ଜୟପୁରରେ ଗୋଟିଏ ରାସ୍ତାକୁ ୨ଥର ଟେଣ୍ଡର କରି ଅର୍ଥ ହରିଲୁଟ ଅଭିଯୋଗ !  ତାରା ପ୍ରସାଦ ବାହିନୀପତି ଟେଣ୍ଡର ପ୍ରକ୍ରିୟାକୁ ବିରୋଧ କରିବାରୁ ପୌରପରିଷଦ ବୈଠକରେ ହୋହାଲ୍ଲା

36

କନକ ବ୍ୟୁରୋ : ହୋହାଲ୍ଳା ପାଟିତୁଣ୍ଡରେ ରହିଲା ବୈଠକ । ରାଜନୀତିର ପ୍ରିୟାପ୍ରୀତିରେ ଛନ୍ଦି ହୋଇଗଲା ଜୟପୁରର ବିକାଶ । ୨୦୧୯ ନିର୍ବାଚନକୁ ନଜରରେ ରଖି ଏବେ ବିକାଶ ଚିନ୍ତା  କରିଛି ପୌରପରିଷଦ । ଏତେ ଚିନ୍ତା ଯେ, ଗୋଟିଏ ରାସ୍ଥା ପାଇଁ ୨ ଥର ଟେଣ୍ଡର କରାଯାଇଛି  । ୨ ଭାଗ ହୋଇଯାଇଛନ୍ତି ବିଜେଡ଼ି କାଉଁସିଲର ।

ଅଳିଆ ଆବର୍ଜନାରେ ଭର୍ତ୍ତି କୋରାପୁଟ ଜୟପୁର ସହର । କେବଳ ସ୍ୱଚ୍ଛତା ନୁହେଁ ସହରରେ ପିଇବା ପାଣିର ବି ଘୋର ସମସ୍ୟା ରହିଛି । ସେପଟେ ସହରର ବିକାଶ ନାମରେ ଅର୍ଥକୁ ଲୁଟୁଛନ୍ତି ଲୋକପ୍ରତିନିଧି । ୨୮ ଟି ୱାର୍ଡ଼ ବିଶିଷ୍ଟ ଜୟପୁର ପୌରପରିଷଦରେ ୨୦୧୫-୧୬,ରେ ମହାଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ଏବେ ପୁଣି ସେମିତି ଏକ ଅଭିଯୋଗ ଆସିଛି । ବିକାଶ ନାଁରେ ଗୋଟିଏ ରାସ୍ତାକୁ ୨ ଥର ଟେଣ୍ଡର କରି ଅର୍ଥ ହରିଲୁଟ କରାଯାଇଛି । ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ପୌରପରିଷଦର ଟେଣ୍ଡର ପ୍ରକ୍ରିୟାକୁ ବିରୋଧ କରିବାରୁ ପୌରପରିଷଦର ବୈଠକରେ ହୋହାଲ୍ଲା ହୋଇଥିଲା ।

ଗୋଟିଏ ରାସ୍ତା ପାଇଁ  ୨ ଥର ଟେଣ୍ଡର କରାଯିବା ପ୍ରସଂଗରେ ହୋଇଥିବା ବୈଠକରେ ଏହାକୁ ବିରୋଧ କରି ଜୟପୁର ବିଧାୟକ ସ୍ୱର ଉତଳନ କରିଥିଲେ । ତାରା ପ୍ରସାଦଙ୍କ ମତକୁ କିଛି ବିଜେଡ଼ି କାଉଁସିଲର ସମର୍ଥନ କରିଥିବା  ବେଳେ ଅଧିକାଶଂ ବିଜେଡ଼ି କାଉଁସିଲର  ବିରୋଧ କରିଥିଲେ । ଫଳରେ ବୈଠକ ଅଧାରୁ ବନ୍ଦ କରାଯାଇଥିଲା ।  ଜୟପୁର ପୌରପରିଷଦର ୯୫ଟି ଫାଇଲକୁ ଦୁର୍ନୀତି ଅଭିଯୋଗରେ ତଦନ୍ତ ପାଇଁ ଭିଜିଲାନ୍ସ ଆଣିଛି, ଅତିଶୀଘ୍ର ତଦନ୍ତ ସରିବ ବୋଲି ଭିଜିଲାନ୍ସ ଏସପି କହିଛନ୍ତି । ପୌରପରିଷଦରେ ହୋଇଥିବା ଭୁଲକୁ ସୁଧାରି ଦିଆଯାଇଛି ବାଲି ପୌରପରିଷଦର ଭାଇସ ଚେୟାରମ୍ୟାନ କହିଛନ୍ତି ।