ଜମ୍ମୁ କଶ୍ମୀରରେ ଧୀରେ ସ୍ବାଭାବିକ ହେଉଛି ସ୍ଥିତି : ଫୋନ୍ ସେବା ଚାଲୁ, କାଲିଠାରୁ ଖୋଲିବ ସ୍କୁଲ୍

100

କନକ ବ୍ୟୁରୋ : ଜମ୍ମୁ କଶ୍ମୀରରେ ସୁରକ୍ଷା କଡ଼ାକଡ଼ି ରହିଥିବା ବେଳେ ସ୍ଥିତି ଧୀରେ ଧୀରେ ସ୍ଥିତି ସ୍ବାଭାବିକ ହେଉଛି । ଜନସାଧାରଣଙ୍କ ଯାତାୟତ ଉପରେ ଆଜି କଶ୍ମୀରର ବିଭିନ୍ନ ସ୍ଥାନରେ କଟକଣା ହଟିଛି । କଶ୍ମୀରର କିସ୍ତୱାଡ଼ା ସମେତ ଅ‌ନ୍ୟ କେତେକ ସମ୍ବେଦନଶୀଳ ଅଂଚଳରେ ଦିନରେ କର୍ଫ୍ୟୁ ହଟାଇ ନିଆଯାଇଛି । ସମୁଦାୟ ୯୬ଟି ଟେଲିଫୋନ୍‌ ଏକ୍ସଚେଞ୍ଜ୍‌ ମଧ୍ୟରୁ ୩୫ ଥାନା ଅଧୀନରେ ଥିବା ୧୭ଟି ଟେଲିଫୋନ୍‌ ଏକ୍ସଚେଞ୍ଜ୍‌ କାର୍ଯ୍ୟକ୍ଷମ ହୋଇଛି ।

ସେହିପରି ଜମ୍ମୁ ଅଞ୍ଚଳର ୫ଟି ଜିଲ୍ଲାରେ ପୁନଃ ମୋବାଇଲ୍‌ ଓ ଇଣ୍ଟରନେଟ୍‌ ସେବା ଆରମ୍ଭ ହୋଇଛି । ଦୀର୍ଘ ୧୨ ଦିନର କଟକଣା ପରେ ଏବେ କଶ୍ମୀରରେ ସ୍ବାଭାବିକ ସ୍ଥିତି ଆସିଛି । ତେବେ ହିଂସା ସୃଷ୍ଟି ପାଇଁ ଯୁବଗୋଷ୍ଠୀଙ୍କୁ ଉସୁକାଇବା ନିମନ୍ତେ ଟେଲିଫୋନ ଏବଂ ଇଣ୍ଟରନେଟ୍‌ର ବ୍ୟବହାର ଯେଭଳି ହୋଇ ନପାରିବ ସେ ଦିଗରେ ବ୍ୟାପକ ସତର୍କତା ପଦକ୍ଷେପ ନିଆଯାଇଛି । ଶତାଧିକ ବିଚ୍ଛିନ୍ନତାବାଦୀ ନେତାଙ୍କ ଉପରେ କଡ଼ା ନଜର ରଖାଯାଇଛି ।

କଶ୍ମୀରରେ ୧୭ଟି ଟେଲିଫୋନ୍‌ ଏକ୍ସଚେଞ୍ଜ୍‌ କାର୍ଯ୍ୟକ୍ଷମ ହେବାପରେ ୫୦,୦୦୦ରୁ ଅଧିକ ଲ୍ୟାଣ୍ଡଲାଇନ୍‌ ଫୋନ୍‌ ପୁଣି କାମ କରିବା ଆରମ୍ଭ କରିଛି। ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା କଶ୍ମୀରରେ ପ୍ରାୟ ୮୦ ଟେଲିଫୋନ୍‌ ଏକ୍ସଚେଞ୍ଜ୍ କାର୍ଯ୍ୟ କରିବ ବୋଲି କୁହାଯାଉଛି । ସରକାରୀ ମୁଖପାତ୍ର ‌ରୋହିତ କନସଲ୍‌ କହିଛନ୍ତି ଆସନ୍ତା ସୋମବାରଠାରୁ କଶ୍ମୀରରେ ପ୍ରାଥମିକ ସ୍କୁଲ୍‌ ଖୋଲିବ। ଆଜି ବିଭିନ୍ନ ସ୍ଥାନରେ ଦୋକାନ ବଜାର ମଧ୍ୟ ଖୋଲିବା ଆରମ୍ଭ ହୋଇଛି । ଶ୍ରୀନଗରର କିଛି ସ୍ଥାନ ତଥା ସିଭିଲ୍‌ ଲାଇନ୍ସ, କ୍ୟାଣ୍ଟନମେଣ୍ଟ୍‌, ରାଜ ବାଗ ଏବଂ ଜବାହର ନଗରରେ ଲ୍ୟାଣ୍ଡଲାଇନ୍‌ ସେବା ଆରମ୍ଭ ହୋଇଛି । କିନ୍ତୁ ଲାଲ୍‌ ଚୌକ ଏବଂ ପ୍ରେସ୍ ଏନକ୍ଲେଭ୍‌ର ବିଭିନ୍ନ ସ୍ଥାନରେ ଏବେ ବି ମୋବାଇଲ୍‌ ଓ ଇଣ୍ଟରନେଟ୍‌ ସେବା ବାତିଲ ରହିଛି ।

ଉତ୍ତର କଶ୍ମୀରର ଗୁରେଜ୍‌, ତଙ୍ଗମଙ୍ଗ୍‌, ଉରି କେରନ୍‌, କରନାହ, ତଙ୍ଗଧର ଅଞ୍ଚଳରେ ମୋବାଇଲ୍‌ ସେବା ଆରମ୍ଭ ହୋଇଛି । ସେହିପରି ଦକ୍ଷିଣ କଶ୍ମୀରର କ୍ବାଜିଗଣ୍ଡ୍‌ ଏବଂ ପହଲଗାମ୍‌ ଅଞ୍ଚଳରେ ମଧ୍ୟ ଟେଲିଫୋନ୍‌ ସେବା ଆରମ୍ଭ ‌ହୋଇଛି । ଏକ ସାମ୍ବାଦିକ ସମ୍ମିଳନୀ‌ରେ ରୋହିତ କନସଲ୍‌ କହିଛନ୍ତି, ୩୫ ଥାନା ଅଧୀନରେ କଟକଣା ହଟାଇ ଦିଆଯାଇଛି । ଜମ୍ମୁର ୫ ଜିଲ୍ଲାରେ ୨ଜି ମୋବାଇଲ୍‌ ଇଣ୍ଟରନେଟ୍‌ ସେବା ଦିଆଯାଇଛି । କଶ୍ମୀର ଘାଟିରେ ପରିସ୍ଥିତି ସୁଧୁରିଲେ ଅଟକ ରହିଥିବା ରାଜନେତା ଓ ବିଚ୍ଛିନ୍ନତାବାଦୀଙ୍କ ଉପରୁ କଟକଣା ହଟିବ ବୋଲି ସେ କହିଛନ୍ତି ।