ଭାରତୀୟ ଯୁବ କ୍ରିକେଟରଙ୍କ ଉପରେ ଟଙ୍କାର ବର୍ଷା । ୧୧.୫ କୋଟିରେ ବିକ୍ରି ହେଲେ ଜୟଦେବ ଉନଦକଟ ।

23

କନକ ବ୍ୟୁରୋ : ଲଗାତାର ଦ୍ୱିତୀୟ ଦିନ ଲାଗି ଆଇପିଏଲ-୧୧ ପାଇଁ ଖେଳାଳି ଅକ୍ସନ ଜାରି ରହିଛି । ଆଜି ସବୁଠାରୁ ଦାମୀ ଖେଳାଳି ହୋଇଛନ୍ତି ଜୟଦେବ ଉନାଦକଟ । ଏହି ଭାରତୀୟ ଫାଷ୍ଟ ବୋଲରଙ୍କୁ ରାଜସ୍ଥାନ ରୟାଲସ ୧୧ କୋଟି ୫୦ ଲକ୍ଷରେ କିଣିଛି । ଭାରତୀୟ ଖେଳାଳିଙ୍କ ମଧ୍ୟରୁ ସେ ହୋଇଛନ୍ତି ସବୁଠାରୁ ଦାମୀ ଖେଳାଳି । ଲୋକେଶ ରାହୁଲଙ୍କ କିଙ୍ଗସ ଇଲେଭେନ ପଞ୍ଜାବ ଓ ମନୀଷ ପାଣ୍ଡେଙ୍କୁ ହାଇଦ୍ରାବାଦ ସନରାଇଜର୍ସ ୧୧ କୋଟିରେ କିଣିଥିଲା ।

ବେନ ଷ୍ଟୋକସଙ୍କ ପରେ ଆଇପିଏଲରେ ସେ ହେଉଛନ୍ତି ସବୁଠାରୁ ଦାମୀ ଖେଳାଳି । ବେନ ଷ୍ଟୋକସଙ୍କୁ ରାଜସ୍ଥାନ ଗତକାଲି ୧୨ କୋଟି ୫୦ ଲକ୍ଷରେ କିଣିଥିଲା । ୨୬ ବର୍ଷିୟ ଜୟଦେବ ଭାରତ ପାଇଁ ଗୋଟିଏ ଟେଷ୍ଟ, ସାତଟି ଏକଦିବସୀୟ ଓ ୪ଟି ଟି –ଟ୍ୱେଂଟି ମ୍ୟାଚ ଖେଳିଛନ୍ତି । ଏକଦିବସୀୟରେ ୮ଟି ଓ ଟ୍ୱି-ଟ୍ୱେଂଟିରେ ୪ଟି ୱିକେଟ ଅକ୍ତିଆର କରିଛନ୍ତି । ଗତ ଆଇପିଏଲରେ ସେ ଭଲ ପ୍ରଦର୍ଶନ କରି ପର୍ପଲ କ୍ୟାପ ହାସଲ କରିଥିଲେ । ପ୍ରତିଯୋଗିତାରେ ୧୨ ମ୍ୟାଚରୁ ସେ ୨୪ଟି ଓି୍ୱକେଟ ହାସଲ କରିଥିଲେ । ଏଥିମଧ୍ୟରେ ଏକ ହ୍ୟାଟ୍ରିକ ବି ସାମିଲ ଥିଲା ।

ଚଳିତ ଆଇପିଏଲ ନିଲାମୀ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ଅନେକ ଯୁବ ଖେଳାଳିଙ୍କୁ ଫ୍ରାଞ୍ଚାଇଜ ମାନେ ଚଢା ଦରରେ କିଣିଥିବା ବେଳେ କିଛି ଅନ୍ତର୍ଜାତୀୟ ଷ୍ଟାର ଖେଳାଳିଙ୍କ ହାତ ଛାଡିଛନ୍ତି ଫ୍ରାଞ୍ଚାଇଜ । ପ୍ରଥମ ଦିବସର ନିଲାମୀ ସରିଥିବା ବେଳେ ଅନେକ ଅର୍ନ୍ତଜାତୀୟ ଖେଳାଳିଙ୍କୁ କୌଣସି ଦଳ କିଣିନାହାନ୍ତି । ଟି-୨୦ର ଧୂଆଁଧାର ବ୍ୟାଟସମ୍ୟାନ କ୍ରିସ ଗେଲ, ଇଶାନ୍ତ ଶର୍ମା, ମାର୍ଟିନ ଗୁପ୍ଟିଲଙ୍କ ଭଳି ଷ୍ଟାର ଖେଳାଳିଙ୍କୁ କୌଣସି ଦଳ କିଣିବା ପାଇଁ ଆଗ୍ରହ ଦେଖାଇନାହାନ୍ତି । ତେବେ କେବଳ ଏହି ଷ୍ଟାର ପ୍ଲେୟାର ନୁହେଁ ଅନ୍ୟମାନଙ୍କୁ ମଧ୍ୟ ପ୍ରଥମ ଦିନ ନିଲାମୀରେ ନିରାଶ ହେବାକୁ ପଡିଛି ।