ଜଟିଳ ହେଉଛି ଜଟଣୀ ଅଙ୍କ ! କଂଗ୍ରେସରୁ ଏକା ଲଢ଼ିପାରନ୍ତି ସୁର, ଦ୍ୱନ୍ଦରେ ବିଜେଡି-ବିଜେପି ।

976

କନକ ବ୍ୟୁରୋ: ଆଗାମୀ ନିର୍ବାଚନ ନେଇ ବଢୁଛି ରାଜ୍ୟ ରାଜନୀତିର ପାରଦ । ରାଜଧାନୀ ଭୁବନେଶ୍ବର ଉପକଣ୍ଠର ପଡୋଶୀ ନିର୍ବାଚନମଣ୍ଡଳୀ ହେଉଛି ଜଟଣୀ । ତେଣୁ ଏହି ନିର୍ବାଚନ ମଣ୍ଡଳୀ ଉପରେ ପ୍ରତ୍ୟେକ ରାଜନୈତିକ ଦଳର ନଜର ରହିଥାଏ । ଏପରିକି ଗୁରୁତ୍ବପୂର୍ଣ୍ଣ ଏହି ଆସନରେ ଆଗାମୀ ନିର୍ବାଚନ ବେଶ୍ ସରଗରମ ହେବ। କାରଣ ଜଟଣୀ ରାଜନୀତି ଜଟିଳ ହେବାରେ ଲାଗିଛି । ସ୍ଥିତି ଏମିତି ଯେ ବିଜେଡି-ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ମୁକାବିଲା ହୋଇପାରେ ବୋଲି ରାଜନୀତି ସମୀକ୍ଷକଙ୍କ ମହଲରେ ଚର୍ଚ୍ଚା ହେଉଛି ।

ଗତ ୨୦୧୪ ନିର୍ବାଚନରେ ମତଦାନ ଓ ଭୋଟରଙ୍କ ସଂଖ୍ୟା ବଢ଼ିଥିବା ବେଳେ ବିଜେଡିର ଭାଗୀରଥି ବଡ଼ଜେନା କଂଗ୍ରେସର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସୁର ରାଉତରାୟଙ୍କୁ ମାତ୍ର ୫୭୪୭ ଭୋଟରେ ପରାଜିତ କରି ବିଜୟୀ ତିଳକ ପିନ୍ଧିଥିଲେ । ତେବେ ବର୍ତମାନର ବିଧାୟକ ଭାଗିରଥି ବଡ଼ଜେନା ନିଜର ଶାରୀରିକ ଅସୁସ୍ଥତା କାରଣରୁ ଆସନ୍ତା ନିର୍ବାଚନରେ ଲଢ଼ିବେ ନାହିଁ ବୋଲି ସ୍ଥାନୀୟ ମହଲରେ ଚର୍ଚ୍ଚା ହେଉଛି । ତେଣୁ ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ବିଭୂତି ବଳବନ୍ତରାୟ ସ୍ବାଭାବିକ ଭାବେ ଟିକେଟ ପାଇବା ପାଇଁ ପ୍ରମୂଖ ଦାବିଦାର ରହିଛନ୍ତି । ତେବେ ବିଜେଡିରେ ଆହୁରି ଅନେକ ଆଶାୟୀ ପ୍ରାର୍ଥୀ ଯଥା ପୂର୍ବତନ ବିଧାୟକ ଶରତ ପାଇକରାୟଙ୍କ ପୁତ୍ର ସୂରଜ ପାଇକରାୟ, ବରିଷ୍ଠ ଓକିଲ ପତିତପାବନ ପଣ୍ଡା, ବିଜେଡିର ଜିଲ୍ଲା ଉପସଭାପତି ପ୍ରମୋଦ ହରିଚନ୍ଦନଙ୍କ ଭଳି ଲମ୍ବା ତାଲିକା ରହିଛି ।

ଅନ୍ୟପଟେ ଯୁବ ସାମ୍ବାଦିକ ତଥା ନ୍ୟୁଜ ୭ର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାଶ ମଧ୍ୟ ଜଟଣୀରୁ ଚଳିତ ଥର ନିର୍ବାଚନ ଲଢିବା ପାଇଁ ଅଣ୍ଟା ଭିଡିଛନ୍ତି । ଗଣମାଧ୍ୟମରେ ଶାଣିତ ଯୁକ୍ତି ଦ୍ୱାରା ଓଡିଶାବାସୀଙ୍କ ମନ ଜିଣିଥିବା ଅର୍ଦ୍ଧେନ୍ଦୁ ମଧ୍ୟ ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନତାଙ୍କର ପ୍ରଥମ ପସନ୍ଦ ଭାବେ ଉଭା ହୋଇଛନ୍ତି । ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଇ ଅର୍ଦ୍ଧେନ୍ଦୁ ଜନସର୍ମ୍ପକ ବୃଦ୍ଧି କରିବା ସହ ଯୁବବର୍ଗଙ୍କ ମଧ୍ୟରେ ବେଶ ଗ୍ରହଣୀୟ ହୋଇପାରିଛନ୍ତି । ଏହାଛଡା ଅର୍ଦ୍ଧେନ୍ଦୁଙ୍କର ଜଟଣୀରେ ନିଜସ୍ୱ ଭୋଟବ୍ୟାଙ୍କ ମଧ୍ୟ ରହିଛି । ଯାହା ନିର୍ବାଚନର ଫଳାଫଳକୁ ଓଲଟପାଲଟ କରିପାରେ । ତେବେ ଅର୍ଦ୍ଧେନ୍ଦୁ କେଉଁ ଦଳରେ ଯୋଗ ଦେବେ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ନିର୍ବାଚନ ମୈଦାନରେ ପ୍ରତିଦ୍ୱନ୍ଦୀ ପ୍ରାର୍ଥୀଙ୍କୁ କଡା ଟକ୍କର ଦେବେ ବୋଲି ଜଟଣୀରେ ଚର୍ଚ୍ଚା ଜୋର ଧରିଛି ।

ସବୁଠାରୁ ବଡ଼କଥା ହେଲା ଯେ, ଜଟଣୀରେ ବିଜେପି ଯଦିଓ ନିଜର ସ୍ଥିତିକୁ କ୍ରମାଗତ ବଢ଼ାଇଛି । ୨୦୦୯ରେ ବିଜେପି ପ୍ରାର୍ଥୀ ସୁଦୀପ୍ତ ରାୟ ୭୮୧୨ଖଣ୍ଡ ଭୋଟ ପାଇ ୪ର୍ଥ ସ୍ଥାନରେ ଥିଲେ । ୨୦୧୪ରେ ଏହା ୧୭୦୭୮କୁ ବୃଦ୍ଧି ପାଇଥିଲା ଓ ସେ ତୃତୀୟ ସ୍ଥାନରେ ପହଂଚିଥିଲେ । ବର୍ତମାନ ପୁଣି ବିଜେପିର ଟାଣୁଆ ନେତା ସୁଦୀପ୍ତ ରାୟ ଟିକଟ ଲବିରେ ଥିବାବେଳେ ଦଳର ଆଉ କିଛି କାର୍ଯ୍ୟକର୍ତ୍ତା ଯେମିତିକି ବିଶ୍ୱରଂଜନ ବଡ଼ଜେନା, ସନ୍ତୋଷ ଜେନା ମଧ୍ୟ ଟିକେଟ୍ ଲବିରେ ରହିଥିବା ଗେରୁଆ କ୍ୟାମ୍ପ ।

ସେପଟେ ବିଜେଡି ଓ ବିଜେପିକୁ କଡ଼ା ଟକ୍କର ଦେବାକୁ କଂଗ୍ରେସ ଏଥର ଜୋରଦାର ପ୍ରସ୍ତୁତି ଚଳାଇଛି । ତେଣୁ କଂଗ୍ରେସର ଏକମାତ୍ର ସାହାଭରସା ଜଟଣୀରେ ପ୍ରମୁଖ ନେତା ସୁର ରାଉତରାୟଙ୍କୁ ଦଳ ପୁଣି ପ୍ରାର୍ଥୀ କରିବାକୁ ଚୂଡ଼ାନ୍ତ ହୋଇଥିବା ଚର୍ଚ୍ଚା ହେଉଛି । କାରଣ ଜଟଣୀ ଗଡ଼କୁ ହାତେଇବା ପାଇଁ ସୁରଙ୍କ ବ୍ୟତୀତ ଅନ୍ୟ କୌଣସି ନେତା ଦଳୀୟ ଟିକଟ ଦୌଡ଼ରେ ନାହାନ୍ତି । କଂଗ୍ରେସର ଏହି ସମୀକରଣ ଦଳକୁ ଅନ୍ୟ ଦୁଇ ପ୍ରମୂଖ ଦଳ ଠାରୁ ଦୁଇ ପାଦ ଆଗରେ ରହିଛି । କାରଣ ବିଜେପି ଓ ବିଜେଡିରେ ଅନେକ ଆଶାୟୀ ପ୍ରାର୍ଥୀ ଥିବାବେଳେ କଂଗ୍ରେସରୁ କେବଳ ସୁର ରାଉତରାୟ ଦାବିଦାର ଅଛନ୍ତି ବୋଲି ଚର୍ଚ୍ଚା ହେଉଛି । ଯାହା କଂଗ୍ରେସର ବିଜୟ ପଥ ସହଜ କରିପାରେ ବୋଲି ରାଜନୀତି ସମୀକ୍ଷକମାନେ ମତ ପ୍ରକାଶ କରୁଛନ୍ତି ।