ଜାପାନୀ ଜ୍ୱର ମୁକ୍ତ ହେଲା ମାଲକାନଗିରି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ପଦକ୍ଷେପକୁ ଭୁରି ଭୁରି ପ୍ରଶଂସା କଲେ କେନ୍ଦ୍ର ନୀତି ଆୟୋଗ

95

କନକ ବ୍ୟୁରୋ: ଜାପାନୀ ଜ୍ୱର ମୁକ୍ତ ହେଲା ମାଲାକନଗିରି ଜିଲ୍ଲା । ଜିଲ୍ଲାରେ ଜାପାନୀ ଜ୍ୱର କଅଁଳ ଶିଶୁଙ୍କ ଜୀବନ ନେଉଥିବା ବେଳେ ଏହାକୁ ରୋକିବାରେ ସଫଳ ହୋଇଛି ଜିଲ୍ଲା ପ୍୍ରଶାସନ । କେବଳ ପ୍ରତିଶେଧକ ଟୀକା ଦ୍ୱାରା ଜାପାନୀ ଜ୍ୱର ରୋକିବା ସମ୍ଭବ ନୁହେଁ ବୋଲି ଜାଣିବା ପରେ ଏହି ମହାମାରୀର ମୂଳକୁ ଯାଇ ଭୂତାଣୁ ରୋକିବାରେ ସଫଳ ହୋଇଛି ମାଲକାଗନିରି ସ୍ୱାସ୍ଥ୍ୟ ବିଭାଗ । ଲୋକେ ଏବେ ଘୁଷୁରି ବଦଳରେ ଛେଳି ମେଣ୍ଡା ଚାଷ କରୁଛନ୍ତି । ବିଶାକ୍ତ ବଣଚାକୁଣ୍ଡା ଠାରୁ ଦୂରେଇ ରହୁଛନ୍ତି । ଏଥିପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନକୁ କେନ୍ଦ୍ରର ନୀତି ଆୟୋଗ ଭୁରି ଭୁରି ପ୍ରଶଂସା କରିଥିବା ବେଳେ ଓଡଶା ସରକାର ମଧ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ପିଠି ଥାପୁଡେଇଛି ।

୨୦୧୬ରେ ମାଲକାନଗିରି ଜିଲ୍ଲାରେ ଜାପାନୀ ଜ୍ୱର ନେଇଥିଲା ୧୫୦ରୁ ଅଧିକ କଅଁଳ ଶିଶୁଙ୍କ ମୁଣ୍ଡ । ଜିଲ୍ଲାର ୧୮୪ଟି ଗାଁରେ କାୟା ବିସ୍ତାର କରିଥିଲା ଭୂତାଣୁ ଜନିତ ଜ୍ୱର । ଜାପାନୀ ଜ୍ୱରରେ ୩୭ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ମସ୍ତିଷ୍କ ଜ୍ୱରରେ ୧୧୩ ଜଣ ଶିଶୁଙ୍କ ପ୍ରାଣହାନୀ ହୋଇଥିଲା । ସେପ୍ଟେମ୍ବର ଠାରୁ ନଭେମ୍ବର ମାସ ମଧ୍ୟରେ ଆସିଥିବା ମୃତ୍ୟୁର ଝଡରେ ଝଡି ପଡିଥିଲେ ମାଲକାନଗିରି ଦାନିଗୁଡା ଗାଁର ସୁଦର୍ଶନ ପଡିଆମିଙ୍କ ୨ ଶିଶୁ । ଆଉ ପ୍ରଶାସନର ଉଦ୍ୟମ କ୍ରମେ ମୃତ୍ୟୁ ମୁଖରୁ ଫେରି ଆସିଥିଲା ସୁଦର୍ଶନଙ୍କ ତୃତୀୟ ସନ୍ତାନ । ସେହିଭଳି କୋରୁକୋଣ୍ଡା ବ୍ଲକ ପାଲକୋଣ୍ଡା ଓ ଏହାର ଆଖପାଖ ଅଂଚଳରେ ସର୍ବାଧିକ ୨୦ରୁ ଅଧିକ ଶିଶୁ ଭୂତାଣୁ ଜନିତ ଜ୍ୱାରରେ ପ୍ରାଣ ହରାଇଥିଲେ ।

ଜାପାନୀ ଜ୍ୱର ପାଇଁ ଘୁଷୁରି, ବତକ ଓ ମଶାକୁ ଦାୟୀ କରିବା ସହ ମସ୍ତିଷ୍କ ଜ୍ୱର ପାଇଁ ବଣଚାକୁଣ୍ଡା ଫଳକୁ ଦାୟୀ କରିଥିଲେ ପ୍ରଖ୍ୟାତ ଭୂତାଣୁ ବିଶେଷଜ୍ଞ ଡ. ଜାକୋବ ଜେମ୍ସ । ତେଣୁ ଏଥିରୁ ଜିଲ୍ଲାକୁ ମୁକାଳିବା ପ୍ରଶାସନ ପାଇଁ ବଡ ଚ୍ୟାଲେଂଜ ହୋଇଥିଲା । ଗ୍ରାମାଂଚଳକୁ ପରିଷ୍କାର ପରିଛନ ରଖିବା ସହ ଘୁଷୁରି ପାଳନ ନକରି ଗୋପାଳନ ପାଇଁ ପରାମର୍ଶ ଦେଇଥିଲା ଜିଲ୍ଲା ପ୍ରଶାସନ । ଆଉ ପ୍ରଶାସନର ପରାମର୍ଶ କ୍ରମେ ଲୋକେ ଏବେ ଛେଳିମେଣ୍ଡା ପାଳନ କରୁଥିବା ବେଳେ ଦୁଇ ବର୍ଷିୟ ଜାପାନୀ ଜ୍ୱର ଶୃଙ୍ଖଳ ରୋକିବାରେ ସଫଳ ହେଇଛି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ।

ଭୂତାଣୁ ଜନିତ ଜ୍ୱରକୁ ରୋକିବା ପାଇଁ ଜେଇ ଭ୍ୟାକ୍ସିନ୍କୁ ପିଲାଙ୍କ ନିୟମିତ ଟୀକାକରଣ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରାଯାଇଥିଲା । ୨୦୧୮ରେ ଜାପାନୀ ଜ୍ୱର ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରାଶାସନ ପକ୍ଷରୁ ୯୭୭ଟି ସ୍ୱାସ୍ଥ୍ୟ ଶିବିର କରାଯାଇଥିଲା । ୧୦୦୦ରୁ ଅଧିକ ସମ୍ବେଦନଶୀଳ ଗାଁରେ ଡି.ଡି.ଟି ଛିଂଚନ କରାଯାଇଥିଲା । ୪ ଲକ୍ଷ ୨୦ ହଜାର ଔଷଧ ଯୁକ୍ତ ମଶାରୀ ବଂଟନ କରାଯାଇଥିଲା । ଆଶା କର୍ମୀ ଓ ଅଙ୍ଗନୱାଡି କର୍ମୀ ଗାଁ ଗାଁ ବୁଲି ଲୋକଙ୍କୁ ମଶାରୀ ବ୍ୟବହାର କରିବାକୁ ସଚେତନ କରାଇଥିଲେ । ସମସ୍ତଙ୍କ ଉଦ୍ୟମ ଯୋଗୁଁ ୨୦୧୮ ମସିହାରେ ଜିରୋ କାଜୁଆଲିଟି ରେକର୍ଡ କରିଛି ମାଲକାନଗିରି ଜିଲ୍ଲା ପ୍ରାଶାସନ ।