ଡରାଉଛି ଜାପାନୀ ଜ୍ୱର । ମାଲକାନଗିରି, କେନ୍ଦୁଗୁଡା ଓ ମାରାଣପାଲି ଗାଁରେ ୩ ଶିଶୁ ଅଜଣା ରୋଗରେ ପ୍ରାଣ ହରାଇବା ପରେ ଆତଙ୍କିତ ଗ୍ରାମବାସୀ ।

29

କନକ ବ୍ୟୁରୋ: ୨୦୧୬ରେ ଆତଙ୍କ ସୃଷ୍ଟି କରିଥିବା ଜାପାନୀ ଜ୍ୱର ପୁଣି ମାଲକାନଗିରି ଜିଲ୍ଲାରେ କାୟା ବିସ୍ତାର କରିବ କି? ଏନେଇ ଚିନ୍ତାରେ ମାଲକାନଗିରି ଜିଲ୍ଲାବାସୀ । କାରଣ କାଲିମେଳା ମାରାଣପାଲି ଗାଁର ୩ବର୍ଷର ଶିଶୁଠାରେ ଜାପାନୀ ଜ୍ୱାରର ଲକ୍ଷଣ ଦେଖାଦେଇଥିବା ଆଶଙ୍କା କରାଯାଉଛି । ଶିଶୁଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଇ.ସି.ୟୁରେ ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଥିବା ପରେ ଏଭଳି ଆତଙ୍କ ଖେଳି ଯାଇଛି । ଶିଶୁ ମୃତ୍ୟୁର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଶିଶୁଟି ଜାପାନୀ ଜ୍ୱରରେ ଆକ୍ରାନ୍ତ ହୋଇଥିଲା ନା ନାହିଁ ତାହା ମଣିପାଲରୁ ଆସିବାକୁ ଥିବା ରିପୋର୍ଟରୁ ହିଁ ସ୍ପଷ୍ଟ ହେବ । ଦୁଇ ଦିନ ତଳେ ମାଲକାନଗିରି ବ୍ଲକ କେନ୍ଦୁଗୁଡା ଗାଁରେ ୨ ଜଣ କଅଁଳ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ସେହି ଗାଁର ଅନେକ ଶିଶୁ ଗୁରୁତର ଆବସ୍ଥାରେ ମାଲକାନଗିରି ଡାକ୍ତରଖାନାରୁ ଚିକିତ୍ସିତ ହୋଇ ଫେରି ଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ୨୦୧୪ ଓ ୨୦୧୬ ମସିହାରେ ଏହି ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ହିଁ ମାଲକାନଗିରିରେ ଜାପାନୀ ଜ୍ୱର ବ୍ୟାପି ଥିଲା । ତେଣୁ କେନ୍ଦୁଗୁଡା, ମାରାଣପାଲି, ମାଥିଲିର ଶିଶୁ ମୃତ୍ୟୁ ଘଟଣାକୁ ଗୁରୁତର ସହ ନେଇଛି ଜିଲ୍ଲା ପ୍ରଶାସନ । ପ୍ରଭାବିତ ଗାଁରେ ପିଲାଙ୍କ ରକ୍ତ ଓ ଗାଁର ପିଇବା ପାଣି ନମୁନା ସଂଗ୍ରହ କରି ଟେଷ୍ଟ ପାଇଁ ପଠାଇଛି ସ୍ୱାସ୍ଥ୍ୟ ବିଭାଗ । ସେହିପରି ଜିଲ୍ଲା ବ୍ୟାପି ଡି.ଡି.ଟି.ସ୍ପ୍ରେକୁ ଯୋରଦାର କରି ଗାଁ ଗାଁରେ ମଶାରୀ ବ୍ୟବହାର ଉପରେ ଗୁରତ୍ୱ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ପ୍ରତି ପଂଚାୟତରେ ଗାଁ ଗଣ୍ଡା ସଫେଇ ଅଭିଯାନ ଯୋରଦାର ହୋଇଛି । ଘୁସୁରୀମାନଙ୍କୁ ଗାଁ ଠାରୁ ଦୂରରେ ରଖିବାକୁ ପରାମର୍ଶ ଦିଆଯାଇଛି । ଜେ.ଇ ଆଉଟ ବ୍ରେକର କୌଣସି ଲକ୍ଷଣ ନାହିଁ, ଡରିବାର କୌଣସି କାରଣ ନାହିଁ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ।