ପୁଣି ଗର୍ଜିଲା ନବ ନିର୍ମାଣ କୃଷକ ସଂଗଠନ ! ୧୦ଦଫା ଦାବି ନେଇ ଯାଜପୁରରେ ଜୟ କିଶାନ ସମାବେଶ

38

କନକ ବ୍ୟୁରୋ : ଆଜି ଚାଷୀଙ୍କ ଗର୍ଜନରେ କମ୍ପିଲା ଯାଜପୁର । ପ୍ରାଇସ୍ ଫ୍ରେଷ୍ଟିଜ୍ ଓ ପେନସନର ଦାବି ଦୋହରାଇ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜୟ କିଷାନ ସମାବେଶ ଆୟୋଜିତ ହୋଇଥିଲା  । ଏଥିରେ ହଜାର ହଜାର ଚାଷୀ ଯୋଗଦେଇଥିଲେ  । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଥିଲେ ଚାଷୀ । ଚାଷୀଙ୍କୁ ସେମାନଙ୍କ ହକ ନଦେଲେ, ଏହାର କଡ଼ା ଜବାବ ଦିଆଯିବ ବୋଲି ଚେତାଇ ଦେଇଥିଲେ ସଂଗଠନର ମୁଖ୍ୟ ଉପଦେଷ୍ଟା ସୌମ୍ୟରଂଜନ ପଟ୍ଟନାୟକ ।

ଆଜି ଚାଷୀଙ୍କ ଶକ୍ତି ଦେଖିଲା ସାରା ଓଡ଼ିଶା । ଏହା କୌଣସି ସାଧାରଣ ସମାବେଶ ନଥିଲା, ଥିଲା ସରକାରଙ୍କୁ ଚେତାବନୀ  । ଚାଷୀଙ୍କ ପ୍ରତି ସରକାରଙ୍କ ଅଣଦେଖାକୁ ହଜାର ହଜାର ଚାଷୀ ଏକାଠି ହୋଇ ପ୍ରତିବାଦ ଜଣାଇଥିଲେ । ପ୍ରାଇସ୍ ଫ୍ରେଷ୍ଟିଜ୍ ଓ ପେନସନର ଦାବି ଦୋହରାଇ ନବ ନିର୍ମାଣ କୃଷକ ସଂଗଠନ ଆଜି ଗର୍ଜିଥିଲା ଯାଜପୁରରେ ।  ବିଶାଳ ଜୟ କିଶାନ ସମାବେଶରେ ସଂଗଠନର ମୁଖ୍ୟ ଉପଦେଷ୍ଟା ସୌମ୍ୟରଂଜନ ପଟ୍ଟନାୟକ କହିଥିଲେ ଚାଷୀ ସମସ୍ୟାର ସମାଧାନ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆଗେଇ ନଆସିଲେ ଆଗାମୀ ଦିନରେ ଏହାର ଜବାବ ଦେବେ ଚାଷୀ ।

ଯାଜପୁର କଲେଜ ଛକଠାରୁ ଆରମ୍ଭ ହୋଇଥିଲା ବିରାଟ ଶୋଭାଯାତ୍ରା । ୧୦ ଦଫା ଦାବି ନେଇ କିଆନାଳି ଛକରେ ଅନୁଷ୍ଠିତ ଜୟ କିଶାନ ସମାବେଶରେ ହଜାର ହଜାର ଚାଷୀ ଏକାଠି ହୋଇ ସେମାନଙ୍କ କ୍ଷୋଭ ପ୍ରକାଶ କରିଥିଲେ । ଚାଷୀଙ୍କ ହକ୍ ନଦେଲେ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାଇ ଦେଇଥିଲେ ସରକାରଙ୍କୁ । ଚାଷୀ ଆତ୍ମହତ୍ୟାକୁ ରାଜ୍ୟ ସରକାର ସ୍ୱୀକାର କରି ଚାଷୀଙ୍କୁ ପେନସନ୍ ଦେବା ଏବଂ କେନ୍ଦ୍ର ସରକାର ଚାଷୀଙ୍କୁ ଉପଯୁକ୍ତ ପ୍ରାଇସ୍ ଦେବା ଲାଗି ଦାବି ହୋଇଥିଲା । ୧୦ ଦଫା ଦାବି ପୂରଣ କରିବାକୁ ଏକ ସ୍ୱରରେ ଦାବି ଉଠାଇଥିଲେ ଚାଷୀ । ଏହା ପରେ ଢେଙ୍କାନାଳ ଓ ନୟାଗଡ଼ରେ ହେବ ଜୟ କିଷାନ ସମାବେଶ । ଆସନ୍ତା ମାର୍ଚ୍ଚ ମାସରେ ଭୁବନେଶ୍ୱରରେ ହେବ ବିଶାଳ ସମାବେଶ । ଯେଉଁଥିରେ ପ୍ରାୟ ଏକ ଲକ୍ଷ ଚାଷୀ ସାମିଲ ହୋଇ ସରକାରଙ୍କ ଆଭିମୁଖ୍ୟର ପ୍ରତିବାଦ କରିବେ ।