ଜାପାନୀ ଜ୍ୱରକୁ ପଂଚାୟତ ଔଷଧ ! ମୃତ ଶିଶୁଙ୍କ ପରିବାରକୁ ୩ଲକ୍ଷର ଅନୁକମ୍ପା ଘୋଷଣା

27

କନକ ବ୍ୟୁରୋ : ନବୀନଙ୍କ ଚିନ୍ତା ପଂଚାୟତ ନିର୍ବାଚନ । ବିରୋଧୀଙ୍କ ବନ୍ଦ ଡାକରା ଭିତରେ ମୁଖ୍ୟମନ୍ତ୍ରୀ ମାଲକାନଗିରିରେ ପକାଇଲେ ପଂଚାୟତ ବୋମା । ନିର୍ବାଚନ ପୂର୍ବରୁ ଆଦିବାସୀ ଭୋଟକୁ ନିଜ ପକେଟରେ ରଖିବାକୁ ସରକାର ଖେଳିଲେ ଅନୁକମ୍ପାର ଖେଳ । ଜାପାନୀ ଜ୍ୱରରେ ପ୍ରାଣ ହରାଇଥିବା ପ୍ରତି ଶିଶୁଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଅନୁକମ୍ପା ଯୋଗାଇ ଦେବାକୁ ଆଜି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ଏବେ ପ୍ରଶ୍ନ, କାହାର ହେବେ ଆଦିବାସୀ । ଜୀବନର ମୂଲ୍ୟ ପାଇଁ ଆନ୍ଦୋଳନ କରୁଥିବା ବିରୋଧୀ ଦଳର ନା ୩ ଲକ୍ଷ ଟଙ୍କା ଯୋଗାଇ ଦେଇଥିବା ସରକାରଙ୍କର । ଏସବୁ ଭିତରେ ନିର୍ବାଚନ ଆଚରଣବିଧୀ ଲାଗୁ ହେବାର ଠିକ୍ ପୂର୍ବରୁ ମୁଖ୍ୟମନ୍ତ୍ରୀ ସାରିଛନ୍ତି ବହୁ ପ୍ରତୀକ୍ଷିତ ମାଲକାନଗିରି ଗସ୍ତ ।

ନିଆଁ ଜଳିଲା, ନାରାବାଜି ହେଲା । ମୁଖ୍ୟମନ୍ତ୍ରୀଙ୍କୁ ମାଲକାନଗିରିରେ ପୁରାଇ ନଦେବାକୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କଲେ ବିରୋଧୀ । କଂଗ୍ରେସ୍ ଓ ବିଜେପିର ୧୨ଘଂଟିଆ ବନ୍ଦକୁ ଆଦିବାସୀ ସଂଗଠନ ବି ସାଥ୍ ଦେଲା । ହେଲେ ଏସବୁ ଭିତରେ ୩୨ ପ୍ଲାଟୁନ୍ ପୁଲିସ୍ ଫୋର୍ସକୁ ଜଗାଇ ମୁଖ୍ୟମନ୍ତ୍ରୀ ଓହ୍ଲାଇଲେ ମାଲକାନଗିରିରେ । ଜାପାନୀ ଜ୍ୱରରେ ୧୦୦ ପିଲା ମରିବା ପରେ ମୁଖିଆ ଆସିନଥିଲେ ଜିଲ୍ଲାକୁ । ତେଣୁ ବିଜେଡି ନେତାଙ୍କ ଭୟ ଥିଲା କାଳେ , ବିରୋଧୀଙ୍କ ରାଜନୀତିକୁ ଆଦିବାସୀ ସମର୍ଥନ ଜଣାଇ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରିବେ ।

ହେଲେ ନବୀନଙ୍କ ଅନୁକମ୍ପା ଓ ପ୍ରତିଶ୍ରୁତିର ଗୋଟି କିନ୍ତୁ ଠିକ୍ ଚାଲିଥିଲା ମାଲକାନଗିରିରେ । ଜାପାନୀ ଜ୍ୱରରେ ପ୍ରାଣ ହରାଇଥିବା ଶିଶୁଙ୍କ ପରିବାରକୁ ୩ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କଲେ । ଏହା ସହ ବିଜୁ ପକ୍କା ଘର ଯୋଜନା ସ୍ୱୟଂ ସହାୟିକା ଗୋଷ୍ଠୀ, ପେନସନ୍ ଓ ଜଙ୍ଗଲ ଜମି ପଟ୍ଟା ନେଇ ଖୋଲିଲେ ପ୍ରତିଶ୍ରୁତିର ପେଡି । ଶେଷରେ କହିଲେ ଜିଲ୍ଲା ପାଇଁ ରହିଛି ସ୍ୱତନ୍ତ୍ର ଦରଦ ।

ବନ୍ଦ ଥିଲା ଜିଲ୍ଲା । ବନ୍ଦ ଥିଲା ଦୋକାନ ବଜାର ଗାଡି ଘୋଡା । ହେଲେ ୧୦ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା ମୁଖ୍ୟମନ୍ତ୍ରୀଙ୍କ ଏହି ସରକାରୀ କାର୍ଯ୍ୟକ୍ରମରେ । କୁହାଯାଉଛି, ବିରୋଧୀଙ୍କ ଚଳ୍ରବ୍ୟୁହଙ୍କ ଭେଦ କରି ପ୍ରଶାସନିକ ଅଧିକାରୀ ଆଗୁଆ ନେଇ ଆସିଥିଲେ ହିତାଧିକାରୀଙ୍କୁ ।

ସଭା ପୂର୍ବରୁ ଓ ସଭା ସମୟରେ ବ୍ୟାରିକେଡ ବାହାରେ ବିରୋଧୀ ଚଳାଇଥିଲେ ଆନ୍ଦୋଳନ । ହେଲେ ଭିତରେ କିନ୍ତୁ ଆଦିବାସୀଙ୍କ ମନ ଜିଣିବାକୁ ନବୀନ୍ ପଢି ଚାଲିଥିଲେ ମନ୍ତ୍ର । ଏସବୁ ଭିତରେ ବିରୋଧୀ କହିଛନ୍ତି ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କ ଆଦିବାସୀ ଇଲାକା ଗସ୍ତ ଉପରେ ବିରୋଧ ଜାରି ରହିବ ।