ଚାଷୀ ମୁହଁରେ ଫୁଟିଲା ହସ, ପାହାଡର ଛାତି ଚିରି ତିଆରି ହେଲା କେନାଲ ! ସରିଲା ବହୁ ପ୍ରତୀକ୍ଷିତ ତେଲିଙ୍ଗିରି ପ୍ରକଳ୍ପ କାମ

99

କନକ ବ୍ୟୁରୋ : ପାହାଡ଼ ଖୋଲି ତିଆରି ହେଲା କେନାଲ । ସରିଲା ବହୁ ପ୍ରତୀକ୍ଷିତ ତେଲିଙ୍ଗିରି ପ୍ରକଳ୍ପ କାମ । ରବି ପାଇଁ ୭ହଜାର ୫ଶହ ହେକ୍ଟର ଜମିକୁ ମିଳିଲା ପରୀକ୍ଷା ମୂଳକ ପାଣି । ମୁଖ୍ୟମନ୍ତ୍ରୀଙ୍କ ଉଦଘାଟନ ପରେ ୯ ହଜାର ୯୦୦ ହେକ୍ଟର ଜମିକୁ ମିଳିବ ପାଣି । ଉଦଘାଟନ ପାଇଁ ଚାଲିଛି ଜୋର ସୋର ପ୍ରସ୍ତୁତି ।

ଭିତ୍ତିପ୍ରସ୍ଥର ପଡ଼ିବାର ୧୭ ବର୍ଷ ପରେ କାର୍ଯ୍ୟକ୍ଷମ ହେବ ତେଲିଙ୍ଗିରି ପ୍ରକଳ୍ପ । ପରୀକ୍ଷାମୂଳକ ଭାବେ ୭ ହଜାର ୫୦୦ ହେକ୍ଟର ଜମିରେ ମାଡିଲା ପାଣି । ବିଳମ୍ବରେ ହେଉ ପଛେ ଚାଷୀଙ୍କ ମୁହଁରେ ଫୁଟିଲା ହସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ତେଲେଙ୍ଗିରୀ ପ୍ରକଳ୍ପ ଉଦଘାଟିତ ହେବା ପରେ ରବି ଚାଷ ପାଇଁ ଚାଷୀ ପାଇବେ ପାଣି ।

କୋରାପୁଟ ଜୟପୁର ବ୍ଳକ ରାଣିଗଡ଼ ଠାରେ ମଧ୍ୟମ ଜଳସେଚନ ତେଲିଙ୍ଗିରି ପ୍ରକଳ୍ପ ନିର୍ମାଣ କରିଛନ୍ତି ରାଜ୍ୟ ସରକାର । ଏହି ପ୍ରକଳ୍ପ ଦ୍ୱାରା ଜୟପୁର ବ୍ଳକର ରାଣିଗଡ଼ ଓ କେବିଡ଼ି ପଂଚାୟତ ଏବଂ ବୋରିଗୁମ୍ମା ବ୍ଳକର ୩୦ଟି ପଂଚାୟତର ଚାଷ ଜମିକୁ ପାଣି ମାଡ଼ିବ । ଜଳସେଚିତ ହେବ ୯୯୫୨ ହେକ୍ଟର ଚାଷ ଜମି । ମୁଖ୍ୟ କେନାଲ, କ୍ଷୁଦ୍ର କେନାଲ ଓ ଅତିକ୍ଷୁଦ୍ର କେନାଲ ଯୋଗେ ଚାଷୀଙ୍କ ଜମିରେ ପାଣି ପହଂଚିବ । ଚାଷୀ ବର୍ଷକୁ ଦୁଇ ଥର ଖରିଫ ଓ ରବି ଚାଷ କରିପାରିବେ ।

ତେଲିଙ୍ଗିରି ପ୍ରକଳ୍ପ ପାଇଁ ୨୦୦୨ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତିପ୍ରସ୍ତର ସ୍ଥାପନ କରିଥିଲେ । ପାହାଡ଼ ଖୋଳି କେନାଲ କରିବା ପ୍ରସାଶନ ପାଇଁ କଷ୍ଟ ସାଧ୍ୟ ହୋଇଥିଲା । ସେଥିପାଇଁ ବାରମ୍ବାର ଡିଜାଇନ୍ ବଦଳା ଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ୧୦୬ କୋଟି ୧୮ଲକ୍ଷ ଟଙ୍କାର ଖର୍ଚ୍ଚ ଆକଳନ କରାଯାଇଥିଲା । ୨୦୦୭ ସୁଦ୍ଧା ପ୍ରକଳ୍ପ ନିର୍ମାଣ କାମ ସରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା । ହେଲେ ପାହାଡ଼ିଆ ରାସ୍ତା ସାଙ୍ଗକୁ କେନାଲ ନିର୍ମାଣ ଯୋଗୁଁ କାମ ସମ୍ପୁର୍ଣ୍ଣ ହେବା ପାଇଁ ୧୭ ବର୍ଷ ଲାଗିଲା ।

ସମୟ ବଢିବା ସହ ଖର୍ଚ୍ଚ ମଧ୍ୟ ୧ହାଜର କୋଟି ଟପିଗଲା । ତେଲିଙ୍ଗିରି ପ୍ରକଳ୍ପ ପାଇଁ ୭ଟି ଗାଁ ବିସ୍ଥାପିତ ହୋଇଛି । ଗାଁ ସିନା ବିସ୍ଥିପିତ ହେଲା, ପ୍ରକଳ୍ପ ସଠିକ୍ ଭାବେ କାର୍ଯ୍ୟକ୍ଷମ ହେଲେ ଚାଷୀଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ତେଲିଙ୍ଗିରି ବର୍ତ୍ତମାନ ପ୍ରକଳ୍ପ କାମ ସରି ଥିବା ବେଳେ ପରିକ୍ଷା ମୁଳକ ପାଣି ମିଳିବା ପରେ ଚାଷୀ ମୁହଁରେ ଆନନ୍ଦ ଖେଳିଯାଇଛି । କିନ୍ତୁ କେତେ ଦିନ ପାଣି ମିଳିବ, ଆଉ ଡ଼ିପ ଜମି କିପରି ଜଳସେଚିତ ତାକୁ ହିଁ ଅପେକ୍ଷା ।