ଧାରା ୩୭୦ ହଟିବା ପରେ ଘାଟିରେ ପ୍ରଥମ ଗୁଳିବିନିମୟ ! ଆତଙ୍କବାଦୀ ଏବଂ ସୁରକ୍ଷାବଳ ଗୁଳିବିନିମୟ ମଧ୍ୟରେ ଜଣେ ଏସପିଓ ସହିଦ୍ , ଏସଆଇ ଗୁରୁତର ।

334

ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବା ପରେ ଘାଟିରେ ସୁରକ୍ଷାବଳ ଏବଂ ଆତଙ୍କବାଦୀ ପ୍ରଥମଥର ପାଇଁ ମୁହାଁମୁହିଁ ହୋଇଛନ୍ତି । ବାରାମୁଲାରେ ହୋଇଥିବା ଏହି ଗୁଳିବିନିମୟରେ ଜଣେ ସ୍ପେଶାଲ୍ ପୋଲିସ୍ ଅଫିସର୍ (ଏସପିଓ) ସହିଦ୍ ହୋଇଥିବା ବେଳେ ଜଣେ ଏସଆଇ ଗୁରୁତର ହୋଇଯାଇଛନ୍ତି । ଏଥିରେ ଜଣେ ଆତଙ୍କୀ ମଧ୍ୟ ନିପାତ ହୋଇଛି । ମଙ୍ଗଳବାର ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ଏହି ଗୁଳିବିନିମୟ ଏବେ ବନ୍ଦ ହୋଇଯାଇଥିବା ବେଳେ ଉକ୍ତ ସ୍ଥାନରୁ ବହୁଳ ମାତ୍ରାରେ ଗୁଳିବାରୁଦ ଏବଂ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ବର୍ତ୍ତମାନ ମରିଥିବା ଆତଙ୍କବାଦୀର ପରିଚୟ ସ୍ପଷ୍ଟ କରିବା ପାଇଁ ପ୍ରୟାସ ଜାରି ରହିଛି ।

ଶ୍ରୀନଗରରୁ ୫୪ କି.ମି. ଦୂରରେ ଅବସ୍ଥିତ ବାରାମୁଲା । ସୂତ୍ର ମୁତାବକ , ଏହି ଏନକାଉଣ୍ଟରରେ ଦୁଇରୁ ତିନି ଆତଙ୍କୀଙ୍କୁ ସିଆରପିଏଫ୍ ଏବଂ ଜମ୍ମୁ-କାଶ୍ମୀର ପୋଲିସର ସ୍ପେଶାଲ୍ ଅପରେସନ୍ ଗ୍ରୁପ୍ ଘେରି ରଖିଥିଲା । ଘେରାଉ ଖବର ଶୁଣିବା ପରେ ଆତଙ୍କବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଦେଇଥିଲେ । ଯେଉଁଥିରେ ଏସପିଓ ବିଲାଲ୍ ସହିଦ୍ ହୋଇଯାଇଥିଲେ ଏବଂ ଏସଆଇ ଅମରଦିପ୍ ପରିହାର୍ ଗୁରୁତର ଆହତ ହୋଇଥିଲେ । ତାଙ୍କର ଚିକିତ୍ସା ଏବେ ସେନା ଡାକ୍ତରଖାନାରେ ଚାଲିଛି ।