ସମ୍ବଲପୁରକୁ ପୁଣି ଫେରିଛି ଜଣ୍ଡିସ : ସହରରେ ୧୫ରୁ ଅଧିକ ଆକ୍ରାନ୍ତ

51

କନକ ବ୍ୟୁରୋ : ସମ୍ବଲପୁରକୁ ପୁଣି ଫେରିଛି ଜଣ୍ଡିସ । ସମ୍ବଲପୁରର ପେନସନ ପଡା, ମାୟା ବଗିଚା, କୁମ୍ଭାରପଡା ଭଳି ବସ୍ତି ଅଂଚଳରେ ପ୍ରାୟ ୧୫ରୁ ଅଧିକ ଜଣ୍ଡିସ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏହାକୁ ଆଖି ଆଗରେ ରଖି ମହାନଗର ନିଗମ ଓ ସ୍ୱାସ୍ଥ୍ୟ ବିଭାଗ ବିଭିନ୍ନ କାର୍ଯ୍ୟ ହାତକୁ ନେଇଛି ।

ସମ୍ବଲପୁରବାସୀଙ୍କୁ ପୁଣି ଘାରିଛି ଜଣ୍ଡିସ ଭୟ । ସହରର ବିଭିନ୍ନ ଅଂଚଳରେ ୧୬ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏହାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ତତ୍ପରତା ପ୍ରକାଶ ପାଇଛି । ସହରରେ ଥିବା ବିଭିନ୍ନ ହୋଟେଲ, ଆଖୁ ଓ ଗୁପଚୁପ୍ ଠେଲା ଏବଂ ବିଭିନ୍ନ ଖାଦ୍ୟ ସାମଗ୍ରୀ ବିକ୍ରି ହେଉଥିବା ସ୍ଥାନ ଗୁଡିକରେ ଚଢାଉ କରି ପରୀକ୍ଷା କରାଯାଇଛି । ଏହାସହ ପିଇବା ପାଣିକୁ ସଂଗ୍ରହ କରାଯିବା ସହିତ ପରୀକ୍ଷା ପାଇଁ ପଠାଯାଇଛି ।

ଜଣ୍ଡିସ ଆକ୍ରାନ୍ତ ଥିବା ବିଭିନ୍ନ ସ୍ଥାନ ଗୁଡିକରେ ମହାନଗର ନିଗମ ପକ୍ଷରୁ ନାଳ ନର୍ଦ୍ଦମା ସଫା କରାଯିବା ସହିତ ବିଶୁଦ୍ଧ ପାଣି ଯୋଗାଇ ଦିଆଯାଉଛି । ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରିବା ସହ ଜଣ୍ଡିସ ଆକ୍ରାନ୍ତ ଥିବା ସନ୍ଦେହ କରୁଥିବା ବ୍ୟକ୍ତିଙ୍କର ରକ୍ତ ପରୀକ୍ଷା ମଧ୍ୟ କରାଯାଉଛି ।

୨୦୧୪ ମସିହାରେ ସମ୍ବଲପୁର ସହରରେ ଜଣ୍ଡିସ ଦ୍ୱାରା ୨୫ରୁ ଉଦ୍ଧ୍ୱର୍ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆକ୍ରାନ୍ତ ହୋଇଥିଲେ । ତେବେ ଆଗାମୀ ଦିନରେ ସ୍ୱାସ୍ଥ୍ୟ ବିଭାଗ ଅଧିକ ଯତ୍ନବାନ ନହେଲେ ଅଧିକରୁ ଅଧିକ ଲୋକ ଆକ୍ରାନ୍ତ ହେବାର ଆଶଙ୍କା କରାଯାଉଛି ।