ପଥର ତଳେ ଚାପି ହୋଇଥିବା ଦୁଇ ଜଣଙ୍କ ଉଦ୍ଧାର ପାଇଁ ବିସ୍ଫୋରଣ କରିବ ସେନା ! ଗାଁ ଲୋକଙ୍କ ସହ ଜିଲ୍ଲା ପ୍ରଶାସନର ବୈଠକ ପରେ ନିଷ୍ପତ୍ତି

19

କନକ ବ୍ୟୁରୋ : ରାଣୀଗଡ ପାହାଡରେ ପ୍ରଶାସନର ସବୁ ଉଦ୍ୟମ ଫେଲ ମାରିବା ପରେ ଉଦ୍ଧାର ପାଇଁ ଘଟଣାସ୍ଥଳରେ ପହଂଚିନ୍ତି ସେନାର ଟିମ୍ । ବିହାରର ରାଂଚିରୁ ଏହି ଆର୍ମି ଇଂଜିନିରିଂ ଟିମ୍ ଘଟଣାସ୍ଥଳରେ ପହଂଚିବା ପରେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହାସହ ରାଣୀଗଡ ପଂଚାୟତ କାର୍ଯ୍ୟାଳୟରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି ପ୍ରଶାସନ ଓ ସେନା । ଏହି ବୈଠକରେ ଏସପି, ଜିଲ୍ଲାପାଳ ଏବଂ ସେନା ଇଂଜିନିଅରିଂ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ । ଘଟଣାସ୍ଥଳରୁ ୧ କିଲୋମିଟର ପର୍ଯ୍ୟନ୍ତ ମଣିଷ ଗାଈଗୋରୁ ନରହିବାକୁ କୁହାଯାଇଛି । ବିସ୍ଫୋରଣ କରି ଚାପିହୋଇଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରାଯିବ ବୋଲି ନିଷ୍ପତ୍ତି ହୋଇଛି । ତେବେ ଦ୍ୱିତୀୟ ପର୍ଯ୍ୟାୟ ବୈଠକ ପରେ କେତେବେଳେ ବିସ୍ଫୋରଣ କରାଯିବ ତାର ନିଷ୍ପତ୍ତି ହେବ ।

ସେପଟେ ଜୟପୁରର ପୂର୍ବତନ ଉପଜିଲ୍ଲାପାଳ ବେଆଇନ ଖନନ ହେଉଥିବା ନେଇ ଥାନାରେ ଦେଇଥିବା ଏତଲାର ଜୋରେସାର ତଦନ୍ତ ଆରମ୍ଭ ହୋଇଛି । ଘଟଣାର ତଦନ୍ତ ହୋଇ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି କୋରାପୁଟ ଏସପି କନୱର ବିଶାଳ । ପୂର୍ବରୁ ଓଡ୍ରାଫ, ଏନଡିଆରଏଫ ଓ ପୁଲିସର ମିଳିତ ବାହିନୀ ବି ଫେଲ ମାରିଛି । ରାୟପୁରରୁ ଆସିଥିବା ଅତ୍ୟାଧୁନିକ ମେସିନରେ ମଧ୍ୟ ଉଦ୍ଧାର କରା ଯାଇପାରିଲା ନାହିଁ । ଉଦ୍ଧାର ପାଇଁ ଯେକେହି ବି ଆସିଲେ ସ୍ଥିତି ଦେଖି ହାତ ଟେକିଦେଲେ । ଫଳରେ ପ୍ରଶାସନ ନିରୁପାୟ ହୋଇ ପଥର ତଳେ ଚାପି ହୋଇରହିଥିବା ଜେସିବି ଅପରେଟରଙ୍କୁ ଉଦ୍ଧାର କରିବା ପାଇଁ ସେନାର ସହାୟତା ଲୋଡିଥିଲା । ଏବେ ଏହି ଘଟଣାକୁ ୭ ଦିନ ବିତିଯାଇଥିବା ବେଳେ ବଡ ବଡ ପଥର ତଳେ ଦୁଇ ଜଣ ଜେସିବି ଅପରେଟର ଚାପି ହୋଇ ରହିଛନ୍ତି ।