ପଦାରେ ପଡିଲା ଶିକ୍ଷା ବ୍ୟବସ୍ଥାର ପ୍ରକୃତ ଛବି : ବର୍ଷା ହେଲେ ସ୍କୁଲ ବନ୍ଦ ସହ ମଧ୍ୟାହ୍ନ ଭୋଜନ ବି ବନ୍ଦ

52

କନକ ବ୍ୟୁରୋ : ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ଲାଗି ଅନେକ ଯୋଜନା କରୁଛନ୍ତି । ତେବେ ପରିସ୍ଥିତି ଯଥା ପୂର୍ବଂ ତଥା ପରଂ ପରି ରହିଛି । ଗ୍ରୀଷ୍ମ ଅବକାଶ ପରେ ରାଜ୍ୟ ସରକାର ବିଦ୍ୟାଳୟ ଖୋଲିଲେ । ତେବେ ପୁଣି ଥରେ ବିଦ୍ୟାଳୟ ବନ୍ଦ କରିବା ଭଳି ପରିସ୍ଥିତି ଉପୁଜିଛି । ପ୍ରଥମେ ବିଦ୍ୟାଳୟ ଖୋଲିବାକୁ ଥିବା ନିର୍ଦ୍ଧାରି୍ତ ତାରିଖର ୧୦ ଦିନ ପରେ ଖୋଲାଗଲା । କାରଣ ରାଜ୍ୟରେ ଅତ୍ୟଧିକ ଗ୍ରୀଷ୍ମ ପ୍ରଭାବ ହେବାରୁ ପିଲାମାନଙ୍କ ସୁରକ୍ଷା ଲାଗି ଛୁଟି ଅବଧି ବଢାଇଥିଲେ ରାଜ୍ୟ ସରକାର । ପୁଣି ଥରେ ବର୍ତ୍ତମାନ ପିଲାମାନଙ୍କ ପାଠପଢା ବ୍ୟାଘତ ହେଲେ ବର୍ଷ ଶେଷ ସୁଦ୍ଧା ସମସ୍ତ ପାଠ୍ୟକ୍ରମ ଶେଷ ହୋଇନପାରେ ବୋଲି ଶିକ୍ଷକ ଓ ଶିକ୍ଷୟତ୍ରୀମାନେ କହିଛନ୍ତି । ଏପରି କହିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗତ କିଛି ଦିନ ହେବ ସାରା ରାଜ୍ୟରେ ପ୍ରବଳ ବର୍ଷ ଲାଗି ରହିଛି । ଏପଟେ ଅଧିକାଂଶ ବିଦ୍ୟାଳୟରେ ପାଠପଢା ବ୍ୟାଘତ ହେଉଥିବା ଦେଖାଯାଉଛି । ତେବେ ରାଜ୍ୟର କିଛି ନିର୍ଦ୍ଧିଷ୍ଟ ବିଦ୍ୟାଳୟରେ କାନ୍ଥରୁ ଓ ଛାତରୁ ପାଣି ପଡୁଥିବାରୁ ପିଲାମାନେ ପାଠ ପଢିପାରୁ ନାହାନ୍ତି । ଜୟପୁର ଅଞ୍ଚଳର କୁନ୍ଦାରିଗିନା ବିଦ୍ୟାଳୟରେ ମୋଟ ୧୪୬ ପିଲା ପାଠ ପଢୁଛନ୍ତି । ପିଲାମାନଙ୍କ ପାଠପଢାଇବା ପାଇଁ ୪ ଜଣ ଶିକ୍ଷୟତ୍ରୀ ମଧ୍ୟ ଅଛନ୍ତି ।

କିନ୍ତୁ ଦୁଃଖର ବିଷୟ ହେଲା ବର୍ଷା ଋତୁ ଆରମ୍ଭ ହେଲେ ବିଦ୍ୟାଳୟରେ ପାଠପଢୁଥିବା ପିଲାମାନଙ୍କୁ ହଇରାଣ ହେବାକୁ ପଡିଥାଏ । ଏପରିକି ପିଲାମାନେ ନିଜର ଉପସ୍ଥାପନ ଛିଡା ହୋଇ ଦେବାକୁ ପଡୁଛି । କେବଳ ଏତିକି ନୁହେଁ ବରଂ ଛପରରୁ ପାଣି ପଡୁଥିବାରୁ ତାହା ତଳେ ଗରା ଓ ହାଣ୍ଡି ରଖି କିପରି ଭାବରେ ପାଣି ପୂରିବ ଏବଂ ତାହାକୁ ବାହାରେ ନେଇ ପକାଇ ଆସିବେ ତାହା ଉପରେ ପିଲାମାନେ ଧ୍ୟାନ ଦେଉଛନ୍ତି । ଯାହା ଲାଗି ପିଲାମାନଙ୍କ ପାଠ ପଢା ବ୍ୟାଘତ ହେଉଥିବା ଶିକ୍ଷୟତ୍ରୀ ଗୌରୀପଣ୍ଡା କହିଛନ୍ତି । ବର୍ଷାପାଣି ଖାଇ କାନ୍ଥ କେତେବେଳେ ଭୁଶୁଳିପଡିବ ତାହା କେହି କହିପାରିବେ ନାହିଁ । ପ୍ରତ୍ୟେକ ଦିନ ପିଲାମାନେ ଏହିପରି ଭାବରେ ହଇରାଣ ହେଉଥିବା ଜଣାପଡିଛି । ଅତ୍ୟଧିକ ବର୍ଷା ହେଲେ ବାଧ୍ୟ ହୋଇ ବିଦ୍ୟାଳୟ ବନ୍ଦ କରିବା ପାଇଁ ଆମେ ବାଧ୍ୟ ହେଉଛୁ ବୋଲି ଶିକ୍ଷୟତ୍ରୀ କହିଛନ୍ତି । ତେବେ ଏନେଇ ଅନେକ ଥର ଉଚ୍ଚ ପଦସ୍ଥ ଅଧୀକାରିମାନଙ୍କୁ ଜଣାଇଥିଲେ ମଧ୍ୟ କେହି ଶୁଣୁନାହାନ୍ତି । ଆମେ ମାନେ ପିଲାମାନଙ୍କ ସରକ୍ଷାକୁ ଦୃଷ୍ଟିରେ ରଖି ବର୍ଷା ହେଲେ ବିଦ୍ୟାଳୟ ବନ୍ଦ କରିଦେଉଛୁ ବୋଲି କହିଛନ୍ତି ଶିକ୍ଷୟତ୍ରୀ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯଦି ସଦର ଅଞ୍ଚଳରେ ଏପରି ଅବସ୍ଥା ତେବେ ଉପାନ୍ତ ଅଞ୍ଚଳରେ ପରିସ୍ଥିତି କିପରି ଥିବ ସେନେଇ କଳ୍ପନା କରାଯାଇ ପାରେ । ମାଳମାଳ ଯୋଜନା କରାଯାଉଛି କିନ୍ତୁ ତାହା କେତେ ଦୂର କାର୍ଯ୍ୟକାରୀ ହେଉଛି ତାହାର ଜବାବ କାହାରି ପାଖରେ ନଥିବା ସାଧାରଣ ଲୋକମାନେ କହିଛନ୍ତି ।