ମାଲକାନଗିରିରେ ବେକାବୁ ଜାପାନୀ ଜ୍ୱର : ଜାତୀୟ ବିପତି ଘୋଷଣା ଦାବିରେ ଆଦିବାସୀ ସଂଘର ଜିଲ୍ଲା ବନ୍ଦ ଡାକରା

27

ମାଲକାନଗିରି : ମାଲକାନଗିରିରେ ଜାପାନୀ ଜ୍ୱର ୬୦ ଦିନରେ ନେଲାଣି ୯୭ ଶିଶୁଙ୍କ ଜୀବନ । ସୋମବାର ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୁଣି ପ୍ରାଣ ହରାଇଛନ୍ତି ୨ ଶିଶୁ । ମାଥିଲି ହାଟପଦା ସାହିର ୫ବର୍ଷର ଶିଶୁ ଝାନସି ଭୂମିୟା ଓ ଡଙ୍ଗାଗୁଡାଗାଁର ବାବୁଲା ବାଲସାଙ୍କ ମୃତ୍ୟୁ ହୋଇଛି । ଏହା ପ୍ରତିବାଦରେ ଆଜି ଜିଲ୍ଲା ବନ୍ଦ ଡାକରା ଦେଇଛି ଆଦିବାସୀ ସଂଘ । ଏହାକୁ ଜାତୀୟ ଓ ଆନ୍ତର୍ଜାତୀୟ ବିପତି ଘୋଷଣା ଦାବିରେ ସଂଘ ଏହି ବନ୍ଦ ଡାକରା ଦେଇଛି ।

୨ ମାସ ହେଲା ମାଲକାନଗିରି ଜିଲ୍ଲାରେ ଜାପାନୀ ଏନସେଫାଲାଇଟିସ ବ୍ୟାପିଥିବା ବେଳେ ଏହାକୁ ରୋକିବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର । ନେତା, ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ସଚିବ ଓ କେନ୍ଦ୍ରୀୟ ପ୍ରତିନିଧି ଦଳ ମଧ୍ୟ ପ୍ରଭାବିତ ଅଂଚଳ ଗସ୍ତ କରିଛନ୍ତି । ହେଲେ ଜାପାନୀ ଜ୍ୱରକୁ ରୋକାଯାଇପାରୁନାହିଁ ।

ପ୍ରତିଦିନ ୨ କିମ୍ବା ୩ ଶିଶୁଙ୍କ ମୃତ୍ୟୁ ହେଉଛି । ତେଣୁ ପ୍ରାଣ ହରାଉଥିବା ଶିଶୁଙ୍କ ପରିବାରକୁ ସରକାର ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରିବାକୁ ଜିଲ୍ଲା ଆଦିବାସୀ ସଂଘ ଦାବି କରିଛି । ସଂଘ ଦାବି କରିଛି ଯେ, ୧୦୮ ପଂଚାୟତରେ ସ୍ୱତନ୍ତ୍ର ଭାବେ ଟିକାକରଣ କରାଯାଉ । ଜିଲ୍ଲାରେ ପ୍ରଚୁର ପରିମାଣରେ ଔଷଧ ଗଚ୍ଛିତ ରଖିବା ଦରକାର ।

ଏକାଧିକ ଟିମ୍ ଗଠନ କରି ଯୁଦ୍ଧକାଳୀନ ଭିତିରେ ଗାଁଗୁଡିକୁ ସଫାସୁତରା କରାଯାଉ । ଦକ୍ଷ ଶିଶୁ ବିଶେଷଜ୍ଞଙ୍କୁ ଗବେଷଣା ପାଇଁ ପଠାଇବା ବନ୍ଦୋବସ୍ତ କରିବା ସହ ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ କର୍ମଚାରୀ ଯୋଗାଇ ଦିଆଯାଉ । ଦାବି ପୂରଣ ନହେଲେ ସଂଘ ଆଗକୁ କଠୋର ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି ଚେତାବନୀ ଦେଇଛି ।

ଏପରିକି ଆସନ୍ତାକାଲି ଜିଲ୍ଲା ଆଦିବାସୀ ସଂଘ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଦେବ ବୋଲି କହିଛି । ପ୍ରଶାସନ ଓ ସରକାରଙ୍କ ଅବହେଳା ପ୍ରତିବାଦରେ ସଂଘ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯିବ ବୋଲି କୁହାଯାଇଛି ।