ପୁଣି କଟକ ଫେରିଲା କାମଳ ! ସାହିରୁ ସାହି ଡେଉଁଛି ରୋଗ

95

କନକ ବ୍ୟୁରୋ : ପୁଣି କଟକ ଫେରିଛି କାମଳ । ସହରର ବିଭିନ୍ନ ସାହିରେ ବ୍ୟାପୁଛି ଜଣ୍ଡିସ । ଶିଖରପୁର ତଳସାହି ଏବଂ ନଦୀକୁଳ ସାହିରେ ଦୂଷିତ ପାଣି ପିଇ ୨୫ରୁ ଅଧିକ ଲୋକ କାମଳ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସିଏମସି ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପହଂଚି ଔଷଧ ଦେବା ସହ ରକ୍ତ ନମୁନା ସଂଗ୍ରହ କରିଛନ୍ତି । କଟକର ଶିଖରପୁର ତଳସାହି ଏବଂ ନଦୀକୁଳ ସାହିରେ ଜଣ୍ଡିସ ସ୍ଥିତି ସଙ୍ଗୀନ । ଉଭୟ ସାହିର ପ୍ରାୟ ୨୫ ଜଣ ଲୋକ ଜଣ୍ଡିସରେ ଆକ୍ରାନ୍ତ ହୋଇଛନ୍ତି । ପ୍ରଥମେ ତଳସାହିର ୨ ଜଣ ଝିଅ ଜଣ୍ଡିସରେ ଆକ୍ରାନ୍ତ ହୋଇଥିଲେ, ପରେ ପରେ ସାହିର ଅନ୍ୟ ଲୋକଙ୍କ ଠାରେ ମଧ୍ୟ ଏହି ରୋଗ ଦେଖିବାକୁ ମିଳିଛି ।

ସେପଟେ ଜଣ୍ଡିସ ସ୍ଥିତି ରୋକିବାକୁ ଜନସ୍ୱାସ୍ଥ୍ୟ ବିଭାଗ ସହ ସିଏମସି ସ୍ୱାସ୍ଥ୍ୟ ବିଭାଗ ପାଣି ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛି । ଲୋକଙ୍କୁ ପିଇବା ପାଇଁ ଟ୍ୟାଙ୍କର ପାଣି ସହ ହାଲୋଜିନ ବଟିକା ଦିଆଯାଇଛି । ସେପଟେ ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ବିଶ୍ୱାଳ ସମ୍ପୃକ୍ତ ଅଂଚଳ ବୁଲି ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ପୂର୍ବରୁ କାଠଗଡା ସାହିରେ ଜଣ୍ଡିସ ଦେଖିବାକୁ ମିଳିଥିବା ବେଳେ ଏବେ ଶିଖରପୁର ଅଞ୍ଚଳରେ ଜଣ୍ଡିସ କାୟା ବିସ୍ତାର କରିଛି । ତେବେ ଜଣ୍ଡିସ ରୋକିବାରେ ପ୍ରଶାସନ କେତେ ମାତ୍ରାରେ ସଫଳ ହେଉଛି, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।