ଯାତ୍ରା ପାର୍ଟିର ମହାଯାତ୍ରା : ୩୦୦ ଫୁଟ ତଳକୁ ଖସିଲା ଭାରତୀ ଗଣନାଟ୍ୟର ବସ୍

34

ଦେବଗଡ: ଦେବଗଡରେ ଗଇଲୋ ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ ଗଣନାଟ୍ୟର ମାଲିକ, ମ୍ୟାନେଜର, ନାୟକ, ନାୟିକାଙ୍କ ସମେତ ୨୭ ଜଣଙ୍କ ମୃତ୍ୟୁ ହୋଇଛିି । ଦୁର୍ଘଟଣାଗସ୍ତ ହୋଇଥିବା ଏହି ଯାତ୍ରା ପାର୍ଟି ବସ୍ଟି ବରଗଡ଼ ରେମତାର ଭାରତୀ ଗଣନାଟ୍ୟର । ଏଥିରେ ୩୮ ଜଣ କଳାକାର ଥିଲେ । ୧୧ ଜଣଙ୍କ ଆହତଙ୍କ ମଧ୍ୟରୁ ୬ଜଣଙ୍କୁ ବୁର୍ଲା ବଡ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ବେଳେ ୫ଜଣଙ୍କୁ ଦେବଗଡ ହସ୍ପିଟାଲରେ ଭର୍ତି କରାଯାଇଥିଲା  । ଅବସ୍ଥା ଗୁରୁତର ହେବାରୁ ପରେ ସେମାନଙ୍କୁ ମଧ୍ୟ ବୁର୍ଲା ବଡମେଡିକାଲ ସ୍ଥାନାନ୍ତର କରାଯାଇଛି । ବସଟି ଗଇଲୋ ଘାଟିର ପ୍ରାୟ ୩୦୦ ଫୁଟ ତଳକୁ ଖସିପଡିଥିଲା । ଘଟଣାସ୍ଥଳରେ ରାତି ତମାମ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା । ଓଡ୍ରାଫ, ସିଆରପିଏଫ, ଅଗ୍ନିିଶମ ବାହିନୀ ଓ ପୋଲିସ ଉଦ୍ଧାର କାର୍ଯ୍ୟରେ ମୁତୟନ ହୋଇଥିଲେ । ତେବେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଥିବା ସୂଚନା ଦେଇଛନ୍ତି ଏସପି ସାରା ଶର୍ମା ।

ସେପଟେ ମୃତୁ୍ୟର ଘାଟିରୁ ବର୍ତି ଯାଇଛି ୮ ମାସର ଶିଶୁକନ୍ୟା । ଦେବଗଡ ଗଇଲୋ ଘାଟିରେ ୩୦୦ ଫୁଟ ତଳକୁ ଖସିପଡିଛି ଯାତ୍ରାପାର୍ଟି ବସ । ହେଲେ କଥାରେ ଅଛି ରଖେ ହରି ମାରେ କିଏ । ଏତେବଡ ଦୁର୍ଘଟଣାରୁ ସ୍ୱଭାଗ୍ୟ ବସତଃ ବଂଚି ଯାଇଛି ଶିଶୁ କନ୍ୟା ଲକ୍ଷ୍ମୀ । ଦେବଗଡ ହସ୍ପିଟାଲରେ ମାଆ କୋଳରେ ଅଛି ଲକ୍ଷ୍ମୀ । ତେବେ ମାଆଙ୍କ କହିବା ଅନୁଯାୟୀ ବସରେ ଝିଅର ବାପା ଓ ଭାଇ ବି ଥିଲେ । ସେମାନଙ୍କ ପତା ମିଳୁନି । ମୃତ କି ଜିବୀତ ସେନେଇ ମଧ୍ୟ ସେମାନଙ୍କ ପାଖରେ ଖବର ନାହିଁ । ଯାତ୍ରାପାର୍ଟରେ କାମ କରୁଥିବା ଏହି ପରିବାର ଅଭିନୟ ସାରି ଫେରୁଥିବାବେଳେ  ଗବଲୋ ଘାଟିରେ ଘଟିଥିଲା ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘଟଣା ରାତିର ସେହି ହୃଦୟ ବିଦାରକ ଦୃଷ୍ୟ ଏହି ମାଆ, ଝିଅଙ୍କ ମନରେ ଭୟ ସଂଚାର କରିଛି । ଛୋଟିଆ ଝିଅଟି କିଛି ବୁଝିପାରୁନଥିଲେ ବି ଲୋକଙ୍କ କୋଳାହଳ ଓ ଘଟଣା ତାରିର ଦୃଶ୍ୟକୁ ଦେଖି ହତବାକ ହୋଇଯାଇଛି ।

ଦେବଗଡ଼ ଗବଲୋ ଘାଟିରେ ଦୁର୍ଘଟଣା ହୋଇଥିବା ଭାରତୀ ଗଣନାଟ୍ୟ ବରଗଡ଼ ଜିଲ୍ଲା ରେମତା ଗାଁର । ରେମତାର ଭାରତୀ ଗଣନାଟ୍ୟ ଦୀର୍ଘ ୨୫ ବର୍ଷର ଯାତ୍ରା ପାର୍ଟି ବୋଲି ଜଣାପଡ଼ିଛି । ଯାତ୍ରା ପାର୍ଟିର ଶେଷ ବହିଥିଲା-ସୀତାରାମ ପାଇଁ ଅଯୋଧ୍ୟ କାନେ୍ଦ । ଏହି ନାଟକ ସାରି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।  ଏଥିରେ ବରଗଡ, ବଲାଙ୍ଗୀର, ସମ୍ବଲପୁର ତଥା ପୂର୍ବ ଓଡିଶାର କଳାକାର ଅଭିନୟ କରୁଥିଲେ । ସୀତାରାମ ପ୍ରଧାନ ଏହି ଯାତ୍ରାପାର୍ଟିର ମାଲିକ ଥିଲେ ।

ବିଜେପୁର ବିଧାୟକ ସୁବଳ ସାହୁ ଆଜି ସକାଳୁ ଦେବଗଡ ହସ୍ପିଟାଲ ଯାଇ ଆହତମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ଦୁର୍ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ସହାୟତା ଦିଆଯିବା ସହ ଆହତଙ୍କ ସମସ୍ତ ଖର୍ଚ କରିବେ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି । ସେପଟେ ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ଇଷ୍ଟର୍ଣ୍ଣ ମିଡିଆର ଅଧ୍ୟକ୍ଷ ସୌମ୍ୟ ରଂଜନ ପଟ୍ଟନାୟକ ।