ନବୀନଙ୍କ ମତକୁ ଗ୍ରହଣ କଲେନାହିଁ ଦାମ ! ଜୟୀ ରାଜଗୁରୁଙ୍କ ଶ୍ରାଦ୍ଧ ବାର୍ଷିକୀରେ ନବୀନଙ୍କ ଟ୍ୱିଟ୍, କହିଲେ ସ୍ୱାଧୀନତା ସଂଗ୍ରାମର ପ୍ରଥମ ଓଡ଼ିଆ ସହିଦ
କନକ ବ୍ୟୁରୋ : ନବୀନଙ୍କ କଥାରେ ରାଜି ହେଲେ ନାହିଁ ମନ୍ତ୍ରୀ ଦାମ ରାଉତ । ଜୟୀ ରାଜଗୁରୁଙ୍କ ଶ୍ରାଦ୍ଧ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ସ୍ୱାଧୀନତା ସଂଗ୍ରାମର ପ୍ରଥମ ଓଡ଼ିଆ ସହିଦ ଭାବେ ତାଙ୍କୁ ବର୍ଣ୍ଣନା କରିଛନ୍ତି । କିନ୍ତୁ ଦାମ କହିଛନ୍ତି, ଜୟୀରାଜଗୁରୁ ସ୍ୱାଧିନତା ସଂଗ୍ରାମୀ ବୋଲି ସେ ବିଲକୁଲ ମାନିବେ ନାହିଁ ।
Kanak News is now on WhatsApp
Join and get latest news updates delivered to you via WhatsApp
ସ୍ବାଧୀନତା ଆନ୍ଦୋଳନର ପ୍ରଥମ ଓଡ଼ିଆ ସହିଦ ଜୟୀ ରାଜଗୁରୁଙ୍କ ଶ୍ରାଦ୍ଧ ବାର୍ଷିକରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।
Homage to great revolutionary & freedom fighter Saheed Jayee Rajguru on death anniversary. The fearless patriot who gave his life to the motherland lives in the hearts of all countrymen. pic.twitter.com/PB8iY5S441— Naveen Patnaik (@Naveen_Odisha) December 6, 2017
ଆଜି ୬ ଡିସେମ୍ବର । ଇଂରେଜ ବିରୁଦ୍ଧରେ ଲଢେଇ କରି ଆଜି ଦିନରେ ପ୍ରାଣବଳି ଦେଇଥିଲେ ଓଡ଼ିଶା ମାଟିର ମହାନ ସଂଗ୍ରାମୀ ଜୟୀ ରାଜଗୁରୁ । ଜୟୀ ରାଜଗୁରୁଙ୍କ ଶ୍ରାଦ୍ଧ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ସ୍ୱାଧୀନତା ସଂଗ୍ରାମର ପ୍ରଥମ ଓଡ଼ିଆ ସହିଦ ଭାବେ ତାଙ୍କୁ ବର୍ଣ୍ଣନା କରିଛନ୍ତି । କିଛି ଦିନ ତଳେ ମନ୍ତ୍ରୀ ଦାମ ରାଉତଙ୍କ ବିବାଦୀୟ ବୟାନ ପରେ ଜୟୀ ରାଜଗୁରୁ ସ୍ୱାଧୀନତା ସଂଗ୍ରାମୀ କି ନୁହଁନ୍ତି, ଏ ନେଇ ବିତର୍କ ସୃଷ୍ଟି ହୋଇଥିଲା । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜୟୀ ରାଜଗୁରୁଙ୍କୁ ସ୍ୱାଧୀନତା ସଂଗ୍ରାମୀ କହିଥିବା ବେଳେ ଏହାକୁ ମାନିବାକୁ ନାରାଜ ଦାମବାବୁ । ସୂଚନାଯୋଗ୍ୟ ୬ ଡିସେମ୍ବର, ୧୮୦୬ ଦିନ ମହାନ ସଂଗ୍ରାମୀ ଜୟୀ ରାଜଗୁରୁଙ୍କୁ ଇଂରେଜମାନେ ବରଗଛରେ ଓହଳାଇ ଦୁଇ ଫାଳ କରିଦେଇଥିଲେ । ହେଲେ ଜୟୀ ରାଜଗୁରୁ ସ୍ୱାଧୀନତା ସଂଗ୍ରାମୀ କି ନୁହଁନ୍ତି? ୨୧୧ ବର୍ଷ ପରେ ଏ ନେଇ ପ୍ରଶ୍ନ ଉଠିଲା କାହିଁକି ?
ଜୟୀ ରାଜଗୁରୁଙ୍କୁ ନେଇ ବିବାଦ ଜୋର ଧରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଶ୍ରାଦ୍ଧ ଦିବସରେ ଟ୍ୱିଟ୍ କରିଛନ୍ତି । ଟ୍ୱିଟରେ ସେ ଲେଖିଛନ୍ତି, ସ୍ୱାଧୀନତା ଆନ୍ଦୋଳନର ପ୍ରଥମ ଓଡ଼ିଆ ସହିଦ ଜୟୀ ରାଜଗୁରୁଙ୍କ ଶ୍ରାଦ୍ଧ ବାର୍ଷିକରେ ଭକ୍ତିପୂତ ଶ୍ରଦ୍ଧାଂଜଳି । ଅତି ସ୍ପଷ୍ଟ ଭାଷାରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଜୟୀ ରାଜଗୁରୁ ଜଣେ ମହାନ ବିପ୍ଳବୀ ଏବଂ ସ୍ୱାଧୀନତା ସଂଗ୍ରାମୀ ଥିଲେ । ଆଉ ରାଜଗୁରୁଙ୍କୁ ସ୍ୱାଧୀନତା ସଂଗ୍ରାମର ପ୍ରଥମ ଓଡ଼ିଆ ସହିଦ ଭାବେ ବର୍ଣ୍ଣନା କରିଛନ୍ତି ନବୀନ । ହେଲେ ଏକଥା ମାନିବାକୁ ନାରାଜ ନବୀନଙ୍କ ମନ୍ତ୍ରୀ ଡାକ୍ତର ଦାମ ରାଉତ । ଦାମବାବୁ ପୁଣି ଥରେ ଦୋହରାଇଛନ୍ତି ଜୟୀ ରାଜଗୁରୁ ସ୍ୱାଧୀନତା ସଂଗ୍ରାମୀ ନଥିଲେ । ଏଭଳି ତଥ୍ୟକୁ ସେ ବିଲକୁଲ ମାନିବେ ନାହିଁ ବୋଲି ମଧ୍ୟ କହିଛନ୍ତି ।
ଅବଶ୍ୟ ୧୪ ବର୍ଷ ତଳେ ଅର୍ଥାତ ୨୦୦୩ ମସିହାରେ ମନ୍ତ୍ରୀ ଦାମ ରାଉତଙ୍କ ମନ୍ତବ୍ୟ ଥିଲା ପୂରା ଅଲଗା । ଆସନ୍ତୁ ଜାଣିବା ପୁରା ଘଟଣାକ୍ରମ କ’ଣ ଥିଲା ? ଜୟୀ ରାଜଗୁରୁ ସହିଦ ଦିବସ ପାଳନ କମିଟି ଆନୁକୁଲ୍ୟରେ ପ୍ରକାଶିତ ସ୍ମରଣିକାରେ ଲେଖାଥିଲା ଏକ ବାର୍ତ୍ତା । ସେହି ସମୟରେ ତତ୍କାଳୀନ ପଂଚାୟତିରାଜ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଦାମ ରାଉତଙ୍କ ଜୟୀ ରାଜଗୁରୁଙ୍କୁ ନେଇ ଦେଇଥିଲେ ବାର୍ତ୍ତା । ଏଥିରେ ସେ ଲେଖିଥିଲେ, ଓଡ଼ିଶାର ଜୟୀ ରାଜଗୁରୁ ଜାତୀୟ ସ୍ୱାଧୀନତା ସଂଗ୍ରାମର ପ୍ରଥମ ସହିଦ । ଯାହାଙ୍କୁ ଅତି ନିର୍ଦ୍ଦୟ ଭାବେ ମୃତ୍ୟୁ ଦଣ୍ଡ ଦେଇଥିଲେ ଇଂରେଜ । ହେଲେ ୧୪ ବର୍ଷ ପରେ ଜୟୀ ରାଜଗୁରୁଙ୍କୁ ସ୍ୱାଧୀନତା ସଂଗ୍ରାମୀ ନୁହଁନ୍ତି କହି ବିବାଦ ସୃଷ୍ଟି କରିଛନ୍ତି ଦାମ । ଏହା ଭିତରେ ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ୍ ଏହି ବିବାଦକୁ ଆଉ ଏକ ନୂଆ ମୋଡ ଦେଇଛି ।