‘କେବିସି-୯’କୁ ମିଳିଲା ପ୍ରଥମ କୋଟିପତି ! ଜାଣନ୍ତୁ କିଏ ଏହି ମହିଳା

38

କନକ ବ୍ୟୁରୋ : ଲୋକପ୍ରିୟ ରିୟଲିଟି ସୋ କେବିସି -୯ କୁ ମିଳିଲା ତାହାର ପ୍ରଥମ କୋଟିପତି । ଜାମସେଦପୁରର ଅନାମିକା ମଜୁମଦାର ଚଳିତ ସିଜିନର ପ୍ରଥମ ପ୍ରତିଯୋଗୀ ଯିଏ ଏକ କୋଟି ଜିତିଛନ୍ତି । ଏକ କୋଟି ଜିତିବା ପରେ ଅନାମିକା ୭ କୋଟିର ଜ୍ୟାକପଟ୍ ପ୍ରଶ୍ନ ପାଇଁ ଉତ୍ତୀର୍ଣ୍ଣ ହୋଇଥିଲେ । କିନ୍ତୁ ଏହି ପ୍ରଶ୍ନର ଉତ୍ତର ନଦେଇ ସୋ’ରୁ ଓହରି ଯାଇଥିଲେ ।

ଅନାମିକା ଜଣେ ସମାଜସେବୀ । ସେ ଫେଥ୍ ଇନ୍ ଇଣ୍ଡିଆ ନାମକ ଏକ ଏନଜିଓ ଚଳାନ୍ତି । ତାଙ୍କର ଦୁଇଟି ଝିଅ ଅଛନ୍ତି । ଅନାମିକା ମଜୁମଦାର କହିଛନ୍ତି ଯେ ସେ ଏହି ପୁରସ୍କାର ରାଶିରେ ଝାଡଖଣ୍ଡରେ ନିଜ ଏନଜିଓରରେ ବିନିଯୋଗ କରିବେ । ସେ ଜଣେ ନୃତ୍ୟଶିଳ୍ପୀ ମଧ୍ୟ । ଏହା ସହ ବସ୍ତିରେ ରହୁଥିବା ପିଲାମାନଙ୍କୁ ନୃତ୍ୟଶିକ୍ଷା ବି ଦେଉଥିଲେ।

୧୭ ବର୍ଷ ପୂର୍ବେ  ଆରମ୍ଭ ହୋଇଥିଲା ଭାରତୀୟ ଟେଲିଭିଜନର ଲୋକପ୍ରିୟ ଶୋ’ ‘କୌନ୍ ବନେଗା କରୋଡପତି’ । ଯାହାର ହୋଷ୍ଟ ଥିଲେ ମହାନାୟକ ଅଭିତାଭ ବଚ୍ଚନ । ଏହା ଭିତରେ ଏହି ଏହି ଶୋ’ ଅନେକ ସାଧାରଣ ଲୋକଙ୍କୁ ବନାଇ ଦେଇଛି କୋଟିପତି । ହେଲେ ଏହି କୋଟିପତି ଏବେ କଣ କରୁଛନ୍ତି ବୋଧେ ଖୁବ୍ କମ୍ ଲୋକ ହିଁ ଜାଣିଥିବେ । ଏବେ ନଜର ପକାନ୍ତୁ କେଉଁଠି ଅଛନ୍ତି ଏହି କୋଟିପତି ଆଉ କେମିତି ବ୍ୟବହାର କରିଛନ୍ତି ନିଜର ଜିତିଥିବା ଟଙ୍କାକୁ ।

ହର୍ଷବର୍ଦ୍ଧନ ନୱାଥେ : ୟୁପିଏସସି ପାଇଁ ପ୍ରସ୍ତୁତ ହେଉଥିବା ହର୍ଷବର୍ଦ୍ଧନଙ୍କ ଜୀବନକୁ ଏହି ଶୋ’ ବଦଳାଇ ଦେଇଥିଲା । ବର୍ଷ ୨୦୦୦ରେ ଏକ କୋଟି ଜିତିଥିବା ହର୍ଷବର୍ଦ୍ଧନ ରାତାରାତି ଷ୍ଟାର୍ ପାଲଟିଯାଇଥିଲେ । ଆଉ ଏହି ଚକ୍କରରେ ତାଙ୍କ ୟୁପିଏସସି ସ୍ୱପ୍ନ ଅଧାରେ ରହି ଯାଇଥିଲା । ପରେ ସେ ଏମବିଏ କରିଥିଲେ । ଏବେ ହର୍ଷବର୍ଦ୍ଧନ ମହିନ୍ଦ୍ରା କମ୍ପାନୀରେ କାମ କରିବା ସହ ଦୁଇଟି ପିଲାର ବାପା ମଧ୍ୟ ହୋଇ ସାରିଲେଣି ।

ରବି ମୋହନ ସୈନୀ : କୌନ୍ ବନେଗା କରୋଡପତି ଜୁନିୟର୍ ଜିତିଥିବା ରବିଙ୍କର ବୟସ ସେତେବେଳେ ମାତ୍ର ୧୪ବର୍ଷ ଥିଲା ଆଉ ସେ ୧୦ମ ଶ୍ରେଣୀରେ ପଢୁଥିଲେ । ତେବେ ଏହି ଶୋ’କୁ ଜିତିବା ପରେ ମଧ୍ୟ ଆଗକୁ ପଢା ଜାରି ରଖିଥିଲେ । ଆଜି ସେ ଜଣେ ଆଇପିଏସ୍ ଅଫିସର୍ ।

ରାହତ୍ ତସଲୀମ୍ : ରାହତ୍ ଏମିତି ଏକ ଘରୁ ଆସିଥିଲେ, ଯେଉଁଠି ଝିଅ ମାନଙ୍କୁ ପଢିବା ପାଇଁ ସ୍ୱାଧୀନତା ନଥିଲା । ଯେତେବେଳେ ମେଡିକାଲ୍ ପାଇଁ ପ୍ରସ୍ତୁତ ହେଉଥିଲେ ସେତେବେଳେ ତାଙ୍କ ବିବାହ ହୋଇଯାଇଥିଲା । ତେବେ ତାଙ୍କ ସ୍ୱପ୍ନରେ ଡେଣା ଲଗାଇଥିଲା କୌନ୍ ବନେଗା କରୋଡପତିର ଚତୁର୍ଥ ସିଜିନ୍ । ଦୁନିଆଁ ପାଇଁ ସେ ୧ କୋଟି ଜିତିଥିଲେ ହେଲେ ନିଜ ପାଇଁ ସ୍ୱାଧୀନତା । ଆଉ ଜିତିଥିବା ଟଙ୍କାରେ ରାହତ୍ ଏକ ସୋ’ରୁମ୍ ଖୋଲିବା ସହ ନିଜ ଗୋଡରେ ଛିଡା ହୋଇଛନ୍ତି ।

ସୁଶୀଲ୍ କୁମାର୍ : କୌନ୍ ବନେଗା କରୋଡପତିର ୫ମ ସିଜିନର ବିଜେତା ଥିଲେ ସୁଶୀଲ୍ କୁମାର୍ । ବିହାରର ଏକ ଗରୀବ ପରିବାରରୁ ଆସିଥିବା ସୁଶୀଲ୍ ଏହି ଶୋ’ରେ ୫କୋଟି ଟଙ୍କା ଜିତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ଶୋ’ ଜିତିବା ପରେ ସେ ବହୁତ ଲୋକପ୍ରିୟ ହୋଇ ଯାଇଥିଲେ , ଏପରିକି ତାଙ୍କୁ ଏକ ରିୟଲିଟି ଶୋ’ର ମଧ୍ୟ ଅଫର୍ ମିଳିଥିଲା । କେବିସିରେ ଜିତିଥିବା ଟଙ୍କାରେ ସୁଶୀଲ ନିଜର ଏକ ବ୍ୟବସାୟ ଆରମ୍ଭ କରିଛନ୍ତି । ଏହା ସହ ବିହାରରେ ତାଙ୍କର ଦୋକାନ ଏବଂ ଦିଲ୍ଲୀରେ କିଛି ଗାଡି ଚାଲିଛି । ତେବେ ସୁଶୀଲ୍ ଲେଖା ଲେଖିରେ ମଧ୍ୟ ରୁଚି ରଖନ୍ତି । ଏକ ପ୍ରଯୋଜନା ସଂସ୍ଥାକୁ ତାଙ୍କ କାହାଣୀ ପସନ୍ଦ ଆସିବାରୁ ଏବେ ସେ ଏହି ସ୍କ୍ରିପ୍ଟ ଉପରେ କାମ କରୁଛନ୍ତି ।

ସନମୀତ୍ କୌର୍ : ସନମୀତଙ୍କ କାହାଣୀ କୌଣସି ସିନେମା କାହାଣୀଠାରୁ କମ୍ ନୁହେଁ । ଫାସନ୍ ଡିଜାଇନିଙ୍ଗ କୋର୍ସ କରିଥିବା ସନମୀତଙ୍କୁ ତାଙ୍କ ଶ୍ୱଶୁର ଘର ଲୋକ କିନ୍ତୁ କାମ କରିବାକୁ ଦେଉ ନଥିଲେ । ହେଲେ ସେ ହାର୍ ନମାନି ଟିଫିନ୍ ବ୍ୟବସାୟ ଆରମ୍ଭ କରିଥିଲେ । ହେଲେ ଏକ ଦୁର୍ଘଟଣା ଯୋଗୁଁ ତାଙ୍କର ଏହି ବ୍ୟବସାୟ ବନ୍ଦ ହୋଇଗଲା ।ଏହା ପରେ ସେ ପିଲାମାନଙ୍କୁ ଟ୍ୟୁସନ୍ କରିବା ଆରମ୍ଭ କରିଥିଲେ ଆଉ ତାଙ୍କର ଏହି ଜ୍ଞାନ ତାଙ୍କୁ କେବିସି – ସିଜିନ୍ ୬ ପର୍ଯ୍ୟନ୍ତ ଆଣିଥିଲା । ଏହି ଶୋ’ରେ ସେ ଜିତିଥିଲେ ୫କୋଟି ଟଙ୍କା । ତେବେ ଜିତିଥିବା ଟଙ୍କାରେ ସେ ନିଜର ଜଣେ ସାଙ୍ଗ ସହ ମିଶି ଫାସନ୍ ହାଉସ୍ ଖୋଲିଛନ୍ତି ।

ତାଜ୍ ମହମ୍ମଦ ରଂଗ୍ରେଜ୍ : କେବିସିର ୭ମ ସିଜିନରେ ୧ କୋଟି ଟଙ୍କା ଜିତିଥିବା ତାଜ୍ ହେଉଛନ୍ତି ଏକ ମାତ୍ର ପ୍ରତିଯୋଗୀ । ପେସାରେ ଶିକ୍ଷକ ଥିବା ତାଜ୍ ଶୋ’ ଜିତିବା ବେଳେ କହିଥିଲେ ଏହି ଟଙ୍କାରେ ଏବେ ସେ ନିଜ ପାଇଁ ଘର କିଣିବା ସହ ଝିଅର ଆଖି ଅପରେସନ୍ କରିବେ । ତେବେ ଶୋ’ ଜିତିବା ପରେ ମଧ୍ୟ ସେ ସେହି ଶିକ୍ଷକ ହିଁ ରହିଲେ । ଏବେ ସେ ଜଣେ ସଫଳ ମଣିଷ ହିସାବରେ ପରିଚିତ ।

ଅଚୀନ୍ ନିରୁଲା ଓ ସାର୍ଥକ ନିରୁଲା : ଭାରତୀୟ ଟେଲିଭିଜନ୍ ଇତିହାସରେ ଏହା ହେଉଛି ଏପର୍ଯ୍ୟନ୍ତ ଜିତା ଯାଇଥିବା ସବୁଠାରୁ ବଡ ରାଶି । ଦିଲ୍ଲୀର ଏହି ଦୁଇ ଭାଇ ୭ କୋଟି ଟଙ୍କା ଜିତିବା ପରେ ତାଙ୍କ ପାଇଁ ଚାରି ଆଡୁ ବିବାହ ପ୍ରସ୍ତାବ ଆସିବାକୁ ଲାଗିଥିଲା । ଜିତିଥିବା ଟଙ୍କାକୁ ଏହି ଦୁଇ ଭାଇ ଖୁବ୍ ଧ୍ୟାନର ସହ ଖର୍ଚ୍ଚ କରିଥିଲେ । ପ୍ରଥମେ ସେମାନେ ନିଜ ମା’ଙ୍କର କ୍ୟାନ୍ସର ଚିକିତ୍ସା କରିଥିଲେ । ପରେ ନିଜର ବ୍ୟବସାୟ ଆରମ୍ଭ କରିଥିଲେ ।