୨୦ ସେକେଣ୍ଡ ଆଗରୁ ପଳାଇଲା ଟ୍ରେନ ! କ୍ଷମା ମାଗିଲା ଜାପାନ ରେଳ ବିଭାଗ

21

ଭାରତରେ ଟ୍ରେନ ଡେରିରେ ଆସିବା ଏକ ନିତିଦିନିଆ ଘଟଣା । ଏହା ପ୍ରାୟ ସବୁ ଯାତ୍ରୀଙ୍କ ଦେହସୁହା କଥା । କିନ୍ତୁ ଏଥିପାଇଁ କେବେ ରେଳ ବିଭାଗ କ୍ଷମା ମାଗିବାର ନଜିର ନାହିଁ । କାରଣ ସମୟାନୁବର୍ତ୍ତିତାକୁ ଆମେ ଏତେ ଗୁରୁତ୍ୱ ଦେଇ ନଥାଉ । ହେଲେ ଜାପାନରେ କିନ୍ତୁ ଠିକ୍ ସମ ୟରେ କାମ ଉପରେ ଅଧିକ ଗୁରୁତ୍ୱ ଦିଆଯାଏ । ଏମିତି ଏକ ଘଟଣା ସାମ୍ନାକୁ ଆସିଛି । ଜାପାନର ଏକ ଟ୍ରେନ ମାତ୍ର ୨୦ ସେକେଣ୍ଡ ଆଗରୁ ଷ୍ଟେସନ ଛାଡିବାରୁ ସୃଷ୍ଟି ହୋଇଛି ବିବାଦୀୟ ପରିସ୍ଥିତି । ଏପରିକି ଏହି ଘଟଣା ପାଇଁ ଦେଶର ରେଳ ମନ୍ତ୍ରାଳୟକୁ କ୍ଷମା ମଧ୍ୟ ମାଗିବାକୁ ପଡିଛି । ଯାହା ଏବେ ଚର୍ଚ୍ଚାର ପରିସରକୁ ଆସିଛି ।

japan railwayମଙ୍ଗଳବାର ରାଜଧାନୀ ଟୋକିଓର ସୁକବା ଏକ୍ସପ୍ରେସ ଲାଇନରେ ଗୋଟିଏ ଟ୍ରେନ ମିନାମି -ନାଗରେୟାମା ଷ୍ଟେସନରୁ ୯ଟା ୪୪ ମିନିଟ୍ ୨୦ ସେକେଣ୍ଡରେ ନିଜର ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । କିନ୍ତୁ ଏହି ଟ୍ରେନଟି ୨୦ ସେକେଣ୍ଡ ପରେ ଅର୍ଥାର୍ତ ୯ଟା ୪୪ ମିନିଟ୍ ୪୦ ସେକେଣ୍ଡରେ ଷ୍ଟେସନ ଛାଡିବା କଥା । ତେବେ ୨୦ ସେକେଣ୍ଡ ପୂର୍ବରୁ ଟ୍ରେନଟି ଷ୍ଟେସନ ଛାଡିଥିବାରୁ ରେଳ ବିଭାଗକୁ କ୍ଷମା ମାଗିବାକୁ ପଡିଛି । ଏହି ଘଟଣା ରେଳ ବିଭାଗକୁ ଲଜ୍ଜିତ କରିଛି ବୋଲି ରେଳ ବିଭାଗର ଅଧିକାରୀ କହିଛନ୍ତି । ତେଣୁ ଏହି ଘଟଣା ପାଇଁ ଅଧିକାରୀ ଜଣକ ରେଳ ବିଭାଗର ୱେବସାଇଟରେ କ୍ଷମା ମାଗିଛନ୍ତି ।

୨୦ ସେକେଣ୍ଡ ପୂର୍ବରୁ ଟ୍ରେନ ଯିବା ଫଳରେ ଅନେକ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଥିବେ ତେଣୁ ଏହି ଘଟଣା ପାଇଁ କମ୍ପାନି ଅତ୍ୟନ୍ତ ଦୁଃଖିତ । ତେବେ ଏହି ଘଟଣା ପାଇଁ କୌଣସି ଯାତ୍ରୀଙ୍କ ଠାରୁ ଅଭିଯୋଗ ମିଳିନାହିଁ ଓ କୌଣସି ଯାତ୍ରୀଙ୍କ ଟ୍ରେନ ମିସ ହୋଇନାହିଁ । ଏହି ରୁଟରେ ପ୍ରତି ୪ ମିନିଟରେ ଗୋଟିଏ ଟ୍ରେନ ଯାତାୟତ କରିଥାଏ । ଏହି ଘଟଣା ଏବେ ଚର୍ଚ୍ଚାର ପରିସରକୁ ଆସିଛି । ସାଧାରଣତଃ ସମୟାନୁବର୍ତ୍ତିତା ପାଇଁ ଜାପାନବାସୀ ପୂରା ବିଶ୍ୱରେ ପରିଚିତ । ଆଉ ଏହାର ଝଲକ ପୁଣିଥରେ ଦେଖିବାକୁ ମିଳିଛି । ତେଣୁ ଏଭଳି ଘଟଣା ଅନ୍ୟ ଦେଶକୁ ନିଶ୍ଚିତ ପ୍ରଭାବିତ କରିବ ।