କୃଷିବିଭାଗ ଯେବେ ପାଇଛନ୍ତି, ସେବେ ବିବାଦୀୟ ହୋଇଛନ୍ତି । ଜାନୁୟାରୀ ମାସ ବି ମହାରଥୀଙ୍କ ପାଇଁ ଅଶୁଭ ହେଲାଣି । 

ମହିଳା ଭୋଟବ୍ୟାଙ୍କ ପାଇଁ ଦିନ ରାତି ଏକକରି ବିଜେଡି ରଣନୀତି କରୁଥିବା ବେଳେ ମହାରଥୀଙ୍କ ଗୋଟିଏ ବୟାନ ଦଳ ପାଇଁ କଂଟା ହୋଇଥିଲା । ଆଉ ଏହାର ଏକମାତ୍ର ଉପାୟ ଥିଲା ମନ୍ତ୍ରୀମଣ୍ଡଳରୁ ମହାରଥୀଙ୍କ ଇସ୍ତଫା । ଆଉ ଶେଷରେ ସେୟା ହିଁ ହେଲା ।

201

କନକ ବ୍ୟୁରୋ : ପୁଣି ନିଜ ବିବାଦୀୟ ବୟାନ ପାଇଁ ଇସ୍ତଫା ଦେଇଛନ୍ତି ମନ୍ତ୍ରୀ ମହାରଥୀ । ପିପିଲି ପ୍ରସଙ୍ଗରେ ତଳ କୋର୍ଟଙ୍କ ରାୟ ଆସିବା ପରେ ସେ ଦେଇଥିବା ବିବାଦୀୟ ବୟାନ ପାଇଁ ଦଳ ଅଡୁଆରେ ପଡିବାରୁ ନିଜଆଡୁ ଇସ୍ତଫା ଦେଇଥିବା ମହାରଥୀ କହିଛନ୍ତି । ଗତକାଲି ମୋଦି ପିପିଲି ପ୍ରସଙ୍ଗ ଉଠାଇବା ପରେ ଆଜି ମହାରଥୀ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି ।

ଏହାରି ଭିତରେ କିନ୍ତୁ ଏକ ରୋଚକ ଦିଗ ସାମ୍ନାକୁ ଆସିଛି । ନିଜକୁ ଚଷାପୁଅ ବୋଲାଉଥିବା ମହାରଥୀଙ୍କୁ କୃଷି ବିଭାଗ ବିଲକୁଲ ଶୁଝୁନି । ଯେବେ ଯେବେ ଏହି ବିଭାଗ ମହାରଥୀଙ୍କ ନିକଟକୁ ଆସିଛି, ତାଙ୍କର ଟେନସନ ବଢିଛି । ହାଲକୁ ସେ ପିପିଲି ରାୟ ସଂକ୍ରାନ୍ତରେ ଦେଇଥିବା ବୟାନ ପୁଣି ତାଙ୍କ ମନ୍ତ୍ରୀପଦ ନେଇଛି ।

କୃଷି ବିଭାଗ ଆଉ ଜାନୁଆରୀ ମାସ ଏହି ଦୁଇଟା ଦିଗ ମହାରଥୀଙ୍କୁ ବିଲକୁଲ ସାଥ୍ ଦେଉନି । ଜାନୁଆରୀ ଆସିଲା ମାନେ ମହାରଥୀଙ୍କ ଟେନସନ ବଢିଯାଉଛି । ନୂଆବର୍ଷରେ ନୂଆସଂକଳ୍ପ ନେଇ ସମସ୍ତେ ଆଗକୁ ବଢୁଥିବା ବେଳେ ମହାରଥୀଙ୍କର କିନ୍ତୁ ରକ୍ତଚାପ ଶୀର୍ଷକୁ ଚାଲିଯାଉଛି । କିଛି ଘଟଣାକ୍ରମ ଉପରେ ନଜର ପକାଇଲେ ଆପଣ ବୁଝିଯାଇ ପାରିବେ ।

 ୨୦୧୧ରେ ଯେତେବେଳେ କୃଷିମନ୍ତ୍ରୀ ଭାବେ ମହାରଥୀ ଦାୟିତ୍ୱ ନେଲେ ତାର ବର୍ଷକ ଭିତରେ ତାଙ୍କୁ ମନ୍ତ୍ରୀପଦ ଛାଡିବାକୁ ପଡିଥିଲା । ଜାନୁଆରୀ ମାସରେ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ମହାରଥୀ । ପିପିଲିରେ ଏକ ଦୁଷ୍କର୍ମ ପ୍ରସଙ୍ଗ ଆଉ ଅପରାଧୀଙ୍କୁ ମନ୍ତ୍ରୀ ସୁରକ୍ଷା ଦେଉଥିବା ଅଭିଯୋଗରେ ବିରୋଧୀଙ୍କ ଆନ୍ଦୋଳନ ମନ୍ତ୍ରୀଙ୍କ ଉପରେ ଚାପ ପକାଇଥିଲା । ଆଉ ଜାନୁଆରୀ ୨୦୧୨ରେ ନୈତିକତାକୁ ଆଧାର କରି ସେ ଇସ୍ତଫା ଦେଇଥିଲେ ।

MAHARATHIସେହିଭଳି ୨୦୧୫ରେ ସୋହେଲାରେ ବିଜୁ ଜନତା ଦଳ ଯେତେବେଳେ ଚାଷୀ ସମାବେଶ କରିଥିଲା, ସେଥିରେ ମଧ୍ୟ ବିଭାଗ ସମ୍ଭାଳୁଥିବା ମହାରଥୀଙ୍କ ଦେଖା ମିଳିନଥିଲା । କୁହାଗଲା, ଚାଷୀ ମୃତ୍ୟୁ ସଂକ୍ରାନ୍ତରେ ମନ୍ତ୍ରୀ ଦେଇଥିବା ବୟାନ ପାଇଁ ତାଙ୍କୁ ସମାବେଶରୁ ଦୂରେଇ ରଖାଗଲା । ନବୀନଙ୍କ ନିଷ୍ପତ୍ତି କ୍ରମେ ମହାରଥୀ ସୋହେଲା ସମାବେଶରେ ସାମିଲ ହୋଇନଥିଲେ ।

ଆଉ ଏବେ ପୁଣି ପିପିଲି ପ୍ରସଙ୍ଗ ଫେରିଛି, ଯେତେବେଳେ କୃଷି ବିଭାଗ ମହାରଥୀଙ୍କ ପାଖରେ ଅଛି ଆଉ ଜାନୁଆରୀ ମାସ ଚାଲିଛି । ପିପିଲି ଗଣ ଦୁଷ୍କର୍ମ ପ୍ରସଙ୍ଗରେ ରାୟ ଆସିବା ପରେ ମହାରଥୀ ଯେଉଁ ବୟାନ ଦେଇଥିଲେ. ତାକୁ ନେଇ ନବୀନ ଭୀଷଣ କ୍ଷୁବ୍ଧ ହୋଇଥିଲେ । କୁହାଯାଉଥିଲା ନବୀନ ଦିଲ୍ଲୀରୁ ଫେରିବା ପରେ ମହାରଥୀ ଇସ୍ତଫା ଦେବେ ଆଉ ମନ୍ତ୍ରୀମଣ୍ଡଳରେ ଅଦଳବଦଳ ହେବ । ହେଲେ ମୋଦି କାଲି ଯେଉଁ ବାଣ ମାରିଲେ, ସେଥିରେ ଇସ୍ତଫା ଦେବାକୁ ଆଉ ତର ନଥିଲା । ମହାରଥୀଙ୍କ ଇସ୍ତଫା ସହ ଗୋଟିଏ କଥା ସ୍ପଷ୍ଟ ହେଉଛି, ଆଗାମୀ ନିର୍ବାଚନ ପୂର୍ବରୁ ନବୀନ ଆଉ ରିସ୍କ ନେବାକୁ ଚାହୁଁନାହାନ୍ତି ।