ଅନ୍ଧାର ରାତିରେ ଅପରାଧ ! ଭୋଟ ପୂର୍ବରୁ କାହିଁକି ଫୁଟିଥିଲା ଗୁଳି

39

କନକ ବ୍ୟୁରୋ : ବରିଷ୍ଠ ବିଜେପି ନେତା ଜୟ ନାରାୟଣ ମିଶ୍ରଙ୍କ ଗିରଫଦାରୀକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ଦଳ । ବିଜେପି ପକ୍ଷରୁ ଆଜି ରାଜ୍ୟବ୍ୟାପୀ ସତ୍ୟାଗ୍ରହ କରିଛି ଭାରତୀୟ ଜନତା ପାର୍ଟି । ଡ୍ରାଇଭର ଦିଲେଶ୍ୱରଙ୍କ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ କରିବା ସହ ପୁଲିସ, ସରକାରଙ୍କ ଇଙ୍ଗିତରେ କାର୍ଯ୍ୟ କରୁଥିବା ଅଭିଯୋଗ କରିଛି । ରାଜଧାନୀ ଭୁବନେଶ୍ୱର ଶତାଧିକ ନେତା ଓ କର୍ମୀ ଆଜି ଜୟନାରାୟଣ ମିଶ୍ରଙ୍କ ଗିରଫଦାରୀର ବିରୋଧ କରିବା ସହ ଡେପୁଟୀ କମିଶନରଙ୍କ କାର୍ଯ୍ୟଳୟ ଆଗରେ ବିକ୍ଷୋଭ କରିଛନ୍ତି । ସେହିପରି ସମ୍ବଲପୁର ଏବଂ ବରଗଡ଼ରେ ମଧ୍ୟ ଅନୁରୁପ ପ୍ରତିବାଦ ଦେଖିବାକୁ ମିଳିଛି । ଆଉ ଏସବୁ ଭିତରେ ପୁଣି ଥରେ ତାଜା ହୋଇଯାଇଛି, ଗତ ଫେବୃୟାରୀ ୨୨ ତାରିଖର ଗୁଳିକାଣ୍ଡ ଘଟଣା । ତେବେ ସେଦିନ ରାତିରେ କଣ ହୋଇଥିଲା ।

ଫେବୃୟାରୀ ୨୨ ତାରିଖ । ବିଜେପୁର ଉପ-ନିର୍ବାଚନ ପାଇଁ ସେଇଦିନ ହିଁ ସରିଥାଏ ପ୍ରଚାର । ହେଲେ ରାଜନୈତିକ ତାତି ଆହୁରି ବଢି ଯାଇଥାଏ । ରାତିରେ ବି ଚଳଚଂଚଳ ହୋଇ ଉଠିଥାଏ ସମଗ୍ର ବିଜେପୁର । ଉଜାଗର ଥାନ୍ତି ନେତା ଓ କର୍ମୀ । କାରଣ ପ୍ରତିଦ୍ୱନ୍ଦିମାନଙ୍କ ମଧ୍ୟରେ ଚାଲିଥାଏ ଛକାପଂଝା ।

ରାତିର ବିଳମ୍ବିତ ପ୍ରହର । ଘନ ଅନ୍ଧାରରେ ହେଲା ଅତର୍କିତ ଆକ୍ରମଣ । ଠେଲା-ପଥର ମାଡ଼ ଏବଂ ଅନ୍ଧାଧୁନ୍ ଗୁଳିମାଡ଼ । ରାତିର ଘନ ଅନ୍ଧକାର ଚିରି ସକାଳର ସୁରୁଜ ଆସିଲା ବେଳକୁ ଆଖି ସାମ୍ନାରେ ଥାଏ- ଆକ୍ରମଣର ମୁକ ସାଥୀ, ସୁବ୍ରତ ସିଂଙ୍କ ଗାଡ଼ି । ତାସହ ଗୁଳିମାଡ଼ର ଚିହ୍ନ ଓ ଆକ୍ରମଣର ଛାପ । ଖିନ୍ବିନ୍ ଥାଏ ସବୁ କିଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ହସ୍ପିଟାଲରେ ଭର୍ତି ହୋଇଥାନ୍ତି-ମନ୍ତ୍ରୀଙ୍କ ଭାଇ ସୁବ୍ରତ ସିଂ ।ତାଙ୍କ ସହ ଗାଡି଼ ମାଲିକ କାର୍ତିକ ନାଗ, ଡ୍ରାଇଭର ଦିଲେଶ୍ୱର ଏବଂ ଖଗେଶ୍ୱର ମହାମଲ୍ଲିକ । ସୁବ୍ରତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ଥିବାବେଳେ ୨ଜଣ ଜୀବନ-ମୃତ୍ୟୁ ସହ ସଂଗ୍ରାମ କରୁଥାନ୍ତି ।

ଆଉ ଏହି ଗୁଳିକାଣ୍ଡ ପରେ ଅପରାଧୀଙ୍କୁ ଧରିବା ପାଇଁ ପୁଲିସ ବିଛାଇଥିଲା ଜାଲ । ଗୁଳି ବନ୍ଧୁକ ଜବତ କରିବା ସହ ୩ ଜଣଙ୍କୁ ଗିରଫ ମଧ୍ୟ କରିଥିଲା ବରଗଡ଼ ପୁଲିସ । ସେଦିନ ଆଉ ଆଜି, ଏହାରି ଭିତରେ ବିତି ଯାଇଛି ୨୦ ଦିନ । ଆଉ ୩ଜଣରୁ ୮ ଜଣକୁ ପହଂଚିଛି ଗିରଫଦାରି ।