ମାଲକାନଗିରିରେ ମହାମାରୀର ରୂପ ନେଉଛି ଜାପାନୀଜ୍ ଏନସେଫାଲାଇଟିସ୍ : ୨୯ରେ ପହଚିଂଲା ମୃତ୍ୟୁ ସଂଖ୍ୟା

21

ମାଲକାନଗିରି : ମାରାତ୍ମକ ଜାପାନୀଜ୍ ଏନସେଫାଲାଇଟିସ୍ ରୋଗରେ ବଢିଚାଲିଛି ଶିଶୁ ମୃତ୍ୟୁ ସଂଖ୍ୟା । ପୁଣି ୨ ଶିଶୁଙ୍କ ମୃତ୍ୟୁ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଜଣେ ଶିଶୁଙ୍କ ମୃତ୍ୟୁ  ହୋଇଥିବା ବେଳେ ଆଜି ସକାଳୁ ଆଉ ଜଣେ ଶିଶୁଙ୍କ ମୃତ୍ୟୁ ହୋଇଛି । ଫଳରେ ଶିଶୁ ମୃତ୍ୟୁ ସଂଖ୍ୟା ୨୯ରେ ପହଚିଂଛି ।

ସେପଟେ ଜାପାନୀଜ୍ ଏନସେଫାଲାଇଟିସ୍ ରୋଗକୁ ରୋକିବା ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ସଚିବ ଆରତୀ ଆହୁଜା ମାଲକାନଗିରିରେ ଏନସେଫାଲାଇଟିସ୍ ରୋଗ ପ୍ରଭାବିତ ଅଂଚଳ ପରିଦର୍ଶନ କରିଛନ୍ତି ।

ମନରେଗା ଯୋଜନାରେ ଘୁଷୁରୀ ଏନକ୍ଲୋଜର ନିର୍ମାଣ ହେବ ,ଏବଂ ଏହାକୁ ଜଗିବେ ସ୍ୱତନ୍ତ୍ର ଜଗୁଆଳୀ । ଏଭଳି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ଆରତୀ ଆହୁଜା । ଏହାଛଡା ରାଜ୍ୟ ସରକାର ଘୁଷୁରୀ ବିକ୍ରୀ ଓ ଚାଲାଣ ରୋକିବା ପାଇଁ ଖୁବ୍ ଶୀଘ୍ର ବିଜ୍ଞପ୍ତି ପ୍ରକାଶ କରିବେ ବୋଲି ସେ ସୂଚନା ଦେଇଛନ୍ତି ।

ଏହା ଛଡା ମନ୍ତ୍ରୀ ଓ ସଚିବ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିଦର୍ଶନ କରିଥିଲେ । ଜାପାନୀ ଏନସେଫାଲାଇଟିସ୍ ରୋଗର ମୁକାବିଲା ପାଇଁ ଜିଲ୍ଲାକୁ ୫୦ ଲକ୍ଷ ଟଙ୍କା ଦେବାକୁ ମନ୍ତ୍ରୀ ଘୋଷଣା କରିଛନ୍ତି । ଏହା ସହ ଭୁବନେଶ୍ୱରରୁ ଯାଇଥିବା ୭ ଜଣିଆ ବିଶେଷଜ୍ଞ ଦଳ ଆସନ୍ତା ୧୫ ଦିନଯାଏଁ ମାଲକାନଗିରିରେ ରହିବେ ।