ଜନତା କର୍ଫ୍ୟୁ ଆହ୍ୱାନରେ ବନ୍ଦ ହୋଇଗଲା ପୂରା ଓଡ଼ିଶା । ଗାଁଠୁ ସହର ଦୋକାନ ବଜାର ବନ୍ଦ, ରାସ୍ତାଘାଟ ଖାଁ ଖାଁ । ସେବା ଯୋଗାଉଥିବା ଯୋଦ୍ଧାଙ୍କୁ ଘଂଟି ବଜାଇ, ତାଳି ମାରି ଧନ୍ୟବାଦ ଜଣାଇଲେ ଓଡ଼ିଶାବାସୀ ।

651

କନକ ବ୍ୟୁରୋ: ସାରା ଓଡ଼ିଶାରୁ ଆସିଥିବା ସମର୍ଥନ ବୟାନ କରୁଛି, ସ୍ଥିତିର ମୁକାବିଲା ପାଇଁ ଆମେ କେତେ ତତ୍ପର । ଆଉ ଦାୟିତ୍ୱକୁ ନେଇ ଆମେ କେତେ ପ୍ରତିବଦ୍ଧ । ପ୍ରଧାନମନ୍ତ୍ରୀଙ୍କ ଜନତା କର୍ଫ୍ୟୁର ଆହ୍ୱାନ । ଏବଂ ମୁଖ୍ୟମନ୍ତ୍ରୀଙ୍କ ‘ତାଲା ବନ୍ଦ’ ନିଷ୍ପତିକୁ ସ୍ୱତଃପ୍ରବୃତ ଭାବେ ସମର୍ଥନ ଜଣାଇଛନ୍ତି ଓଡ଼ିଶାବାସୀ । କଟକରୁ କୋରାପୁଟ, ବାଲେଶ୍ୱରରୁ ବଲାଙ୍ଗୀର, ଜନତା କର୍ଫ୍ୟୁ ଓ ତାଲା ବନ୍ଦକୁ ମିଳିଛି ସମର୍ଥନ ।

ରାସ୍ତାଘାଟ ଶୂନଶୂନ, ଗାଡି ମଟର ଯାତାୟତ ବନ୍ଦ । କରୋନା ବିରୁଦ୍ଧରେ ଚାଲିଥିବା ଲଢ଼େଇରେ ସାମିଲ ହୋଇଛନ୍ତି ଜନତା । ନିଜକୁ ଘରେ ଆବଦ୍ଧ ରଖି ଏହି ଅଭିଯାନକୁ ସମର୍ଥନ କରିଛନ୍ତି । ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି ଜନତା କର୍ଫ୍ୟୁ ଓ ତାଲା ବନ୍ଦର ବଡ଼ ପ୍ରଭାବ । ଜନଗହଳିପୂର୍ଣ୍ଣ ରାଜଧାନୀ ରାଜରାସ୍ତା ଖାଲି ହୋଇଯାଇଥିବା ବେଳେ କାଁ-ଭାଁ ଗୋଟିଏ ଦୁଇଟି ଗାଡ଼ି ରାସ୍ତାରେ ଯାଉଥିବା ଦେଖିବାକୁ ମିଳିଛି ।

ପୁରୀରେ ମଧ୍ୟ ଜନତା କର୍ଫ୍ୟୁକୁ ଲୋକେ ପୂର୍ଣ୍ଣ ସମର୍ଥନ କରିଛନ୍ତି । ଯେଉଁଠି ରାତି ପାହିଲେ ହଜାର ହଜାର ଲୋକଙ୍କ ଗହଳି ଲାଗେ ସେହି ବଡଦାଣ୍ଡରେ ଜନତା କର୍ଫ୍ୟୁକୁ ଲୋକେ ସମର୍ଥନ ଜଣାଇ ଘରୁ ବାହାରି ନାହାଁନ୍ତି । କଟକ ସହରରେ ବି ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକୁ ଗ୍ରହଣ କରି କରୋନା ମୁକବାଲା ପାଇଁ ଅଂଟା ଭିଡିଛନ୍ତି ଜନତା । କଟକ ବାଦାମବାଡି ବସଷ୍ଟାଣ୍ଡ ଥିଲା ପୁରା ଶୂନଶାନ ।

ମାଲକାନଗିରି ଜିଲ୍ଲାରେ ଯଦିଓ ଲକ ଡାଉନ ଘୋଷଣା ହୋଇ ନାହିଁ ତେବେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଏଠାରେ ଜନତା କର୍ଫ୍ୟୁକୁ ସମର୍ଥନ ଜଣାଇଛନ୍ତି ଜିଲ୍ଲାବାସୀ । ସାରା ଓଡ଼ିଶାରେ ଲୋକ ସ୍ୱତଃପ୍ରବୃତ ଭାବେ କରୋନା ମୁକାବିଲା ଲଢ଼େଇରେ ସାମିଲ ହୋଇଛନ୍ତି । କିନ୍ତୁ ବଡ଼ କଥା ହେଉଛି, ଆବଶ୍ୟକୀୟ ସାମଗ୍ରୀ ଉପଲବ୍ଧ ହେବ ବୋଲି ରାଜ୍ୟ ସରକାର ଯେଉଁ ଘେଷଣା କରିଥିଲେ, ସେଥିରେ ବ୍ୟତିକ୍ରମ ଦେଖାଯାଇଛି । କାରଣ ଅଧିକାଂଶ ସ୍ଥାନରେ ଆବଶ୍ୟକୀୟ ସାମଗ୍ରୀ ଉପଲବ୍ଧ ହେଉଥିିବା ଦୋକାନ-ବଜାର ବନ୍ଦ ଥିଲା ।