ଜଙ୍ଗଲ ଜଗୁଛି ଯମୁନା ! ଝାଡଖଣ୍ଡରେ ଓଡିଆ ଝିଅର ସାହସକୁ ସଲାମ

120

ବଣଜଙ୍ଗଲ କାହା ପାଇଁ ପିକନିକ ସ୍ପଟ ହୋଇପାରେ କିମ୍ବା କେହି କେହି ଏହାକୁ ପ୍ରାକୃତିକ ସୈାନ୍ଦର୍ଯ୍ୟର ଗନ୍ତାଘର ଭାବି ବୁଲିବାକୁ ଯାଇଥାଆନ୍ତି କିନ୍ତୁ ଜଙ୍ଗଲ ଅନେକଙ୍କ ପାଇଁ ବଂଚିବାର ମୁଖ୍ୟ ମାଧ୍ୟମ । କେବଳ ଓଡିଶାର ଆଦିବାସୀ ନୁହଁନ୍ତି ଭାରତରେ ଅନେକ ରାଜ୍ୟର ଆଦିବାସୀ ମାନେ ଜଙ୍ଗଲ ଉପରେ ନିର୍ଭର କରିଥାନ୍ତି ନିଜ ଜୀବନ ପାଇଁ । କାରଣ ସେମାନେ ଜାଣିଛନ୍ତି ଏହି ଜଙ୍ଗଲ ସେମାନଙ୍କ ମାଆ । ଆଉ ମାଆର ସୁରକ୍ଷା ପାଇଁ ଆଗେଇ ଆସିଛନ୍ତି ମହିଳା । କାଠ ମାଫିଆଙ୍କ କବଳରୁ ରକ୍ଷାକରିବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଛନ୍ତି ଝାଡଖଣ୍ଡର ଜଣେ ଗରିବ ଆଦିବାସୀ ମହିଳା । ତାଙ୍କର ଲକ୍ଷ୍ୟ କାଠ ମାଫିଆଙ୍କ କବଳରୁ ଜଙ୍ଗଲକୁ ସୁରକ୍ଷା ଦେବା ।

ନିଜର ସୁରକ୍ଷା ପାଇଁ କେବଳ ଗୋଟିଏ କୁକୁରକୁ ଧରି ଲଗାତାର ଘଂଚ ଜଙ୍ଗଲରେ ବୁଲି ବୁଲି ଏହି ନିଷ୍ଠାବାନ ମହିଳାମାନେ ଅନେକ ବର୍ଷ ଧରି ୫୦ ହେକ୍ଟର ଶାଳ ଜଙ୍ଗଲକୁ ବଂଚାଇ ରଖିବାରେ ସକ୍ଷମ ହୋଇଛନ୍ତି । ଏଭଳି ଜନହିତକାରି କାର୍ଯ୍ୟର ମୁଖ୍ୟ ହେଉଛନ୍ତି ଜଣେ ଆଦିବାସୀ ମହିଳା । ସେ ହେଉଛନ୍ତି ଯମୁନା ଟୁଡୁ । ବୟସ ୩୭ । ଗତ ଦୁଇ ଦଶନ୍ଧି ଧରି ଯାହାଙ୍କ ଜୀବନ କେବଳ ଜଙ୍ଗଲକୁ ସୁରକ୍ଷା ଦେବାରେ ବିତି ଯାଇଛି । ୧୯୯୮ରେ ତାଙ୍କ ବିବାହ ପରେ ଜଙ୍ଗଲକୁ ସଂରକ୍ଷିତ କରି ସୁରକ୍ଷା ପ୍ରଦାନ କରିବା ମୁଖ୍ୟ ଚ୍ୟାଲେଂଜ ଥିଲା । ତାଙ୍କ ଦ୍ୱାରା ଗଠନ କରାଯାଇଥିବା ‘ବନ ସୁରକ୍ଷା ସମିତି’ରେ ଆଜି ୬୦ ଜଣ ସଦସ୍ୟ ଅଛନ୍ତି । ଯେଉଁମାନେ ତିନୋଟି ସିଫ୍ଟ ମାଧ୍ୟମରେ ଜଙ୍ଗଲରେ ପାଟ୍ରୋଲିଂ କରିଥାନ୍ତି । ଯେକୌଣସି ସମୟରେ ମାଫିଆଙ୍କ ଭୟ ଥାଏ । ଥରେ ପ୍ରତିଶୋଧ ଓ ବର୍ବରକାଣ୍ଡ ଘଟାଇବା ଉଦ୍ଦେଶ୍ୟରେ ମାଫିଆମାନେ ଜଙ୍ଗଲରେ ନିଆଁ ଲଗାଇଦେଇଥିଲେ । କିନ୍ତୁ ଜଙ୍ଗଲକୁ ସୁରକ୍ଷା ଦେବାକୁ ଆଗେଇ ଆସିଥିଲେ ଯମୁନା । ଆଉ ଜଙ୍ଗଲର ସୁରକ୍ଷା ପାଇଁ ତାଙ୍କୁ ସମ୍ମାନିତ କରିଥିଲେ ଭାରତର ରାଷ୍ଟ୍ରପତି ।

“ବାହାଘରର କିଛିଦିନ ପରେ ତାଙ୍କୁ ଶାଶୂ , ନଣଦ ଓ ଗାଁର କିଛି ମହିଳା ମୋତେ ରୋଷେଇ ପାଇଁ କାଠ ଆଣିବାକୁ ଜଙ୍ଗଲକୁ ନେଇଥିଲେ, ମୁଁ ଭାବିଥିଲି ଯଦି ଏହିଭଳି ଗଛ କଟାଯାଏ ତେବେ ଦିନେ ନା ଦିନେ ସମୁଦାୟ ଜଙ୍ଗଲ ଧ୍ୱଂସ ପାଇଯିବ ।” ଯମୁନା ଟୁଡୁ

ତାଙ୍କ ଯୁଦ୍ଧ ଥିଲା କାଠ ମାଫିଆ ଓ ବିରଳ ଶାଳ କାଠ କାଟୁଥିବା ଲୋକଙ୍କ ବିରୁଦ୍ଧରେ । ସେ ଯେତେବେଳେ ଜଙ୍ଗଲର ସୁରକ୍ଷା ନେଇ ଗାଁ ର ମହିଳାଙ୍କ ସହ କଥା ହେଲେ ମହିଳାମାନେ ଚକିତ ହୋଇଯାଇଥିଲେ । ଯମୁନା କହିଥିଲେ ଆମେ ଏପରି କାମ କରିବା ଯାହା ଆମ ଗାଁର ପୁରୁଷଙ୍କ ଆବଶ୍ୟକତା ପଡିବ ନାହିଁ । ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢିଥିବା ଯମୁନା ମହିଳାଙ୍କୁ ଜଙ୍ଗଲର ଆବଶ୍ୟକତା ଓ ସେମାନଙ୍କ ଭବିଷ୍ୟତ ବିଷୟରେ ବୁଝାଇଥିଲେ । ସେ ବୁଝାଇଥିଲେ ଜଙ୍ଗଲ ନରହିଲେ ଆମ ପରିବେଶ ସୁରକ୍ଷିତ ରହିବ କେମିତି ?

“ମୋର ଜଙ୍ଗଲ ପ୍ରତି ଭଲପାଇବା ଓ ସମ୍ମାନ ରହିଛି । ମୋ ବାପା ଓଡିଶାରେ ଆମ ଫାର୍ମରେ ବହୁତ ଗଛ ଲଗାଇଛନ୍ତି । ସେବେଠାରୁ ମୁଁ ପରିବେଶର ସୁରକ୍ଷା ବିଷୟରେ ଜାଣିଛି ।” ଯମୁନା ଟୁଡୁ

ମଦ ପାଇଁ ତାଙ୍କ ସଂପ୍ରଦାୟର ଲୋକମାନେ କିପରି ଗଛ କାଟୁଥିଲେ ତାହା ସେ ଦେଖିଥିଲେ ଓ ଗାଁର ମହିଳାଙ୍କୁ ବୁଝାଇଥିଲେ । ଯମୁନା କହିଥିଲେ “ ଗାଁର କିଛି ମହିଳାଙ୍କୁ ମୁଁ ବୁଝାଇଲି,ବାରମ୍ବାର ମିଟିଂ କଲି ଓ ଜଙ୍ଗଲର ସୁରକ୍ଷା ସହ ପରିବେଶ ଉପରେ ତାର ପ୍ରଭାବ ନେଇ ତାଙ୍କୁ ବୁଝାଇଲି ।”
ପ୍ରଥମେ ୨୫ ଜଣ ମହିଳା ସାମିଲହୋଇଥିଲେ । ବାଉଁଶ ବାଡି, କୁରାଢୀ ଧରି ଜଙ୍ଗଲରେ ଆମେ ବୁଲିଲୁ । ସମୟ ବଢିବା ସହ ଅନେକ ପୁରୁଷ ମଧ୍ୟ ଆମ ସହ ସାମିଲ ହୋଇଥିଲେ । କିନ୍ତୁ ସମସ୍ତ ଶ୍ରେୟ ମହିଳାଙ୍କୁ ଦିଆଯିବ ବୋଲି କହିଥିଲେ ଯମୁନା । ଏସବୁ କରିବା ପାଇଁ ତାଙ୍କ ଜୀବନରେ ଅନେକ ବାଧାବିଘ୍ନ ଆସିଛି । ସେ କିନ୍ତୁ ଖାତିର ନକରି, ସାହସର ସହ ପରିସ୍ଥିତିର ମୁକାବିଲା କରିଛନ୍ତି । ଏକନିଷ୍ଠ ଓ ସମର୍ପଣ ତାଙ୍କୁ ଆଗକୁ ବଢିବାକୁ ସାହାଯ୍ୟ କରିଛି ।

ଅନେକ ଘାତ ପ୍ରତିଘାତର ସାମ୍ନା ତାଙ୍କୁ କରିବାକୁ ପଡିଛି । ମାଫିଆଙ୍କ ଆକ୍ରମଣର ଶିକାର ବି ହୋଇଛନ୍ତି । ତଥାପି ଡରି ଯାଇନାହାନ୍ତି କି କାମରୁ ହଟିନାହାନ୍ତି । ସମସ୍ତ ଦୁଃଖ, କଷ୍ଟ, ବାଧାବିଘ୍ନକୁ ଭୂଲି ଆଗେଇ ଚାଲିଛନ୍ତି ଓଡିଆ ଝିଅ । ଯମୁନା ରେଳ ବିଭାଗର ଅଧିକାରୀଙ୍କୁ ବୁଝାଇବାକୁ ମଧ୍ୟ ସକ୍ଷମ ହୋଇଥିଲେ । ଚୋରା କାଠ ଚାଲାଣ ରୋକିବାକୁ ସେ ଷ୍ଟେସନ ମାଷ୍ଟରଙ୍କୁ ବୁଝାଇ ଫେରିବା ସମୟରେ ପ୍ରାଣାନ୍ତକ ଆକ୍ରମଣର ଶିକାର ହୋଇଥିଲେ । ପଥରମାଡରେ ଯମୁନାଙ୍କ ସାଥୀମାନେ ମଧ୍ୟ ଆହତ ହୋଇଥିଲେ । କାଠ ମାଫିଆଙ୍କ ବେପାର ପ୍ରଭାବିତ ହେବାରୁ ସେମାନଙ୍କ ଟାର୍ଗେରେ ଥିଲେ ଯମୁନା । ଯମୁନାଙ୍କୁ ବଂଚାଇବାକୁ ଯାଇ ତାଙ୍କ ସ୍ୱାମୀଙ୍କ ମୁଣ୍ଡରେ ଗଭୀର ଚୋଟ ଲାଗିଥିଲା । କେବଳ ଏତିକି ନୁହେଁ ବାରମ୍ବାର ଯମୁନା ଓ ତାଙ୍କ ସ୍ୱାମୀଙ୍କ ଉପରେ ଅନେକ ଥର ଆକ୍ରମଣ ହୋଇଥିଲା । ଅନ୍ଧାର ହୋଇଥିବାରୁ ସେମାନେ ଦୌଡି ପଳାଇଥିଲେ ତଥାପି ମାଫିଆମାନେ ଛାଡିନଥିଲେ ।

୧୫ବର୍ଷ ଭିତରେ ଅନେକ କଷ୍ଟ ସହି ସେ ୫୦ ହେକ୍ଟର ଶାଳ ଜଙ୍ଗଲକୁ ସୁରକ୍ଷା ଦେଇପାରିଛନ୍ତି । ବନ ବିଭାଗ ଯମୁନାଙ୍କ ଗାଁ ମୁତରଖାମକୁ ପୋଷ୍ୟ ଗାଁ ଭାବେ ଗ୍ରହଣ କରିଛି । ଗାଁ କୁ ସ୍କୁଲ ଓ ସହ ପାଣି ସଂଯୋଗର ବ୍ୟବସ୍ଥା କରାଯାଇଛି । ଏବର୍ଷ ନିତି ଆୟୋଗ ଦ୍ୱାରା ପରିଚାଳିତ ‘ମହିଳା ଟ୍ରାନସଫର୍ମିଂଗ ଇଣ୍ଡିଆ’ ପୁରସ୍କାର ପାଇଛନ୍ତି ଯମୁନା । ୨୦୧୩ରେ ସାମାଜିକ ସୁରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ‘ଗଡଫ୍ରେ ଫିଲିପ୍ସ ସାହସିକତା ପୁରସ୍କାର’ ପାଇଛନ୍ତି ।

ଯମୁନା ସଚେତନ କରିବା ସହ ଝାଡଖଣ୍ଡର କୋହ୍ଲା ଡିଭିଜନରେ ବନ ସୁରକ୍ଷା ସମିତି ଗଠନ କରିଛନ୍ତି । ୬ହଜାର ସଦସ୍ୟଙ୍କୁ ନେଇ ୧୫୦ଟି କମିଟି ଗଠନ କରିଛନ୍ତି ଯମୁନା । ତାଙ୍କ ଆନ୍ଦୋଳନର ଲକ୍ଷ୍ୟ ‘ଜଙ୍ଗଲ ସୁରକ୍ଷା’ । ସହଯୋଗ ମିଳିଲେ ଏହିଭଳି ଅନେକ ଜଙ୍ଗଲ ସୃଷ୍ଟି କରିବାକୁ ତାଙ୍କର ଇଚ୍ଛା । ଆଧୁନିକ ମଣିଷ ବିକାଶ ନାଁରେ ଗଛ କାଟିଚାଲିଥିବା ବେଳେ ଜଣେ ଆଦିବାସୀ ମହିଳାଙ୍କର ସାହସିକତାକୁ ସଲାମ କରିବାକୁ ପଡିବ । ତାଙ୍କ ସାହସ, ନିଷ୍ଠା ତଥା ପରିବେଶ ପ୍ରତି ସତର୍କ ରହବା ତାଙ୍କ ଠାରୁ ଯେକୌଣସି ଲୋକ ଶିଖିବାକୁ ବାଧ୍ୟ ହେବ ।

ସୌଜନ୍ୟ : ଗାଓଁ କନେକସନ

 

.