ସମ୍ବଲପୁରକୁ ଫେରିଲା ଜଣ୍ଡିସ ! ସହରର ୩ଟି ସ୍ଥାନରେ ଜଣ୍ଡିସ ଆତଙ୍କ, ପାଣି ପାଇପ ଲାଇନ ବନ୍ଦ । ତତ୍ପରତା ଦେଖାଇଲା ସ୍ୱାସ୍ଥ୍ୟ ବିଭାଗ

74

କନକ ବ୍ୟୁରୋ : ସମ୍ବଲପୁରକୁ ପୁଣି ଫେରିଛି ଜଣ୍ଡିସ । ସମ୍ବଲପୁରର ପେନସନ ପଡା ଓ ମାୟା ବଗିଚା, କୁମ୍ଭାରପଡା ଭଳି ବସ୍ତି ଅଂଚଳରେ ଜଣ୍ଡିସ ରୋଗୀ ଚିହ୍ନଟ ହୋଇଛନ୍ତି । ୨୦୧୪ ମସିହାରେ ଜଣ୍ଡିସ ଆତଙ୍କକୁ ଲୋକେ ଭୁଲିପାରି ନଥିବା ବେଳେ ଏବେ ପୁଣି ଜଣ୍ଡିସ ମାତିଛି ।

୨୦୧୪ ମସିହାରେ ସମ୍ବଲପୁର ସହରରେ ଆତଙ୍କ ଖେଳାଇଥିବା ଜଣ୍ଡିସ ପୁଣି ଫେରିଛି । ସହରର ୩ଟି ଅଂଚଳରେ ଜଣ୍ଡିସ ରୋଗୀ ଚିହ୍ନଟ ହେଲା ପରେ ସ୍ୱାସ୍ଥ୍ୟ ବିଭାଗର ତତ୍ପରତା ପ୍ରକାଶ କରିଛି । ପେନସନ ପଡା ଓ ମାୟା ବଗିଚା, କୁମ୍ଭାରପଡା ବସ୍ତିରେ ଜଣ୍ଡିସ ରୋଗ ଚିହ୍ନଟ ହେବା ପରେ ପାଣି ପାଇପ ଲାଇନ ସଂପୂର୍ଣ୍ଣ ବନ୍ଧ କରାଯାଥିବା ବେଳେ ଟ୍ୟାଙ୍କର ଯୋଗେ ପିଇବା ପାଣି ଯୋଗାଇ ଦିଆଯାଉଛି । ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ଘର ଘର ବୁଲି ଲୋକଙ୍କୁ ସଚେତନ କରିବା ସହିତ ବ୍ୟକ୍ତିଙ୍କର ରକ୍ତ ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛନ୍ତି । କେତେକ ସ୍ଥାନରେ ପିଇବା ପାଣି ବି ପରୀକ୍ଷା କରାଯାଉଛି । ମହାନଗର ନିଗମ ତରଫରୁ ସହରରେ ଥିବା ନାଳ ଗୁଡିକୁ ନିୟିମିତ ସଫା କରାଯାଉଛି ।

୨୦ ଦିନରୁ ଅଧିକ ହେବ ପଡାରେ ଜଣ୍ଡିସ ଲାଗି ରହିଥିବା ବେଳେ ୨୦ରୁ ୨୫ ଜଣ ଆକ୍ରାନ୍ତ ହୋଇଛନ୍ତି । ଜଣ୍ଡିସ ନିୟନ୍ତ୍ରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସବୁ ପ୍ରକାର ଚେଷ୍ଟା କରାଯାଉଛି । ସମ୍ବଲପୁରରେ ବିକ୍ରୀ କରାଯାଉଥିବା ଗୁପ୍ ଚୁପ୍ ଠେଲା ଗୁଡିକର ପାଣି ମଧ୍ୟ ଯାଂଚ କରାଯିବ ବୋଲି ସିଡିଏମଓ କହଛନ୍ତି ।ଆଗାମୀ ଦିନରେ ସ୍ୱାସ୍ଥ୍ୟ ବିଭାଗ ଅଧିକ ତତ୍ପରତା ପ୍ରକାଶ ନକଲେ ପୁଣି ସମ୍ବଲପୁର ସହରକୁ ଜଣ୍ଡିସ ବିପଦ ମାଡି ଆସିବାର ଆଶଙ୍କା ରହିଛି ।