ଅନନ୍ତଙ୍କ ପାଇଁ ଆଖିରେ ଲୁହ! ଯାତ୍ରା ଜଗତର ମହାନାୟକଙ୍କୁ ଝୁରିଲା ଜଲିଉଡ, ଆସନ୍ତକାଲି ଓଡ଼ିଶା ଆସିବ ଅନନ୍ତ ଓଝାଙ୍କ ମର ଶରୀର

30

କନକ ବ୍ୟୁରୋ : ଆସନ୍ତାକାଲି ଓଡିଶାରେ ପହଂଚିବ ପ୍ରଖ୍ୟାତ ନାଟ୍ୟକାର ତଥା ଯାତ୍ରା ନିର୍ଦ୍ଦେଶକ ଅନନ୍ତ ଓଝାଙ୍କ ମରଶରୀର । ପୈତୃକ ଗାଁ କେନ୍ଦ୍ରାପଡା ଜିଲ୍ଲା ନିଳକଂଠପୁରରେ ତାଙ୍କର ଶେଷକୃତ୍ୟ ହେବ । ୫୯ ବର୍ଷ ବୟସରେ ବେଙ୍ଗାଳୁରୁରେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ସନ୍ଧ୍ୟାରେ ତାଙ୍କର ଦେହାନ୍ତ ହୋଇଛି । ମୁଖ କର୍କଟ ରୋଗରେ ଆକ୍ରାନ୍ତ ହୋଇ ସେ ବେଙ୍ଗାଲୁରୁର ଏଚସିଜି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

ଓଡିଶା ନାଟ୍ୟ ଜଗତକୁ ଅନେକ ସୁପରହିଟ୍ ନାଟକ ଭେଟି ଦେଇଛନ୍ତି ଅନନ୍ତ ଓଝା । ନାଟକ ଲେଖିବା ଥିଲା ତାଙ୍କର ପେଶା ଓ ନିଶା । ଗତ ୩ ଦଶନ୍ଧି ଧରି ନାଟକ ପାଇଁ ଲେଖନୀ ଚଳାଇ ଆସିଥିବା ଅନନ୍ତ ଓଝାଙ୍କର ଯାତ୍ରା ଦର୍ଶକ ମହଲରେ ରହିଛି ଏକ ସ୍ୱତନ୍ତ୍ର ପରିଚୟ । ୭୦ରୁ ଅଧିକ ଅନୁଷ୍ଠାନରୁ ସମ୍ମାନିତ ହୋଇଛନ୍ତି ଅନନ୍ତ । ଅନେକ ନାଟକରେ ନିଜ ନିର୍ଦ୍ଦେଶନାର ଛାପ ମଧ୍ୟ ଛାଡି ଦେଇ ଯାଇଛନ୍ତି ଅନନ୍ତ ଓଝା । ଯାତ୍ରା ଜଗତର ବେତାଜ ବାଦଶାହା ତଥା ମୁକୁଟବିହୀନ ସମ୍ରାଟଙ୍କ ମୃତ୍ୟୁ ଖବର ପହଂଚିବା ପରେ ଯାତ୍ରା ଜଗତରେ ଶୋକର ଛାୟା ଖେଳିଯାଇଛି ।