ବାପ ପୁଅଙ୍କ ଟକ୍କର ! ଟଳମଳ ଆର୍ଥିକ ଅବସ୍ଥାକୁ ନେଇ ମୁହାଁମୁହିଁ ଯଶୋବନ୍ତ ସିହ୍ନା ଏବଂ ଜୟନ୍ତ ସିହ୍ନା

42

କନକ ବ୍ୟୁରୋ : ଭାରତୀୟ ଅର୍ଥନୀତିରେ ଟଳମଳ ଅବସ୍ଥା ପାଇଁ ମୁହାଁମୁହିଁ ହୋଇଛନ୍ତି ବାପା ଓ ପୁଅ । ଗତକାଲି ଏକ ଦୈନିକ ଇଂରାଜୀ ଖବର କାଗଜରେ ସ୍ତମ୍ଭ ଲେଖି ବାପା ଯଶୋବନ୍ତ ସିହ୍ନା ଅର୍ଥିକ ଅବସ୍ଥା ପାଇଁ ମୋଦି ସରକାର ଓ ଅରୁଣ ଜେଟଲୀଂକୁ ଦାୟୀ କରିବା ପରେ ଆଜି ପୁଅ ତଥା କେନ୍ଦ୍ରମନ୍ତ୍ରୀ ଜୟନ୍ତ ସିହ୍ନା ଏହାକୁ କାଉଂଟର କରିଛନ୍ତି । ସେ ମଧ୍ୟ ଆଜି ଦୈନିକ ଇଂରାଜୀ ଖବର କାଗଜରେ ଏକ ଲେଖା ଲେଖିଛନ୍ତି । ଯେଉଁଥିରେ ବାପା ଯଶୋବନ୍ତଙ୍କ ନାଁ ନନେଇ ତାଙ୍କ ଲେଖାକୁ ଖୋଲା ଚାଲେଂଜ କରିଛନ୍ତି ।

ଯଶୋବନ୍ତ କହିଥିଲେ, “ଅର୍ଥମନ୍ତ୍ରୀ ଜେଟଲୀ ଭାରତୀୟ ଅର୍ଥନୀତିକୁ ଅଳିଆ ଗଦାକୁ ଫିଙ୍ଗି ଦେଇଛନ୍ତି । ଦୁଇ ଦଶନ୍ଧୀ ଭିତରେ ପୁଜଂନିବେଶ ଏଭଳି ସ୍ଥିତିରେ ପହଁଚିନଥିଲା ।”

ଏହାର ଉତ୍ତର ଦେଇ ଜୟନ୍ତ କହିଛନ୍ତି, “ଢାଂଚାଗତ ସଂସ୍କାର କରି ସରକାର ଏକ ବଡ ମଜଭୁତ ଅର୍ଥବ୍ୟବସ୍ଥା ତିଆରି କରୁଛନ୍ତି । ଏହା ଆଗକୁ ନ୍ୟୁ ଇଣ୍ଡିଆ ପାଇଁ ଲାଭଦାୟକ ହେବ । ଏଫଡିଆଇରେ ବୃଦ୍ଧି ହେଉଛି ।”

jasawant sinha ଯଶୋବନ୍ତ କହିଥିଲେ, “ବିମୁଦ୍ରାକରଣ ହେଉଛି ଅପୂରଣୀୟ ଆର୍ôଥକ ବିପତ୍ତି । ନୋଟବନ୍ଦୀ ପରେ ଜିଏସଟି ଅତି ତରବରିଆ ଭାବେ ଲାଗୁ କରାଯାଇଛି । ଫଳରେ ଲକ୍ଷ ଲକ୍ଷ ଲୋକ କାମ ହରାଇଛନ୍ତି । କୃଷି କ୍ଷେତ୍ର ସଂକଟ ଭିତରେ ଗତି କରୁଛି । ଉତ୍ପାଦନ ବାଧାପ୍ରପ୍ତ ହୋଇଛି ।”

ପୁଅ ଜୟନ୍ତଙ୍କ ମତ କିନ୍ତୁ ଅଲଗା । ସେ କହିଛନ୍ତି, “ଜିଏସଟି, ବିମୁଦ୍ରାକରଣ ଓ ଡିଜିଟାଲ ପେମେଂଟକୁ ପ୍ରୋତ୍ସାହନ ଗେମଚେଞ୍ଜିଙ୍ଗ ପାଇଁ ଉଦ୍ୟମ । ଆଉ ଏହାର ପ୍ରଭାବ ଦୀର୍ଘକାଳୀନ ହେବ । ନୂଆ ଅର୍ଥନୀତି ଯୋଗୁଁ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।”

ଯଶୋବନ୍ତ କହିଥିଲେ, “ସରକାର ନୂଆ ପଦ୍ଧତି ଅନୁଯାୟୀ ଅଭିବୃଦ୍ଧି ହାର ୫.୭କୁ କମି ଆସିଥିବା କଥା କହୁଛନ୍ତି, ବାସ୍ତବରେ ତାହା ୩.୭ ପ୍ରତିଶତ କିମ୍ବା ତାହାଠାରୁ କମ ।”

ହେଲେ ଜୟନ୍ତ କହିଛନ୍ତି, “ଅଭିବୃଦ୍ଧି ଗୋଟିଏ ଦୁଇଟି କ୍ୱାଟର ପରେ ପୁଣି ବୃଦ୍ଧି ପାଇବ । ନ୍ୟୁ ଇଣ୍ଡିଆ ପାଇଁ ସରକାର ରେଳବାଇ, ଗ୍ରାମୀଣ ଭାରତରେ ବିଜୁଳି, ଜାତୀୟ ରାଜପଥ ସଂପ୍ରସାରଣ ଉପରେ ଗୁରୁତ୍ୱ ଦେଉଛନ୍ତି । ଫଳରେ ବିକାଶ ତ୍ୱରାନ୍ୱିତ ହେବା” ପୁଅ ଜୟନ୍ତ ସିହ୍ନା ବାପାଙ୍କ ଅର୍ଥନୀତିର ଅଙ୍କକଷାକୁ ଭୁଲ କହିବା ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଯଶୋବନ୍ତ ସିହ୍ନା । ସେ କହିଛନ୍ତି, ଭାରତୀୟ ଅର୍ଥନୀତି ବାଟବଣା ହୋଇଛି, ତାଙ୍କ ମତରେ ଅଟଳ ରହିଛନ୍ତି ।

ଜୟନ୍ତଙ୍କ ଲେଖା ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ । ସେ କହିଛନ୍ତି ଜୟନ୍ତଙ୍କ ଲେଖା ପିଆଇବି ପ୍ରେସ ରିଲିଜ୍ ଭଳି । ପ୍ରଶାସନିକ ପରିବର୍ତନକୁ ଅର୍ଥନୀତିର ଢାଂଚାଗତ ସଂସ୍କାର ବୋଲି କୁହାଯାଇପାରିବନି । ସେପଟେ ଯଶୋବନ୍ତଙ୍କ ଅଭିଯୋଗକୁ ଖଣ୍ଡନ କରି ବିଜେପି କହିଛି ଏହା ତାଙ୍କର ହତାଶା ଭାବର ପରିପ୍ରକାଶ ।

ଭାରତୀୟ ଅର୍ଥନୀତି ତଳକୁ ଖସିଯିବା ପରିପ୍ରେକ୍ଷୀରେ ଯଶୋବନ୍ତ ସିହ୍ନାଙ୍କ ଆର୍ଟିକିଲ ଏବଂ ଏହା ପରେ ତାଙ୍କ ପୁଅ ତଥା କେନ୍ଦ୍ରମନ୍ତ୍ରୀ ଜୟନ୍ତ ସିହ୍ନାଙ୍କ ପ୍ରତିକ୍ରିୟା ବେଶ ସରଗରମ କରିଛି ବିଜେପିର ଭିତିରି ରାଜନୀତିକୁ । ଆଉ ଏହା ବିରୋଧ ଦଳକୁ ମଧ୍ୟ ସମାଲୋଚନା କରିବାକୁ ସୁଯୋଗ ସୃଷ୍ଟି କରିଛି ।