ ନେଇ ମହାମେଂଟରେ ସଂକଟ ଦେଖାଦେଇଛି । ଗୋଟିଏ ପଟେ ଜେଡିୟୁ ସ୍ପଷ୍ଟ କରିଛି ଯେ ଦୁର୍ନୀତି ବିବାଦରେ ଛନ୍ଦି ହୋଇପଡିଥିବା ତେଜସ୍ୱୀ ଯାଦବଙ୍କ ଇସ୍ତଫା ଛଡା ମୁଖ୍ୟମନ୍ତ୍ରୀ ନୀତୀଶଙ୍କୁ ଆଉ କିଛି ମଂଜୁର ନୁହେଁ ।

ସେପଟେ ଆରଜେଡି କିନ୍ତୁ ରୋକଠୋକ୍ କହିଛି ଯେ କୌଣସି ପରିସ୍ଥିତିରେ ବି ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେନି ତେଜସ୍ୱୀ । ଏଭଳି ପରିସ୍ଥିତିରେ ନୀତୀଶ ସରକାର ଠାରୁ ପରୋକ୍ଷରେ ସମର୍ଥନ ପ୍ରତ୍ୟାହାର ଚେତାବନୀ ଦେଇଛି ଆରଜେଡି । ମନେର ବିଧାୟକ ଭାଇ ବିରେନ୍ଦ୍ର କହିଛନ୍ତି, ଜେଡିୟୁ ଭୁଲିବା ଉଚିତ ନୁହେଁ ଯେ ଆରଜେଡି ପାଖରେ ୮୦ ବିଧାୟକ ଅଛନ୍ତି ।

ଏହା ସହ ଭାଇ ବିରେନ୍ଦ୍ର କହିଛନ୍ତି ଯେ ମହାମେଂଟରେ ସେଇଆ ହେବ, ଯାହା ଆମେ ଚାହିଁବୁ । ସେ କହିଛନ୍ତି ଯେ ଆରଜେଡିର ସମସ୍ତ ବିଧାୟକ ତେଜସ୍ୱୀଙ୍କ ପଛରେ ଅଛନ୍ତି ଓ କୌଣସି ମୂଲ୍ୟରେ ସେ ଇସ୍ତଫା ଦେବେନାହିଁ । ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ତରଫରୁ ତେଜସ୍ୱୀ ଯାଦବଙ୍କୁ ୪ ଦିନ ସମୟ ଦିଆଯାଇଥିଲା । କିନ୍ତୁ ଏହି ପ୍ରସଙ୍ଗରେ ଆରଜେଡି ପକ୍ଷରୁ ଜବାବ ଦିଆଯାଇଛି ଯେ ତାଙ୍କ ଦଳ କୌଣସି ବ୍ୟକ୍ତିର ପରାମର୍ଶରେ କାମ କରେନାହିଁ ।