ଆଜି ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମଦିନ ପାଳୁଛି ସାରା ଦେଶ । ପୁରୀ ଶ୍ରୀମନ୍ଦିରରେ ହେବ ସ୍ୱତନ୍ତ୍ର ଜନ୍ମନୀତି, ସେପଟେ ସୁରକ୍ଷା ଛାଉଣୀରେ କନ୍ଧମାଳ

149

କନକ ବ୍ୟୁରୋ: ଆଜି ଜନ୍ମାଷ୍ଟମୀ । ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଓ ସାରା ଦେଶରେ ପାଳନ କରାଯିବ କୃଷ୍ଣ ଜନ୍ମ । ହିନ୍ଦୁ ପରମ୍ପରା ଅନୁସାରେ ଶ୍ରୀମନ୍ଦିର ସହିତ ମଠ ମନ୍ଦିର ଓ ଘରମାନଙ୍କରେ ଖୁବ ଧୁମଧାମରେ ଶ୍ରୀକୃଷ୍ଣଙ୍କ ଜନ୍ମ ପାଳନ କରିବାକୁ ଶେଷ ହୋଇଛି ପ୍ରସ୍ତୁତି । ପୁରୀ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବାରମାସର ତେର ଯାତ୍ରାରେ ହରି ଜନ୍ମାଷ୍ଟମୀ ଏକ ସ୍ୱତନ୍ତ୍ର ଉତ୍ସବ । ଏହି ଦିନ ଶ୍ରୀଜଗନ୍ନାଥଙ୍କର ସଂନ୍ଧ୍ୟା ଧୂପ ପରେ ଭିତର କାଠ ନିକଟରେ ଜଗନ୍ନାଥଙ୍କ ଆଜ୍ଞାମାଳ ଆସିବା ପରେ ଭଦ୍ରାସନ ଉପରେ ଜନ୍ମନୀତି ଅନୁଷ୍ଠିତ ହେବ । ଆଜି ପୁରୀ ସହରର ବିଭିନ୍ନ ମଠମାନଙ୍କରେ ଭଜନ କୀର୍ତନ କରାଯାଇ ଭ୍କ୍ତମାନେ ଉପବାସ ରଖିି ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ବ୍ରତ କରିବେ । ବିଶେଷକରି ଗୌଡିୟ ମଠମାନଙ୍କରେ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ଖୁବ ଧାମଧାମରେ ପାଳନ ହୋଇଥାଏ ।

ସେପଟେ, ଜନ୍ମାଷ୍ଟମୀ ପାଇଁ କନ୍ଧମାଳ ସୁରକ୍ଷା ଛାଉଣୀରେ ପରିଣତ ହୋଇଛି । ଆଜି ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଦଶମ ଶ୍ରାଦ୍ଧ ବାର୍ଷିକ । ତେଣୁ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ଲାଗି ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ବିଭିନ୍ନ ସ୍ଥାନରେ ରାସ୍ତା ବ୍ଲକିଙ୍ଗ କରି ଯାନବାହାନକୁ ତନ୍ନତନ୍ନ କରି ଯାଂଚ କରି ଛଡାଯାଉଛି । ସେପଟେ ଚକାପାଦ ଓ ଜଲେଶପଟ୍ଟା ଆଶ୍ରମରେ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜିତ ହେବ । ଆଜି ଜନ୍ମାଷ୍ଟମୀ ଅବସରରେ ଶୋଭାଯାତ୍ରା ବାହାରିବା ସହ ହୋମଯଜ୍ଞ, ସତସଙ୍ଗ ଓ ପ୍ରସାଦ ସେବନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିପାଇଁ ଆଶ୍ରମ ପରିସର ଚଳଚଂଚଳ ହୋଇଛି ।

ଜଲେଶପେଟ୍ଟା ଓ ଚକାପାଦ ଆଶ୍ରମରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ୨୦୦୮ ମସିହାରେ ଜନ୍ମାଷ୍ଟମୀ ଦିନ ସ୍ୱାମୀ ଲକ୍ଷଣାନନ୍ଦ ସରସ୍ୱତୀଙ୍କୁ ହତ୍ୟା କରାଯାଇଥିଲା । ସ୍ୱାମୀ ଲକ୍ଷଣାନନ୍ଦ ସରସ୍ୱତୀଙ୍କ ହତ୍ୟା ପରେ କନ୍ଧମାଳରେ ଦଙ୍ଗା ସ୍ଥିତି ସୃଷ୍ଟି ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ପ୍ରତ୍ୟେକ ଛକରେ ଯାଂଚକୁ କଡାକଡି କରାଯିବା ସହ ସମସ୍ତ ଥାନାକୁ ଆଲର୍ଟରେ ରଖାଯାଇଛି । ଅନ୍ୟପଟେ ସ୍ୱାମୀଜୀଙ୍କ ଶ୍ରାଦ୍ଧ ଦିବସକୁ ବଳିଦାନ ଦିବସ ରୁପେ ପାଳନ କରିବ ବିଶ୍ୱହିନ୍ଦୁ ପରିଷଦ ଓ ଶ୍ରଦ୍ଧାଞ୍ଜଳି କମିଟି ।

ଜନ୍ମାଷ୍ଟମୀ ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକାରେ ବାଲ୍ୟ କୃଷ୍ଣ ନିର୍ମାଣ କରିଛନ୍ତି । ବାଙ୍ଗାଲୋରର ହ୍ୱାଇଟ ଫିଲଡରେ କୃଷ୍ଣଙ୍କ ମୂର୍ତି ନିର୍ମାଣ କରିଛନ୍ତି ସୁଦର୍ଶନ ପଟ୍ଟନାୟକ । ବାଲୁକା କଳା ମାଧ୍ୟମରେ ଶିଳ୍ପୀ ଶ୍ରୀକୃଷ୍ଣଙ୍କୁ ଭକ୍ତିପୂତ ନୈବଦ୍ୟ ଦେଇଛନ୍ତି ।