କନକ ବ୍ୟୁରୋ : ଆଗାମୀ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ବିଭିନ୍ନ ହିନ୍ଦୁ ସଂଗଠନ ମୋଦୀ ସରକାରଙ୍କ ଉପରେ ଚାପ ପକାଉଥିବା ବେଳେ ସୁପ୍ରିମ୍ କୋର୍ଟରେ ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି ଆସନ୍ତା ଜାନୁଆରି ୪ରେ ହେବାକୁ ଯାଉଛି। ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ଏବଂ ବିଚାରପତି ଜଷ୍ଟିସ୍ ଏସ୍ କେ କୌଲଙ୍କ ଖଣ୍ଡପୀଠ ଏହାର ଶୁଣାଣି କରିବା ନେଇ ଚୂଡ଼ାନ୍ତ ହୋଇଛି। ଆହ୍ଲାବାଦ ହାଇକୋର୍ଟଙ୍କ ରାୟକୁ ବିରୋଧ କରି ହୋଇଥିବା ପ୍ରାୟ ୧୪ ଆବେଦନର ବିଚାର କରାଯିବ। ଖଣ୍ଡପୀଠ ଏଥିପାଇଁ ବିଧିବଦ୍ଧ ଭାବେ ଶୁଣାଣି ଆରମ୍ଭ ଲାଗି ଏକ ତିନିଜଣିଆ ଖଣ୍ଡପୀଠ ଗଠନ କରିପାରନ୍ତି ବୋଲି ଆଶା କରାଯାଉଛି।
Kanak News is now on WhatsApp
Join and get latest news updates delivered to you via WhatsApp
ଅଯୋଧ୍ୟା ଜମି ବିବାଦ ମାମଲାର ଶୀଘ୍ର ସମାଧାନ କରି ରାମ ମନ୍ଦିର ନିର୍ମାଣ କରିବାକୁ ଚାହୁଥିବା ମୋଦୀ ସରକାର ସୁପ୍ରିମ୍ କୋର୍ଟରେ ନିଜ ପକ୍ଷ ରଖିବା ପାଇଁ ପ୍ରସ୍ତୁତ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ସେପ୍ଟେମ୍ବର ୨୭ରେ ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମ୍ କୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଥିଲେ। ଏଥିସହ ମସଜିତ ଇସଲାମର ଅବିଚ୍ଛେଦ୍ୟ ଅଂଶ ନୁହେଁ ବୋଲି ୧୯୯୪ରେ ସୁପ୍ରିମ୍ କୋର୍ଟ ଯେଉଁ ରାୟ ଦେଇଥିଲେ ତାହାର ପୁନର୍ବିଚାର ନ କରିବାକୁ ଖଣ୍ଡପୀଠ କହିଥିଲେ। ଏହାବ୍ୟତୀତ ମାମଲାକୁ ବୃହତ୍ ବା ୫ ଜଣିଆ ସମ୍ବିଧାନ ଖଣ୍ଡପୀଠଙ୍କ ନିକଟକୁ ପଠାଯିବାର କୌଣସି ଆବଶ୍ୟକତା ନାହିଁ ବୋଲି ମଧ୍ୟ ସର୍ବୋଚ୍ଚ ଅଦାଲତ କହିଥିଲେ।
ଏହାଦ୍ବାରା ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି ପାଇଁ ରାସ୍ତା ପରିଷ୍କାର ହୋଇଯାଇଥିଲା। ସୁପ୍ରିମ୍ କୋର୍ଟ ଏକ ତିନିଜଣିଆ ଖଣ୍ଡପୀଠ ଗଠନ କରି ମାମଲାର ସମାଧାନ ପାଇଁ କହିଥିଲେ। ସୁପ୍ରିମ୍ କୋର୍ଟଙ୍କ ଏଭଳି ରାୟ ପରେ ହିନ୍ଦୁ ସଂଗଠନଗୁଡ଼ିକର ଦୀର୍ଘଦିନର ରାମ ମନ୍ଦିର ନିର୍ମାଣ ଦାବି ପୁଣି ତେଜିଛି। ସହଯୋଗୀ ଦଳଗୁଡ଼ିକ ମୋଦୀ ସରକାରଙ୍କ ଉପରେ ପ୍ରବଳ ଚାପ ପକାଇ ଚାଲିଛନ୍ତି। ରାମ ମନ୍ଦିର ନିର୍ମାଣ ପାଇଁ ସଂସଦର ଚଳିତ ଶୀତ ଅଧିବେଶନରେ ଅଧ୍ୟାଦେଶ ଆଣିବା ଲାଗି ମଧ୍ୟ ଆରଏସଏସ, ବିଶ୍ବ ହିନ୍ଦୁ ପରିଷଦ, ସନ୍ଥ ସମାଜ ଭଳି ବହୁ ହିନ୍ଦୁ ସଂଗଠନ ଦାବି କରିଛନ୍ତି। ତେଣୁ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ସୁପ୍ରିମ୍ କୋର୍ଟରେ ନିଜ ଯୁକ୍ତିକୁ ଉଚିତ ଢଙ୍ଗରେ ଉପସ୍ଥାପନ କରି ରାମ ମନ୍ଦିର ନିର୍ମାଣ ରାସ୍ତା ସଫା କରିବା ଲାଗି ସରକାରଙ୍କ ପାଇଁ ଏହା ଶେଷ ସୁଯୋଗ ବୋଲି କୁହାଯାଉଛି।