ଜାପାନୀ ଏନସେଫାଲାଇଟିସରେ ଶିଶୁ ମଡ଼କର ୨ବର୍ଷ ପରେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଲା ! କୋରାପୁଟ ଓ ନବରଙ୍ଗପୁରରେ ଆରମ୍ଭ ହେଲା ଟୀକାକରଣ

27

କନକ ବ୍ୟୁରୋ : ଜାପାନୀ ଏନସେଫାଲାଇଟସ ରୋଗରେ ଶିଶୁ ମଡ଼କର ୨ ବର୍ଷ ପରେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଛି । ମାଲକାନଗିରି ଭଳି କୋରାପୁଟ ଓ ନବରଙ୍ଗପୁରରେ ଆରମ୍ଭ ହୋଇଛି ଟୀକାକରଣ । ପ୍ରଥମ ପର୍ଯ୍ୟାୟରେ ଶିକ୍ଷାଅନୁଷ୍ଠାନ ପରେ ଅଙ୍ଗନୱାଡ଼ି ଓ ବିଭିନ୍ନ ଗୋଷ୍ଠୀରେ ଟୀକା ଦିଆଯିବ । ଟୀକକୁ ନେଇ ସ୍କୁଲ ପ୍ରଶାସନ ଦ୍ୱନ୍ଦରେ ପଡିଛି । ପିତାମାତାଙ୍କ ଜାଣତରେ ଦିଆଯିବ ଟିକା । ନଚେତ ବନ୍ଦ ହେବ ବୋଲି କୁହାଯାଉଛି ।

ଜାପାନୀ ଏନସେଫାଲାଇଟସରେ ଶତାଧିକ ଶିଶୁଙ୍କ ମୃତ୍ୟୁର ୨ ବର୍ଷ ପରେ ତତ୍ପରତା ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ଜାପାନୀ ଜ୍ୱର ମାଲକାନଗିରି ଓ କୋରପୁଟରେ ଅନେକ ମା’ଙ୍କ କୋଳ ଖାଲି କରିଦେଇଥିଲା । ଆଉ ଗଣମାଧ୍ୟମର ସିରୋନାମା ପାଲଟିଥିଲା ଶିଶୁ ମଡକ ଖବର । ଶତାଧିକ ଶିଶୁଙ୍କ ମୃତ୍ୟୁ ପରେ ସରକାର ସଚେତନ ହୋଇ ଟୀକାକରଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହି ଟୀକାକରଣ ପ୍ରକ୍ରିୟା ମାଲକାନଗିରିରେ ଆରମ୍ଭ ହୋଇସାରିଥିବା ବେଳେ ଆଜିଠୁ କୋରାପୁଟରେ ଆରମ୍ଭ ହୋଇଛି । ପ୍ରଥମେ ବିଭିନ୍ନ ବିଦ୍ୟାଳୟକୁ ଚିହ୍ନଟ କରାଯାଇଛି, ଯେଉଁଠି ୧୫ ବର୍ଷର କମ ବୟସ ଛାତ୍ରଛାତ୍ରୀଙ୍କୁ ଏହି ଜେଇ ଭାକ୍ସିନ ଦିଆଯିବ । କିନ୍ତୁ ଜିଲ୍ଲାରେ ଏହି ଟୀକାକରଣକୁ ନେଇ ପ୍ରଶ୍ନ ଉଠିଛି, ପିତାମାତାଙ୍କ ଅନୁମତି ବିନା ଟୀକା ଦିଆଯାଇ ପାରିବ ନାହିଁ ବୋଲି ଦର୍ଶାଇ ପ୍ରଶାସନକୁ ସମୟ ମାଗିଛି ସ୍କୁଲ କର୍ତ୍ତୃପକ୍ଷ ।

ଟୀକାକରଣକୁ ନେଇ ଛାତ୍ରଛାତ୍ରୀ ଭୟଭୀତ ଥିବା ବେଳେ ଏହି ଟୀକାର କୌଣସି ପାଶ୍ୱର୍ ପ୍ରତିକ୍ରୀୟା ନାହିଁ ବୋଲି ଜଣାଇଛି ସ୍ୱାସ୍ଥ୍ୟ ବିଭାଗ । ସେପଟେ ଜିଲ୍ଳାର ସମସ୍ତ ଶିଶୁଙ୍କୁ ଏହି ଟୀକା ଦେବା ପାଇଁ ପର୍ଯ୍ୟାପ୍ତ ପରିମାଣର ଟୀକା ମହଜୁଦ ଥିବା କହିଛନ୍ତି ସ୍ୱସ୍ଥ୍ୟ ବିଭାଗର ସୁପର ଭାଇଜର । କୋରାପୁଟ ଭଳି ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ଜାପାନୀ ଏନସେଫାଲାଇଟିସ୍ ନିକାରଣ ପାଇଁ ଟୀକାକରଣ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଜିଲ୍ଲାର ବିଭିନ୍ନ ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ରରେ ଟୀକାକରଣ କରାଯାଉଛି । ଜିଲ୍ଲାର ୧୩୧ଟି କେନ୍ଦ୍ରରେ ଟୀକା ଦେବା ଲାଗି ନିଷ୍ପତି ହୋଇଥିବା ବେଳେ ପ୍ରଥମ ଦିନରେ ୧୦ ହଜାର ପିଲାଙ୍କୁ ଟୀକା ଦିଆଯାଇଛି ।