ପେଟ୍ରୋଲ ଦର କନ୍ଦାଇଲା, କଲେଜ ବେଳର ସାଇକେଲ ଖୋଜା ପଡିଲା । ଜୟପୁରରେ ଗାଡି ଛାଡି ଲୋକେ ଚଳାଇଲେ ସାଇକେଲ

33

କନକ ବ୍ୟୁରୋ : ଅସ୍ତବ୍ୟସ୍ତ କଲାଣି ପେଟ୍ରୋଲ ଦର । ଦିନକୁ ଦିନ ପେଟ୍ରୋଲ ଦର ବଢି ବଢି ଚାଲିଥିବା ବେଳେ କମିବାର ନାଁ ନେଉନାହିଁ । ଆଉ ଯାହାର ପ୍ରଭାବ ସିଧାସଳଖ ସାଧାରଣ ଲୋକଙ୍କ ଉପରେ ପଡିଛି । ବାରମ୍ବାର ପେଟ୍ରୋଲ ଦରରେ ବୃଦ୍ଧି ଖାସକରି ମଧ୍ୟବିତ୍ତ ତଥା ଗରିବ ଲୋକମାନଙ୍କ ଉପରେ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । ଯାହାଫଳରେ ମୋଟରସାଇକେଲ ବଦଳରେ ପୁଣିଥରେ ସାଇକେଲ ଚଢିବା ଆରମ୍ଭ କରିଛନ୍ତି ସାଧାରଣ ଲୋକେ ।

ଖାଲି ହେଉ ଯାଉଛି ପକେଟ, କିନ୍ତୁ ଟାଙ୍କିରେ ଭର୍ତ୍ତି ହେଉନି ତେଲ । ଲଗାତାର ପେଟ୍ରୋଲ ଦର ବୃଦ୍ଧି ଫଳରେ ସାଇକେଲ ମୁହାଁ ହୋଇଛନ୍ତି ସାଧାରଣ ଲୋକେ । ଏପରିକି ରାଜ୍ୟର କିଛି ସ୍ଥାନରେ ପେଟ୍ରୋଲ ଦର ୮୦ ଛୁଇଁଛି । ରାଜ୍ୟର ଉପାନ୍ତ ଅଞ୍ଚଳ କୁହାଯାଉଥିବା ଜୟପୁରରେ ପେଟ୍ରୋଲ ଦର ଲିଟର ପିଛା ୮୧ ଟଙ୍କା ୩୫ ପଇସାରେ ପହଞ୍ଚିଛି । ଜୟପୁରରେ ତେଲର ତାତି ଏଭଳି ଭାବେ ଗ୍ରାହକଙ୍କ ଉପରେ ପ୍ରଭାବ ପକାଇଛି ଯେ, ଲୋକେ ମୋଟରସାଇକେଲ ଚଲାଇବା ଛାଡି ଦେଇଛନ୍ତି । ମୋଟର ସାଇକେଲ ବଦଳରେ ଯାତାୟତର ନୂଆ ମାଧ୍ୟମ ପାଲଟିଛି ସାଇକେଲ ।

କିଛି ଦିନ ପୂର୍ବେ ବଜାରରୁ ଏକରକମ ସାଇକେଲ ହଜିଯାଇ୍ଥିବା ବେଳେ ଏବେ ତେଲ ତାତି ପରେ ପୁଣିଥରେ ବଜାରକୁ ଫେରିଛି ସାଇକେଲ । ଜୟପୁର ସହରରେ ଅଧିକାଂଶ ଲୋକଙ୍କ ହାତରେ ଏବେ ଦେଖିବାକୁ ମିଳୁଛି ଖଣ୍ଡେ ଖଣ୍ଡେ ସାଇକେଲ । ଏନେଇ କିଛି ଲୋକ କହିଛନ୍ତି, ଅଭାବୀ ସଂସାର ଉପରେ ପେଟ୍ରୋଲର ଦର ଯେଉଁଭଳି ବଢି ଚାଲିଛି ସେଥିପାଇଁ ମୋଟରସାଇକେଲ ଛାଡି ସାଇକେଲ ଚଳାଇବାକୁ ବାଧ୍ୟ ହେଉଛୁ । ଏପରିକି କଲେଜ ସମୟର ସାଇକେଲକୁ ପୁଣିଥରେ ମରାମତି କରି ଚଳାଇବାକୁ ପଡୁଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପେଟ୍ରୋଲ ଦର ବୃଦ୍ଧି ନେଇ ଅନେକ ଭାଷଣବାଜି କରୁଛନ୍ତି କିନ୍ତୁ ସବୁ ପରେ ମଧ୍ୟ ଫଳ ଶୂନ । ଗୋଟିଏ ପଟେ ମୋଦି ସରକାର ଦେଶରେ ବୁଲେଟ ଟ୍ରେନ ଚଲାଇବା କଥା କହୁଥିବା ବେଳେ ଅନ୍ୟପଟେ ପେଟ୍ରୋଲ ଦର ବୃଦ୍ଧି ଯୋଗୁଁ ଲୋକମାନେ ଗାଡି ଛାଡି ପୁଣିଥରେ ସାଇକେଲକୁ ଆପଣାଇ ନେଲେଣି ।