ଜିଲ୍ଲାରୁ ଜିଲ୍ଲା ଡେଉଁଛି ଜାପାନୀ ଜ୍ୱର : ଏନସେଫାଲାଇଟିସରେ ବଢୁଛି ମୃତ୍ୟୁ ସଂଖ୍ୟା

39

କନକ ବ୍ୟୁରୋ : ମହାମାରୀର ରୂପ ନେଇଛି ଜାପାନୀ ଏନ୍ସେଫାଲାଇଟିସ୍ ରୋଗ । ଗୋଟିଏ ପଟେ ମାଲକାନଗିରିରେ ଶିଶୁ ମୃତ୍ୟୁ  ସଂଖ୍ୟା ବଢ଼ି ଚାଲିଥିବା ବେଳେ ଅନ୍ୟପଟେ ବିଭିନ୍ନ ଜିଲ୍ଲାକୁ ବ୍ୟାପିବାରେ ଲାଗିଛି ଏହି ରୋଗ । ଆଜି ମାଲକାନଗିରିରେ ପୁଣି  ଜଣେ ଶିଶୁର ମୃତ୍ୟୁ ହୋଇଛି ।

ଫଳରେ ମାଲକାନଗିରି ଜିଲ୍ଲାରେ ୩୦ ଦିନରେ  ୪୨ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି । ମାଲକାନଗିରି ଡାକ୍ତରଖାନାରେ କୋବେଗୁଡ଼ା ଗାଁର ୪ ବର୍ଷର ଶିଶୁ କନ୍ୟା କୁନି ପାଙ୍ଗିର ମୃତ୍ୟୁ ହୋଇଛି। ଅନ୍ୟପଟେ ଜିଲ୍ଲା ପରେ ଜିଲ୍ଲାକୁ ଡେଉଁଛି ଏହି ଜାପାନୀ ଜ୍ୱର । ମାଲକାନଗିରି ପରେ ଏବେ ପୁରୀ, କୋରାପୁଟ ଏବଂ ବାଲେଶ୍ୱର ଜିଲ୍ଲାରେ ଶିଶୁ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି ।

କୋରାପୁଟ ମେଡ଼ିକାଲରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଆକ୍ରାନ୍ତଙ୍କୁ ଜୟପୁରରୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି । ସେହିପରି ବାଲେଶ୍ୱର ବାଉଁଶବଣିଆ ଗାଁରେ ଜଣେ ୧୪ ବର୍ଷୀୟ ଯୁବକ ଜାପାନୀ ଏନ୍ସେଫାଲାଇଟିସ୍ ରୋଗରେ ଆକ୍ରାନ୍ତ ହୋଇଛନ୍ତି ।

ବାଲେଶ୍ୱର ମେଡ଼ିକାଲରୁ ତାଙ୍କୁ ବର୍ତମାନ କଟକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଏପଟେ ରୋଗର ମୁଖ୍ୟ କାରଣ ପାଲଟି ଥିବା ଘୁଷୁରୀଙ୍କୁ ମାରିବା ନେଇ ଆରମ୍ଭ ହୋଇଛି ବିଚାରବିମର୍ଶ । ଆବଶ୍ୟକ ପଡ଼ିଲେ ଘୁଷୁରୀମାନଙ୍କୁ ମାରିବା ପାଇଁ ଯୋଜନା ରଖିଛି ମତ୍ସ୍ୟ ଓ ପଶୁ ସଂପଦ ବିକାଶ ବିଭାଗ । ଏନେଇ ଜିଲ୍ଲାପାଳମାନଙ୍କୁ ରିପୋର୍ଟ ମଗାଯାଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –