ମାଲକାନଗିରିରୁ ବ୍ରହ୍ମଗିରି : ଜାପାନୀ ଜ୍ୱରରେ ଥରୁଛି ସହର

23

କନକ ବ୍ୟୁରୋ : ମୃତ୍ୟୁର ଉପତ୍ୟକା ପାଲଟିଛି ମାଲକାନଗିରି । ଜୀବନ ବୁଝିବା ଆଗରୁ ଜୀବନ ହାରି ଦେଉଛନ୍ତି ଜଣେ ପରେ ଜଣେ ପିଲା। ଏନସେଫାଲାଇଟିସ୍ ଯମ ଗାଁ ଗାଁ ବୁଲି କଅଁଳା ପିଲାଙ୍କୁ ଟାଣି ନେଉଛି। ସାରା ଜିଲ୍ଲାରେ ଭୟ ଓ ଆତଙ୍କର ପରିବେଶ । ମୃତ୍ୟୁକୁ ଆଉ ରୋକି ହେବନି ।

ସରକାର ହାତ ଟେକି ଦେବା ପରେ ଆଦିବାସୀ ଗାଁରେ ଆରମ୍ଭ ହୋଇଛି ଭୂତାଣୁ ବିରୋଧୀ ଅଭିଯାନ । ତେଣୁ ଘୁଷୁରୀକୁ ମାରି ଦେଉଛନ୍ତି ଲୋକେ । ଯାହାକୁ ନେଇ ଘର ସଂସାର ଚଳୁଥିଲା, ତାକୁ ଆଜି ମାରିବାର ଦୃଶ୍ୟ ଗାଁ ଗାଁରେ । ସେପଟେ କ୍ୟୁଲେକ୍ସ ମଶା ଠାରୁ କେମିତି ଦୂରେଇ ରଖିବେ ଓ ମଶା ଠାରୁ କେମିତି ନିଜକୁ ବଂଚାଇ ରଖିବେ ସେନେଇ ସ୍କୁଲ୍ ପିଲା ଦେଉଛନ୍ତି ସଚେତନତା ବାର୍ତ୍ତା।

ସେପଟେ ପାହାଡି ଇଲାକା ଡେଇଁ ଏବେ ଉପକୂଳରେ ପହଂଚିଛି ମାରତ୍ମକ ଜାପାନୀଜ୍ ଏନସେଫାଲାଇଟିସ୍ ଭୂତାଣୁ । ଆଜି ପୁରୀ ଜିଲ୍ଲା ବ୍ରହ୍ମଗିରିରେ ଜଣେ ୧୧ ବର୍ଷର ବାଳକ ପ୍ରାଣ ହରାଇଛି । ଆହୁରି ୪ ଜଣ ଆକ୍ରାନ୍ତ ଥିବା ଜଣା ପଡିଛି । ଫଳରେ ଜିଲ୍ଲାରୁ ଜିଲ୍ଲାକୁ ମହାମାରୀ ବ୍ୟାପିବା ନେଇ ଆଶଙ୍କା ସୃଷ୍ଟି ହୋଇଛି।