ଏମିତି ବି ଆସେ ମୃତ୍ୟୁ ! ଅମ୍ମାଙ୍କ ଦେହାନ୍ତରେ ମ୍ରିୟମାଣ ହୋଇ ୨୮୦ ଜଣଙ୍କ ମୃତ୍ୟୁ

22

ଜୟଲଳିତାଙ୍କ ମୃତ୍ୟୁ ଖବରରେ ତାମିଲନାଡୁରେ ୨୮୦ ଲୋକଙ୍କ ମୃତ୍ୟୁ । ଏଭଳି ସମ୍ବେଦନଶୀଳ ତଥ୍ୟ ପ୍ରକାଶ କରିଛି ଜୟାଙ୍କ ପାର୍ଟି ଏଆଇଏଡିଏମକେ । ପ୍ରିୟ ନେତ୍ରୀ ଜୟଲଳିତା ଆଉ ନାହାନ୍ତି, ଏଭଳି ଖବର ପ୍ରଚାର ହେବାପରେ ତାଙ୍କୁ ଅନ୍ଧ ଭଳି ଭଲ ପାଉଥିବା ଲୋକଙ୍କୁ ଶକ୍ତ ଧକ୍କା ଲାଗିଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ଜୟାଙ୍କ ସମର୍ଥକଙ୍କ ମୃତ୍ୟୁ ଖବର ବଢିବାରେ ଲାଗିଛି ।

ପ୍ରଥମେ ୭୭ ଜଣଙ୍କ ମୃତ୍ୟୁ ତାଲିକା ଘୋଷଣା କରିଥିଲା ଏଆଇଏଡିଏମକେ । ଏବେ ପୁଣି ୨୦୩ ଜଣଙ୍କ ମୃତ୍ୟୁ ତାଲିକା ପ୍ରକାଶ କରିଛି । ତେବେ ମୃତକଙ୍କ ପରିବାର ପାଇଁ ଦଳ ପକ୍ଷରୁ ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ଘୋଷଣା କରାଯାଇଛି ।

ସେପ୍ଟେମ୍ବର ୨୨ ତାରିଖରୁ ଚେନ୍ନାଇ ଆପୋଲୋ ହସ୍ପିଟାଲରେ ଭର୍ତି ହୋଇଥିବା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜେ. ଜୟଲଳିତାଙ୍କର ଗତ ଡିସେମ୍ବର ୪ ତାରିଖରେ ହୃଦଘାତରେ ଦେହାନ୍ତ ହୋଇଥିଲା । ଅନେକ ସମୟରେ ଜୟାଙ୍କ ପ୍ରତି ତାଙ୍କ ସମର୍ଥକଙ୍କ ଭଲ ପାଇବାର ଚିତ୍ର ଦେଖିବାକୁ ମିଳିଛି । ଆଉ ଏବେ ତାଙ୍କ ଅବର୍ତମାନକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ରାଜ୍ୟର ଲକ୍ଷ ଲକ୍ଷ ଲୋକ ।