ଜାପାନୀ ଜ୍ୱରରୁ ତୃତୀୟ ଝିଅ ସୁସ୍ଥ ନ ହେଲେ ଆତ୍ମାହୁତି ଦେବାକୁ ଦମ୍ପତିଙ୍କ ଚେତାବନୀ

25

ମାଲକାନଗିରି : ମାଲକାନଗିରି ଜିଲ୍ଲାପାଳ ନେଇଛନ୍ତି ଚ୍ୟାଲେଞ୍ଜ । ଦୁଇ ଛୁଆଙ୍କୁ ହରାଇଥିବା ଦମ୍ପତି ହାତରୁ ଛଡାଇ ଆଣିଛନ୍ତି ତୃତୀୟ ଝିଅକୁ । ପ୍ରତିଶ୍ରୁତି ଦେଇଛନ୍ତି ଭଲ କରିଦେବେ ଜାପାନୀ ଜ୍ୱର । ତେବେ ଚିକିତ୍ସା ଓ ପ୍ରଶାସନ ଉପରେ ଭରସା କରିପାରୁ ନଥିବା ବାପା,ମାଆ ଦେଇଛନ୍ତି ଚେତାବନୀ । ତୃତୀୟ ଛୁଆ ଭଲ ହୋଇ ଘରକୁ ନଫେରିଲେ ଆତ୍ମାହୁତି ଦେବେ ।

ସେପଟେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜେଇ ଓାର୍ଡରେ ଆଙ୍ଗନୱାଡି ଓ ଆଶା ଦିଦିଙ୍କ ସହ ହସ ଖୁସିରେ ସମୟ ବିତାଉଛି ସୁଦର୍ଶନଙ୍କ ବଡ ଝିଅ ଶାନ୍ତି । ଦେହରେ କିନ୍ତୁ ଏବେ ବି ଖଇ ଫୁଟୁଛି । ଗତ ଦୁଇଦିନ ବ୍ୟାବଧାନରେ ଛୋଟ ଭାଇ ରମେଶ ଓ ଭଉଣି ସୁଶିଳାଙ୍କ ଜାପାନୀ ଜ୍ୱରରେ ମୃତ୍ୟୁ ହୋଇସାରିଛି । ସେଥିପାଇଁ ଶାନ୍ତିଙ୍କ ଜୀବନ ରକ୍ଷା ଜିଲ୍ଲା ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ହୋଇଛି । ସେପଟେ ଝିଅକୁ ଭଲକରି ନଆଣିଲେ ଆତ୍ମାହୁତି ଦେବେ ବୋଲି ଧମକ ଦେଇଛନ୍ତି ବାପା, ମାଆ ।

ପ୍ରଶାସନର ସମସ୍ତ ଚେଷ୍ଟା ସତ୍ୱେ ନିୟନ୍ତ୍ରଣ ବାହାରକୁ ଚାଲି ଗଲାଣି ଜାପାନୀ ଜ୍ୱର । ପ୍ରତିଦିନି ଆସୁଛି ଶିଶୁଙ୍କ ମୃତ୍ୟୁ ଖବର । ଫଳରେ ପ୍ରଶାସନର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛନ୍ତି ଲୋକେ । ଏପଟେ ପ୍ରଭାବିତ ଅଂଚଳରେ ପହଂଚିଛନ୍ତି ସମାଜସେବୀ । ଅବହେଳା କରୁଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦାବି କରିଛନ୍ତି ।

ଗୋଟିଏ ପଟେ ଦୁଇ ଛୁଆଙ୍କୁ ହରାଇଥିବା ବାପା, ମାଆଙ୍କ ଆଶା ଭରସା ପାଲଟିଛନ୍ତି ଜିଲ୍ଲାପାଳ । ସେପଟେ ଶିଶୁ ମଡକ ଜାରି ରହିଥିବାରୁ ଏବେ ସମସ୍ତଙ୍କ ନିଜର ରହିଛି ଦାନୀଗୁଡା ଗାଁର ଏହି ୭ ବର୍ଷୀୟ ଝିଏ ଶାନ୍ତି ଉପରେ ।