ବିଚକ୍ଷଣ ରାଜନେତା ଜାନକୀ ! ରାଜ୍ୟରେ ଶିଳ୍ପ ପ୍ରଗତି ପଥରେ ଅବଦାନ ଅବିସ୍ମରଣୀୟ

281

କନକ ବ୍ୟୁରୋ : ଆଧୁନିକ ଓଡିଶାର ନିର୍ମାତା ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ । ରାଜ୍ୟକୁ ଦୃତ ଶିଳ୍ପ ପ୍ରଗତି ପଥରେ ନେଇଯିବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ତାଙ୍କୁ ଆଧୁନିକ ଓଡିଶାର ବିନ୍ଧାଣୀ ଭାବେ ଚର୍ଚ୍ଚାରେ ରଖିଆସିଛି । ଯିଏ ହଜାରେ ଦିିନରେ ହଜାର କୋଟି ଟଙ୍କାର ହଜାର ଶିଳ୍ପ ପ୍ରତିଷ୍ଠା ପାଇଁ ଦେଇଥିଲେ ଆହ୍ୱାନ ।

ଗତ ଶତାବ୍ଦୀର ଅଶୀ ଦଶକରେ ଓଡିଶା ମୁଖ୍ୟମନ୍ତ୍ରୀ ଭାବେ ନେତୃତ୍ୱ ନେଇଥିଲେ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକ । ସେହି ସମୟରେ ରାଜ୍ୟରେ ବୃହତ୍ ଶିଳ୍ପ କେନ୍ଦୁଝର, ଗଞ୍ଜାମ, ସମ୍ବଲପୁର ଓ କୋରାପୁଟରେ ପ୍ରତିଷ୍ଠା ହୋଇସାରିଥିଲା । ହେଲେ ଛୋଟ ଓ ମଧ୍ୟମ ଶିଳ୍ପର ଆବଶ୍ୟକତା ଅନୁଭବ କରି ଜାନକୀ ପଟ୍ଟନାୟକ ଆହ୍ୱାନ ଦେଲେ ହଜାରେ ଦିନ ଭିତରେ ହାଜର କୋଟି ଟଙ୍କାରେ ହଜାରେ ଶିଳ୍ପ ପ୍ରତିଷ୍ଠା ହେବ । ଏଥିପାଇଁ ସ୍ୱତନ୍ତ୍ର ଶିଳ୍ପ ନୀତି ପ୍ରସ୍ତୁତ କଲେ ଓ ସରକାରୀ କଳକୁ ପ୍ରବର୍ତାଇଲେ ଜାନକୀ । ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ ରାଜ୍ୟରେ କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ ବସାଇବା ପାଇଁ ସରକାରଙ୍କ ଅଧୀନରେ କାମ କରୁଥିବା ଇପିକଲ, ଇଡକଲ, ଓଏସଏଫସି ଏବଂ ଓଏସଆଇସି ଭଳି ସଂସ୍ଥା ତତ୍ପରତା ପ୍ରକାଶ କଲେ ।

ଏହାଛଡା ବୃହତ ଶିଳ୍ପ କିଭଳି ଓଡିଶାକୁ ଆସିବ ସେ ଦିଗରେ ପଦକ୍ଷେପ ନେଲେ । ବୟନ ଶିଳ୍ପ ଓ ପ୍ରଯୁକ୍ତି ବିଜ୍ଞାନ ଭିତ୍ତିକ ଶିଳ୍ପ ଉନ୍ନୟନ ପାଇଁ ସଂସ୍ଥା ବସାଇଲେ । ହୋଟେଲ ଏକ ଶିଳ୍ପ ବୋଲି ଘୋଷଣା କରିବା ସହ ଉଦ୍ୟୋଗୀମାନଙ୍କୁ ହୋଟେଲ ବସାଇବାକୁ ପ୍ରତ୍ସୋହିତ କଲେ । ସିନେମା ହାଉସ ବସାଇବାକୁ ସରକାରୀ ସାହାଯ୍ୟ ଯୋଗାଇ ଦିଆଗଲା । ଏଥିପାଇଁ ସ୍ଥାପିତ ହେଲା ଓଡିଶା ଚଳଚ୍ଚିତ୍ର ଉନ୍ନୟନ ସଂସ୍ଥା । ତାଙ୍କରି ସମୟରେ ସ୍ଥାପିତ ହେଲା କଳିଙ୍କ ଷ୍ଟୁଡିଓ । ସେହିପରି ବୃହତ ଶିଳ୍ପ କ୍ଷେତ୍ରରେ ତାଙ୍କର ଅବଦାନ ଅବିସ୍ମରଣୀୟ ।

କେନ୍ଦୁଝରର ସ୍ପଞ୍ଜ ଆଇରନ୍ ଶିଳ୍ପ, ଭଦ୍ରକ ଓ ବ୍ରାହ୍ମଣୀପୋଲରେ ଚାର୍ଜକ୍ରୋମ୍ ଶିଳ୍ପ, ବାଲେଶ୍ୱରରେ କ୍ୟାଲସିୟମ୍ ସିଲିସାଇଡ୍ ଓ ଟାୟାର ଶିଳ୍ପ ଆଦି ଜାନକୀ ବଲ୍ଲଭଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ସମ୍ଭବ ହୋଇଥିଲା । ମୁଖ୍ୟମନ୍ତ୍ରୀ ନିଜେ ଶିଳ୍ପ ସ୍ଥାପନର ଅଗ୍ରଗତି ନେଇ ତଦାରଖ କରୁଥିଲେ ।

ରାଜ୍ୟରେ କୃଷି ବିକାଶ ଚିନ୍ତା ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଅଗ୍ରାଧିକାର ତାଲିକାରେ ରହିଥିଲା । ତେଣୁ ସେ କୃଷି କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତନ ଆଣି ୧୯୯୬ ମସିହା ଏପ୍ରିଲ ୧୬ ତାରିଖରେ କୃଷିକୁ ଶିଳ୍ପର ମାନ୍ୟତା ପ୍ରଦାନ କରିଥିଲେ । ରାଜ୍ୟରେ କୃଷି ଅର୍ଥନୀତିର ପ୍ରଗତି ଓ କୃଷକ ସମାଜର ବିକାଶ ପାଇଁ ନୂଆ ଓ ପ୍ରଗତିଶୀଳ କୃଷିନୀତି ପ୍ରଣୟନ କରାଯାଇଥିଲା । ଶିଳ୍ପ କ୍ଷେତ୍ରରେ ପ୍ରୋତ୍ସାହନ ପାଇଁ ଇପିକଲ ଓ କୃଷି ଶିଳ୍ପକୁ ପ୍ରୋତ୍ସାହନ ପାଇଁ ଆପିକଲ ଭଳି ସଂସ୍ଥା ଗଠନ କରିଥିଲେ । ସେହିପରି କୃଷି ଶିଳ୍ପର ବିକାଶ ପାଇଁ ଚିନିକଳ ଓ ସୂତାକଳ ପ୍ରତିଷ୍ଠା କରିଥିଲେ । କୃଷିଜାତ ଦ୍ରବ୍ୟକୁ ମୂଲ୍ୟଯୁକ୍ତ କରିବା ପାଇଁ କୃଷିଜାତ ଦ୍ରବ୍ୟ ପ୍ରକ୍ରିୟାକରଣ ଶିଳ୍ପ ଓ ଅନ୍ୟାନ୍ୟ କୃଷି ଭିତ୍ତିକ ଶିଳ୍ପ ସ୍ଥାପନ ପାଇଁ କରାଯାଇଥିଲା ଆପିକଲ ।

ବୈଷୟିକ ଜ୍ଞାନ କୌଶଳ ଯୋଗାଇବାଠୁ ଆରମ୍ଭ କରି ପୁଞ୍ଜି ଯୋଗାଡ କରିବା, ସବସିଡ୍ ଦେବା ଓ ତାଲିମ ଦେବା କାମ ଆପିକଲ କରୁଛି । ଏଥିସହ ଉତ୍ପାଦର ବିପଣନ କାମ ମଧ୍ୟ ତୁଲାଉଛି । ଓଡିଶାରେ ଆଜି ଯଦି ମୁଣ୍ଡପିଛା ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଥାଏ ତାହା ସମ୍ଭବ ହୋଇଛି ଓମଫେଡ୍ ଯୋଗୁଁ । ତେବେ ଓମଫେଡ୍ ପ୍ରତିଷ୍ଠା ହୋଇଥିଲା ୧୯୮୦ ମସିହାରେ ଯେତେବେଳେ ଜାନକୀ ପଟ୍ଟନାୟକ ପ୍ରଥମଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ସେହିପରି ଅଣ୍ଡା ଉତ୍ପାଦନ ବଢାଇବା ସହ ଅନ୍ୟ ରାଜ୍ୟ ଉପରେ ନିର୍ଭର ନକରିବାକୁ ଓପେଲଫେଡ୍ ମଧ୍ୟ ତାଙ୍କରି ସମୟରେ ଆରମ୍ଭ ହୋଇଥିଲା । ଓଡିଶାର ଫଳଚାଷୀ ବାହାର ରାଜ୍ୟର ଫଳଚାରା ଉପରେ ନିର୍ଭର କରୁଥିଲେ । ତେଣୁ ରାଜ୍ୟକୁ ଫଳ ଉତ୍ପାଦନରେ ନିର୍ଭରଶୀଳ କରିବା ଲାଗି ପ୍ରତି ବ୍ଲକରେ ଫଳଚାରା ଉତ୍ପାଦନ କରିବାକୁ ନର୍ସରି ସ୍ଥାପନ କରାଯିବାର ପ୍ରୟାସ ତାଙ୍କରି ସମୟରେ ଆରମ୍ଭ ହୋଇଥିଲା । କୃଷି ଓ ଉଦ୍ୟାନ ବିଭାଗ କର୍ମଚାରୀଙ୍କ ଦ୍ୱାରା ଅର୍ଥକାରୀ ଫସଲ ଉତ୍ପାଦନ ପାଇଁ ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଇ ଦିଆଯାଇଥିଲା ।