ଗରିବ କଲ୍ୟାଣ ଯୋଜନାର ପଥପ୍ରଦର୍ଶକ ! ୨ ଟଙ୍କିଆ ଚାଉଳ ଯୋଜନା, ସ୍କୁଲରେ ମଧ୍ୟାହ୍ନ ଭୋଜନ, ଭୂମିହୀନ କୃଷି ଶ୍ରମିକଙ୍କୁ ଭତ୍ତା ଆଦି ଅନେକ . . . . .

378

କନକ ବ୍ୟୁରୋ : ଗରିବ କଲ୍ୟାଣ ଯୋଜନାର ପଥପ୍ରଦର୍ଶକ ଥିଲେ ଜାନକୀ ପଟ୍ଟନାୟକ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ରାଜନୀତିଠାରୁ ଆରମ୍ଭ କରି ସାହିତ୍ୟ, ସଂସ୍କୃତି, ସାମ୍ବାଦିକତା ଓ ସମାଜ ସଂସ୍କାର କ୍ଷେତ୍ରରେ ଅବଦାନକୁ ନେଇ ଅନେକ ଚର୍ଚ୍ଚା ହୋଇଆସିଛି । ଆଧୁନିକ ଓଡିଶା ନିର୍ମାଣର ସ୍ଥପତି ଭାବେ ତାଙ୍କୁ ବାରମ୍ବାର ଚିତ୍ରଣ କରାଯାଇଛି । କିନ୍ତୁ ଦାରିଦ୍ର‌୍ୟ ନିରାକରଣ ଓ ଗରିବ କଲ୍ୟାଣ କ୍ଷେତ୍ରରେ ତାଙ୍କର ନିଷ୍ଠାପର ପ୍ରୟାସ ଓ ଦୂରଦୃଷ୍ଟି ସଂପନ୍ନ ପଦକ୍ଷେପକୁ ନେଇ ସେତେଟା ଚର୍ଚ୍ଚା ଆଲୋଚନା ହୋଇନାହିଁ । ବାସ୍ତାବତା ହେଉଛି ଏ କ୍ଷେତ୍ରରେ ତାଙ୍କର ଅବଦାନ ଦୃଷ୍ଟାନ୍ତମୂଳକ । ଏପରିକି ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ରାଜ୍ୟରେ ଆରମ୍ଭ ହୋଇଥିବା କେତେକ ଗରିବ କଲ୍ୟାଣ ଯୋଜନା ପରବର୍ତୀ ସମୟରେ ଅନ୍ୟମାନଙ୍କ ପାଇଁ ପଥ ପ୍ରଦର୍ଶକ ହୋଇଛି ଓ ଜାତୀୟସ୍ତରରେ ମଧ୍ୟ ସ୍ୱୀକୃତି ପାଇଛି ।

୨ ଟଙ୍କିଆ ଚାଉଳ ଯୋଜନା
ଗରିବଙ୍କ କଲ୍ୟାଣ ପାଇଁ ୨ ଟଙ୍କିଆ ଚାଉଳ ଯୋଜନା ଥିଲା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ବଡ କାର୍ଯ୍ୟକ୍ରମ । ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ୨ ଟଙ୍କାରେ ୧ କିଲୋ ଚାଉଳ ଯୋଜନାର ପ୍ରବର୍ତନ କରିଥିଲେ ଜାନକୀ । ରିହାତି ଦରରେ ଏହିଲ ଶସ୍ତା ଚାଉଳ ଯୋଜନା କେବଳ ଆଦିବାସୀ ଓ ମରୁଡି ପ୍ରବଣ ଅଂଚଳରେ ସୀମିତ ଥିଲା । ରାଜ୍ୟର ୧୧ଟି ଆଦିବାସୀ ବହୁଳ ବ୍ଲକ ଓ ୨୫ଟି ମରୁଡି ପ୍ରବଣ ବ୍ଲକରେ ୧୯୯୫ ଏପ୍ରିଲ ପହିଲା ଦିନ ଏହି ଯୋଜନା ଆରମ୍ଭ ହୋଇଥିଲା । ସେହିପରି ୧୯୮୦ରୁ ୧୯୮୯ ମଧ୍ୟରେ ଜାନକୀଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ୧୧ଟି ଆଦିବାସୀ ବହୁଳ ଜିଲ୍ଲାର ୧୧୪ ବ୍ଲକରେ କିଲୋପିଛା ୧ ଟଙ୍କା ୮୫ ପଇସାରେ ଚାଉଳ ଯୋଗାଇ ଦିଆଯାଉଥିଲା ।

ସ୍କୁଲରେ ମଧ୍ୟାହ୍ନ ଭୋଜନ
ସ୍କୁଲଗୁଡିକରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ବଂଟନ ଏବେ ଏକ ଜାତୀୟ କାର୍ଯ୍ୟକ୍ରମ । ଯେଉଁ ଯୋଜନାର ଓଡିଶାରେ ଆଦ୍ୟ ପ୍ରବର୍ତକ ଥିଲେ ଜୋଗଜନ୍ମା ଜାନକୀ । ଆଦିବାସୀ ବହୁଳ ଅଂଚଳର ପିଲାଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବାକୁ ଏବଂ ସ୍କୁଲ ଡ୍ରପଆଉଟ୍ ରୋକିବା ଉଦ୍ଦେଶ୍ୟରେ ୧୯୯୫ ଜୁଲାଇରେ ରାଜ୍ୟରେ ଆରମ୍ଭ କରାଯାଇଥିଲା ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ । ତେବେ ଏହି ଯୋଜନାର ଆଉଏକ କଲ୍ୟାଣକାରୀ ଦିଗ ହେଲା- ଏଥିରେ ପ୍ରାୟ ୮୦ ହଜାର ବିଧବା ଓ ଅସହାୟ ମହିଳାଙ୍କ ପାଇଁ କର୍ମ ନିଯୁକ୍ତିର ସୁଯୋଗ ସୃଷ୍ଟି କରାଯାଇଥିଲା ।

ମାଗଣା ଭୋଜନକେନ୍ଦ୍ର ବ୍ୟବସ୍ଥା
ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଆଉଏକ ଜନକଲ୍ୟାଣକାରୀ ଯୋଜନା ହେଉଛି- କ୍ଷୁଧାପ୍ରବଣ ଅଂଚଳରେ ମାଗଣା ଭୋଜନ କେନ୍ଦ୍ରର ବ୍ୟବସ୍ଥା । କେବିକେ ଜିଲ୍ଲାର ୨୦ଟି ବ୍ଲକରେ ଏହି ଭୋଜନକେନ୍ଦ୍ର ଖୋଲାଯାଇଥିଲା । କୋରାପୁଟ୍, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାର ଗରିବ ଓ ଅସହାୟଙ୍କ ପାଇଁ ମାଗଣା ଭୋଜନର ବ୍ୟବସ୍ଥା କରାଯାଇଥିଲା ।


ଭୂମିହୀନ କୃଷି ଶ୍ରମିକଙ୍କୁ ଭତ୍ତା

ଅର୍ଥନୈତିକ ଓ ସାମାଜିକ ଦୃଷ୍ଟିରୁ ଦୁର୍ବଳ ବର୍ଗଙ୍କ ପାଇଁ ଜାନକୀଙ୍କ ଆଉଏକ ସମ୍ବେଦନଶୀଳତାର ଉଦାହରଣ ହେଉଛି ଭୂମିହୀନ କୃଷି ଶ୍ରମିକଙ୍କ ପାଇଁ ଭତ୍ତାର ବ୍ୟବସ୍ଥା । ଅସହାୟ ବୃଦ୍ଧ, ବୃଦ୍ଧା ଓ ବିଧବାଙ୍କୁ ମାସିକ ଭତ୍ତା ପ୍ରଦାନ ସହ ୧ ଲକ୍ଷ କୃଷି ଶ୍ରମିକଙ୍କ ପାଇଁ ମାସିକ ଶହେ ଟଙ୍କାର ଭତ୍ତା ବ୍ୟବସ୍ଥା କରିଥିଲେ ଜାନକୀ ସରକାର ।

ଇଆରଆରପି ସ୍କିମ୍
ଇକୋନୋମିକ ରିହାବିଲିଟେସନ୍ ଅଫ ରୁରାଲ ପୁଅର । ରାଜ୍ୟର ଗରିବଙ୍କ ଆର୍ଥିତ ସ୍ଥିତିରେ ଉନ୍ନତି ଆଣିବାକୁ ଲାଗୁ କରିଥିଲେ ଏହି ଇଆରଆରପି ଯୋଜନା । ଗ୍ରାମାଂଚଳର ଗରିବ ଲୋକଙ୍କୁ ଏହି ଯୋଜନା ଅଧିନରେ ସାଧାରଣ ସଂପତ୍ତି – ଯେମିତିକି ଗାଁ ପୋଖରୀ, ଗାଁ କାଜୁ ଜଙ୍ଗଲ ଆଦିକୁ ଲିଜ ସୂତ୍ରରେ ଦିଆଯାଉଥିଲା । ଫଳରେ ସେମାନେ ଏହାର ଅର୍ଥନୈତିକ ଆୟକାରୀ ଉପଯୋଗ କରିପାରିବେ । ହିତାଧିକାରୀମାନେ ପୋଖରୀରେ ମାଛ ଚାଷର ସୁଯୋଗ ପାଇଲେ । କାଜୁ ଜଙ୍ଗଲ ସଂରକ୍ଷଣ କରି ସେଥିରୁ ମଞ୍ଜି ସଂଗ୍ରହ ଓ ବିକ୍ରି ଅଧିକାର ମଧ୍ୟ ଦିଆଗଲା । କେନାଲ ହିଡରେ ଲଗାଯାଇଥିବା ନଡିଆ ଗଛର ରକ୍ଷଣାବେକ୍ଷଣ ସହ ନଡିଆ ବିକ୍ରି କରି ଦୁଇ ପଇସା ରୋଜଗାର କରିବାର ଅଧିକାର ହିତାଧିକାରୀଙ୍କୁ ମିଳିଲା । ସେହିଭଳି ଗରିବ କ୍ଷୁଦ୍ର ବ୍ୟବସାୟୀଙ୍କୁ ସବସିଡ୍ଯୁକ୍ତ ବ୍ୟାଙ୍କ ରୁଣ ମଧ୍ୟ ଯୋଗାଇ ଦିଆଗଲା ।

 

କୃଷକ କଲ୍ୟାଣ କାର୍ଯ୍ୟକ୍ରମ
ଜାନକୀ ବଲ୍ଲଭ ଭଲଭାବେ ଜାଣିଥିଲେ ଯେ, ରାଜ୍ୟରେ କୃଷି ଓ କୃଷକର ବିକାଶ ନହେଲେ ଦାରିଦ୍ର‌୍ୟର କଳଙ୍କ ହଟିବ ନାହିଁ । କାରଣ ୫୦ ଭାଗରୁ ଅଧିକ ଗରିବ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଚାଷୀ ଓ କୃଷି ଶ୍ରମିକ । ଏମାନଙ୍କୁ ଦାରିଦ୍ର‌୍ୟ ସୀମାରେଖାରୁ ଉପରକୁ ଉଠାଇବା ଲାଗି କୃଷିକୁ ଗୁରୁତ୍ୱ ଦେଇ ଜଳସେଚନକୁ ବ୍ୟାପକ କରିଥିଲେ ଜାନକୀ ବଲ୍ଲଭ । ଅନେକ ବୃହତ ଓ ମଧ୍ୟମ ଜଳସେଚନ ପ୍ରକଳ୍ପ ତାଙ୍କରି ସମୟରେ ହାତକୁ ନିଆଯାଇ କାର୍ଯ୍ୟକାରୀ କରାଯାଇଥିଲା । ରାଜ୍ୟରେ ଦାରିଦ୍ର‌୍ୟ ନିରାକଣ ପାଇଁ ଜାନକୀଙ୍କ ପ୍ରୟାସର ଏକ ଉଦାହରଣ ହେଲା- ୧୯୮୩-୮୪ରେ ଦାରିଦ୍ର‌୍ୟ ହାର ୬୫.୨୯ ପ୍ରତିଶତ ଥିଲା । କିନ୍ତୁ ୧୯୮୭-୮୮ ବେଳକୁ ଏହା ୫୫.୫୮ ପ୍ରତିଶତକୁ ଖସିପାରିଥିଲା ।


କେବିକେ ଯୋଜନା ଓ ପଶ୍ଚିମ ଓଡିଶା ବିକାଶ ପରିଷଦ

ଅନଗ୍ରସର ଓ ପଛୁଆ ଅଂଚଳର ବିକାଶ ପାଇଁ ଜାନକୀଙ୍କ ଶାସନ କାଳରେ ପ୍ରାଥମିକତା ଦିଆଯାଉଥିଲା । ଦେଶର ସବୁଠାରୁ ପଛୁଆ ଇଲାକା କୁହାଯାଉଥିବା ଅବିଭକ୍ତ କୋରାପୁଟ, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାକୁ ନେଇ କେବିକେ ଯୋଜନା ତତ୍କାଳୀନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କ ସହାୟତାରେ ଜାନକୀ ବଲ୍ଲଭ ହିଁ ଆରମ୍ଭ କରିଥିଲେ । ଆଂଚଳିକ ବୈଷମ୍ୟ ଦୂର କରିବାକୁ ପଶ୍ଚିମ ଓଡିଶା ବିକାଶ ପରିଷଦ ଗଠନ ପାଇଁ ପ୍ରକ୍ରିୟା ମଧ୍ୟ ତାଙ୍କ ନେତୃତ୍ୱାଧୀନ ସରକାର ସମୟରେ ଆରମ୍ଭ ହୋଇଥିଲା ।