ଇଂଲଣ୍ଡକୁ ବଡ ଝଟକା । ଆହତ କାରଣରୁ ଆଗାମୀ ମ୍ୟାଚରୁ ବାଦ୍ ପଡିଲେ ଜେସନ ରୟ ।

144

ଚଳିତ ବିଶ୍ୱକପରେ ଜବରଦସ୍ତ ଫର୍ମରେ ରହିଥିବା ଇଂଲଣ୍ଡକୁ ଲାଗିଛି ବଡ ଝଟକା । ଆହତ କାରଣରୁ ଆଗାମୀ ମ୍ୟାଚରୁ ବାଦ୍ ପଡିଛନ୍ତି ଇଂଲଣ୍ଡର ଓପନର ବ୍ୟାଟସମ୍ୟାନ ଜେସନ ରୟ । ଅଷ୍ଟ୍ରେଲିଆ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରୁ ବାଦ୍ ପଡିଛନ୍ତି ରୟ । ଗୋଡର ମାଂସପେଶୀ ଟାଣି ହୋଇଯିବାରୁ ଏହି ମ୍ୟାଚରେ ରୟଙ୍କୁ ବିଶ୍ରାମ ଦିଆଯାଇଛି । ୧୪ ଜୁନରେ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଫିଲ୍ଡିଂ କରୁଥିବା ବେଳେ ରୟଙ୍କ ଗୋଡର ମାଂସପେଶୀ ଟାଣି ହୋଇ ଯାଇଥିଲା । ଯେଉଁଥିପାଇଁ ରୟ ବ୍ୟାଟିଂ ମଧ୍ୟ କରି ପାରିନଥିଲେ ।

ଆଜି ନେଟସରେ ବ୍ୟାଟିଂ କରୁଥିବା ବେଳେ ଫିଟନେସ ଟେଷ୍ଟ ଦେଇଥିଲେ ରୟ । କିନ୍ତୁ ଏବେ ପର୍ଯ୍ୟନ୍ତ ରୟ ଫିଟ୍ ନଥିବା ଦର୍ଶାଇଥିଲେ ଦଳୀୟ ଫିଜିଓ । ଫଳରେ ତାଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରୁ ବାଦ୍ ଦେବାକୁ ନିଷ୍ପତି ନିଆଯାଇଛି । ଏହାପୂର୍ବରୁ ଆହତ କାରଣରୁ ଆଫଗାନିସ୍ତାନ ଓ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ମଧ୍ୟ ଖେଳି ପାରିନଥିଲେ ରୟ । ଯାହାର ପ୍ରଭାବ ମ୍ୟାଚ୍ ଉପରେ ମଧ୍ୟ ପଡିଥିଲା । ଆଫଗାନିସ୍ତାନ ବିପକ୍ଷରେ ବାଜି ମାରିଥିଲେ ମଧ୍ୟ ଶ୍ରୀଲଙ୍କା ବିପକ୍ଷରେ ମୁଣ୍ଡ ନୁଆଁଇଥିଲା ଇଂଲଣ୍ଡ । ଆଗକୁ ଭାରତ ସହ ମ୍ୟାଚ୍ ରହିଥିବାରୁ କୌଣସି ରିସ୍କ ନେବାକୁ ଚାହୁଁନାହିଁ ଦଳର ମ୍ୟାନେଜମେଣ୍ଟ ।