ବିଚାରପତିଙ୍କ ଆଗରେ ହାଜର ହେଲେ ଆଇପିଏସ୍ ଜୟଦୀପ ନାୟକ

52

କଟକ ବ୍ୟୁରୋ, କନକ ନ୍ୟୁଜ୍ : ଦୁର୍ନୀତି ଅଭିଯୋଗରେ ବନ୍ଧା ହୋଇଥିବା ଆଇପିଏସ୍ ଅଫିସର ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟ ବିଚାରପତିଙ୍କ ଆବାସିକ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି । ୮୮ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଗିରଫ ଆଇପିଏସ୍ ଅଫିସର ଜୟଦୀପ ନାୟକଙ୍କୁ ଟ୍ରାଂଜିଟ୍ ରିମାଣ୍ଡରେ ଆଣାଯାଇଛି । ଉତରପ୍ରଦେଶର ଗାଜିଆବାଦରୁ ଗତକାଲି ଗିରଫ କରିଥିଲା ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍ । ତେବେ ଗାଜିଆବାଦ ସିଜିଏମ୍ କୋର୍ଟରେ ହାଜର କରିବା ପରେ ଆଜି ଟ୍ରାଞ୍ଜିଟ୍ ରିମାଣ୍ଡରେ ଓଡ଼ିଶା ଅଣିଛି ଭିଜିଲାନ୍ସ । ଜୟଦୀପ ନାୟକ ୨୦୧୫ରେ ଏସ୍ସିଏସ୍ଟି ପ୍ରେଟେକ୍ସନ ସେଲରେ ଆଇଜି ଥିବା ବେଳେ ୮୮ ଲକ୍ଷର ଦୁର୍ନୀତି କରିଥିବା ନେଇ ସ୍ପେଶାଲ ଅଡିଟ୍ ବେଳେ ଜଣାପଡିଥିଲା । ଏହି ଦୁର୍ନୀତି ଧରାପଡ଼ିବା ପରେ ଭିଜିଲାନ୍ସ ସେଲ ପକ୍ଷରୁ ଜୟଦୀପଙ୍କ ସମେତ ୬ ଜଣଙ୍କ ନାଁରେ ଠକେଇ ମାମଲା ରୁଜୁ ହୋଇଥିଲା । ପୂର୍ବରୁ ଏହି ମାମଲାରେ ଏଚ୍ଆରପିସିର ପୂର୍ବତନ ଷ୍ଟେନୋ ପ୍ରଚେତ କୁମାର ମିଶ୍ର, ଆଡିସିନାଲ ଏସ୍ପି ବସନ୍ତ କୁମର ପ୍ରଧାନ, ଆକ୍ସିସ୍ କଂପ୍ୟୁଟର ଆଶୁତୋଷ ମିଶ୍ର ଓ ଚଣ୍ଡି ଚରଣ ପଟ୍ଟନାୟକ ଏବଂ ଦେବ୍ ଗ୍ରାଫିକ୍ସର ମମତା ରାଉତଙ୍କୁ ଗରିଫ କରାଯାଇଥିଲା।

ସେପଟେ ଜୟଦୀପଙ୍କୁ ୪ ଦିନ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା ଭିଜିଲାନ୍ସ । କିନ୍ତୁ ରିମାଣ୍ଡରେ ଆବେଦନ ଶୁଣାଣି କାଲିକୁ ଘୁଂଚିଲା । ତେଣୁ ଆଜି ଜୟଦୀପଙ୍କୁ ଚୌଦ୍ୱାର ଜେଲ ପଠାଯିବ ।