ଜଗନ୍ନାଥ ଦର୍ଶନ, ବିଜୁବାବୁଙ୍କ ସମାଧୀରେ ଶ୍ରଦ୍ଧାଂଜଳି ଦେଲେ ସାଂସଦ : ପରବର୍ତ୍ତୀ ପଦକ୍ଷେପ ପାଇଁ ଅଂଟା ଭିଡିଲେ ବୈଜୟନ୍ତ ପଣ୍ଡା

31

କନକ ବ୍ୟୁରୋ :  ବିଜେଡିରୁ ବୈଜୟନ୍ତ ବିଦା ହେବା ପରେ ଟ୍ୱିଟ୍ ଯୋଗେ ଯେଉଁ ବାର୍ତା ରଖିଥିଲେ, ଠିକ୍ ସେହି ଅନୁସାରେ ଆଗକୁ ବଢିଛନ୍ତି କେନ୍ଦ୍ରାପଡ଼ା ସାଂସଦ । ଜଗନ୍ନାଥଙ୍କ ଦର୍ଶନ ପରେ ବିଜୁ ବାବୁଙ୍କ ସମାଧି ପୀଠରେ ଶ୍ରଦ୍ଧାଞ୍ଜଳି ଦେଇ, ବିଜେଡି ବିରୁଦ୍ଧରେ ଲଢ଼େଇ ଲଢ଼ିବାକୁ ବାହାରି ଆସିଛନ୍ତି ବୈଜୟନ୍ତ ପଣ୍ଡା । ମୋଦି ଏବଂ ବିଜେପି ସରକାରଙ୍କୁ ଅନେକ ସମୟରେ ଖୋଲାଖୋଲି ପ୍ରଶଂସା କରୁଥିବା ବୈଜୟନ୍ତ ପଣ୍ଡା, ଶଙ୍ଖ ବଦଳରେ ପଦ୍ମକୁ ବାଛି ନେବେ କି? ବୈଜୟନ୍ତ ଓ ବିଜେଡି ବିବାଦ ପଟ୍ଟଭୂମୀରେ ଏବେ ଓଡ଼ିଶାର ରାଜନୀତି କଡ଼ ଲେଉଟାଉଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ବିଜେପିକୁ ଅଛୁଆଁ ବୋଲି ବି ଗ୍ରହଣ କରି ନାହିଁନ୍ତି କେନ୍ଦ୍ରପଡ଼ା ସାଂସଦ ।

ଗୋଳମାଳିଆ ପରିସ୍ଥିତି ଥିବାରୁ ଏବେ କିଛି ସ୍ପଷ୍ଟ କହିବାକୁ ସାଂସଦ ମଙ୍ଗୁ ନାହାଁନ୍ତି ସତ, କିନ୍ତୁ ବିଜେପିକୁ ନଯିବା ନେଇ ମଧ୍ୟ ଖୋଲାଖୋଲି କହୁ ନାହାଁନ୍ତି । ଆଉ ଏହାରି ଭିତରେ ପୁଣି ସିଧାସଳଖ ବିଜେଡିର ଦଳୀୟ ସମ୍ବିଧାନ ଉପରେ ଉଠାଇଛନ୍ତି ପ୍ରଶ୍ନ । କହିଛନ୍ତି- ୩ବର୍ଷ ହେଲା ଦଳୀୟ ସମ୍ବିଧାନ ଠିକ୍ ଭାବରେ ଚାଲୁନାହିଁ । ଯାହା ଦଳରେ ଘଟୁଛି କିମ୍ବା ଘଟୁଥିଲା ତାକୁ ହିଁ ବୟାନ କରୁଥିଲେ, ଯାହା ଅପ୍ରୀୟ ସତ ଥିଲା । ଆଉ ଏହି ଅପ୍ରୀୟ ସତ ପାଇଁ ବିଜେଡି ଓ ବୈଜୟନ୍ତଙ୍କ ଦୂରତ୍ୱର କାରଣ ବୋଲି କହିଛନ୍ତି କେନ୍ଦ୍ରାପଡ଼ା ସାଂସଦ । ହେଲେ ବିଜେଡି କିନ୍ତୁ ବୈଜୟନ୍ତ ନିର୍ବାଚନୀ ସତ୍ୟପାଠରେ ସତ ଲୁଚାଇଥିବା ନେଇ ଅଭିଯୋଗ କରିଛି ।

ଗୋଟିଏ ପଟେ ଦଳରୁ ବିଦା କରିବା ପାଇଁ ବିଜେଡି ତାଙ୍କୁ ଇସ୍ତଫା ଦେବା ପାଇଁ ଚାପ ପକାଉଥିବା ବେଳେ ଅନ୍ୟପଟେ ନିଜ ସମର୍ଥକଙ୍କୁ ନେଇ କେନ୍ଦ୍ରପଡ଼ାରେ ଦମ୍ ଦେଖାଇଛନ୍ତି ବୈଜୟନ୍ତ । ଯାହା ଏବେ ଟଳରା ଟକରି ଭଳି ସ୍ଥିତି ସୃଷ୍ଟି କରିଛି ।