ବରିଷ୍ଠ ଜେଡିୟୁ ନେତା ଶରଦ ଯାଦବ ଆରପାର ଲଢେଇ ଲଢିବା ମୁଡରେ : ନିଜ ସମର୍ଥକ ଗୋଷ୍ଠୀଙ୍କୁ ଏବେ ଅସଲି ଜେଡିୟୁ ଭାବେ ଉପସ୍ଥାପିତ କରିବାକୁ ପ୍ରସ୍ତୁତ

26

କନକ ବ୍ୟୁରୋ : ବରିଷ୍ଠ ଜେଡିୟୁ ନେତା ଶରଦ ଯାଦବ, ଆରପାର ଲଢେଇ ଲଢିବା ମୁଡରେ ଅଛନ୍ତି । ନିଜ ସମର୍ଥକ ଗୋଷ୍ଠୀଙ୍କୁ ଏବେ ଅସଲି ଜେଡିୟୁ ଭାବେ ଉପସ୍ଥାପିତ କରିବାକୁ ପ୍ରସ୍ତୁତ ହେଉଛନ୍ତି । ୧୪ଟି ରାଜ୍ୟର ଜେଡିୟୁ ଅଧ୍ୟକ୍ଷଙ୍କ ସମର୍ଥନ ଥିବା ସେ ଦାବି କରୁଛନ୍ତି । ଅନ୍ୟପଟେ ନୀତିଶ କୁମାରଙ୍କୁ ସମର୍ଥନ କେବଳ ବିହାରରେ ସୀମିତ ଥିବା କହିଛନ୍ତ ଶରଦ ଯାଦବଙ୍କ ସହଯୋଗୀ ଅରୁଣ ଶ୍ରୀବାସ୍ତବ ।

ଅରୁଣ ଶ୍ରୀବାସ୍ତବ କହିଛନ୍ତି, ଖୋଦ୍ ନୀତିଶ କୁମାର ବିହାରକୁ ଛାଡି ଦେଲେ, ଅନ୍ୟ ରାଜ୍ୟରେ ଜେଡିୟୁର ଅସ୍ତିତ୍ୱ ନାହିଁ । ତେଣୁ ଏବେ ସମୟ ଆସିଛି ବିହାରରେ ନୀତିଶ ନୂଆ ଦଳ ଗଠନ କରନ୍ତୁ । ଶ୍ରୀବାସ୍ତଙ୍କ ଦାବି ୪ ରାଜ୍ୟର ଜେଡିୟୁ ଅଧ୍ୟକ୍ଷ ପତ୍ର ଲେଖି ଶରଦଙ୍କୁ ସମର୍ଥନ ଜଣାଇଛନ୍ତି, ୨ ରାଜ୍ୟସଭା ସଦସ୍ୟ ଓ କିଛି ରାଷ୍ଟ୍ରୀୟ ପଦାଧିକାରୀଙ୍କ ସମର୍ଥନ ବି ଅଛି । ତେଣୁ ଶୀଘ୍ର ନିର୍ବାଚନ କମିସନଙ୍କ ପାଖରେ ଜେଡିୟୁ ତାଙ୍କ ଦଳ ବୋଲି ଦାବି କରିପାରନ୍ତି ।

ସେପଟେ ଏନଡିଏ ସହ ମେଂଟ ପାଇଁ ଜେଡିୟୁ ମୁଖିଆ ନୀତିଶ କୁମାର ପ୍ରସ୍ତୁତ ହେଉଛନ୍ତି । ଅଗଷ୍ଟ ୧୯ରେ ଜେଡିୟୁର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ବସୁଛି । ଏଥିରେ ଔପଚାରିକ ଭାବେ ଏନଡିଏ ସହ ମେଂଟ ସଂପର୍କରେ ଘୋଷଣା କରାଯିବାର ସମ୍ଭାବନା ରହିଛି । ବିହାରରେ ବିଜେପି ସହ ସରକାର ଗଢିବା ପରେ ଏବେ କେନ୍ଦ୍ରରେ ବିଜେପିର ଅଂଶୀଦାର ଭାବେ ସରକାରରେ ସାମିଲ ହେବାକୁ ଜେଡିୟୁ ମନ ବଳାଇଛି ।