ସୀମା ଟପିଲା ବର୍ବରତା : ଝିଅର ଜନ୍ମଦିନ ପାଳନ ପାଇଁ ଘରକୁ ଆସିଥିଲେ ଯବାନ, ଘରୁ ଘୋଷାଡ଼ି ନେଇ ହତ୍ୟା କଲେ ମାଓବାଦୀ

35

ଦିନକୁ ଦିନ ମାଓବାଦୀଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି । ନିକଟରେ ଏପରି ଏକ ଘଟଣା ଘଟିଛି ଯାହା ଶୁଣି ଆପଣଙ୍କ ଆଖିରେ ଲଉହ ଆସିଯିବ । ସୋମବାର ଦିନ ମାଓବାଦୀମାନେ ‘ସଶସ୍ତ୍ର ସୀମା ବଳ’ର ଜଣେ ଯବାନଙ୍କୁ ଘରୁ ଟାଣି ନେଇ ଗୁଳି ମାରି ହତ୍ୟା କରିଛନ୍ତି । ଯବାନ୍ ଜଣକ ଛୁଟି ନେଇ ବିହାରର ଜାମୁଇ ଜିଲ୍ଲା ଅନ୍ତର୍ଗତ ପାଣ୍ଡେଥିକା ଗାଁ’ରେ ଥିବା ନିଜ ଘରକୁ ଆସିଥିଲେ । ବିହାରର ମଧୁବନ ଜିଲ୍ଲା ଠାରେ ଅବସ୍ଥାପି ସୀମା ସୁରକ୍ଷା ବଳର ୪୮ ବାଟାଲିୟାନ୍ରେ ମୁତୟନ କରାଯାଇଥିବା ସେ ଯବାନଙ୍କ ନାମ ହେଉଛି ସିକନ୍ଦର ଯାଦବ । ଝିଅର ଜନ୍ମଦିନ ପାଳନ ପାଇଁ ଆସିଥିଲେ ହେଲେ ଆଉ ଡ୍ୟିୁଟିକୁ ଫେରିପାରିଲେନି ।

ମଙ୍ଗଳବାର ଦିନ ବଡ଼ହାଟ ଏସ୍ଏଚ୍ଓ ସୁନୀଲ କୁମାର କହିଛନ୍ତି, ସପରିବାର ଝିଅର ୪ର୍ଥ ଜନ୍ମଦିନ ପାଳନ କରୁଥିବାବେଳେ ସିକନ୍ଦରଙ୍କୁ ହତ୍ୟା କରାଯାଇଛି । ସିକନ୍ଦରଙ୍କୁ ହତ୍ୟା କରିବା ଆଗରୁ ଦୁଇ ଜଣ ମାଓବାଦୀ ପୁଲିସ ପୋଷାକରେ ତାଙ୍କୁ ଖୋଜି ଖୋଜି ତାଙ୍କ ଘରେ ପହଞ୍ଚିଥିଲେ । ସେ ଘରୁ ପଦାକୁ ଆସିଲାକ୍ଷଣି ଅନ୍ୟ ୨୦ ଜଣ ବିଦ୍ରୋହୀ ତାଙ୍କୁ ମାଡ଼ିବସି ବନ୍ଧୁକ ଦେଖାଇ ଘୋଷାରି ନେଇ ଯାଇଥିଲେ ।

ଘର ଠାରୁ ମାତ୍ର ଅଳ୍ପ କେତେ ଫୁଟ୍ ଦୂରରେ ତାଙ୍କୁ କେତେଗୁଡ଼ିଏ ଗୁଳି ମରାଯାଇଥିଲା ବୋଲି ପୁଲିସ କହିଛି । ମାଓବାଦୀଙ୍କ ମଧ୍ୟରେ କେତେକ ମହିଳା ଥିବା କଥା ଗ୍ରମାବାସୀ କହୁଛନ୍ତି । ଜଣେ ପୁଲିସ ସୂଚନା ଦାତା ବୋଲି କହି ତାଙ୍କୁ ଦଣ୍ଡ ଦେଉଥିବା କଥା ବିଦ୍ରୋହୀମାନେ ଚିତ୍କାର କରିଥିଲେ । ତାଙ୍କୁ ଗୁଳି ମାରି ମାରିବା ପରେ ସେମାନେ ପାଖ ଜଙ୍ଗଲକୁ ଖସି ଯାଇଥିଲେ ।